ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ନୟାଗଡ଼ରେ ୫ ବର୍ଷର ଝିଅ 'ପରୀ'ର ହତ୍ୟାକାଣ୍ଡ ନେଇ ମନ୍ତ୍ରୀ ଅରୁଣ ସାହୁଙ୍କ ଉପରକୁ ଉଠିଲା ଅଙ୍ଗୁଳି। ଆଉ କେହି ନୁହନ୍ତି, ମୃତ ନାବାଳିକାର ବାପାମା' ହିଁ ମନ୍ତ୍ରୀଙ୍କ ବିରୋଧରେ ଆଣିଛନ୍ତି ଅଭିଯୋଗ। ଅଭିଯୁକ୍ତ ମନ୍ତ୍ରୀଙ୍କ ପାଖଲୋକ। ସେଥିପାଇଁ ମନ୍ତ୍ରୀ ତାଙ୍କୁ ସୁରକ୍ଷା ଦେଉଥିବା ସେମାନେ ଅଭିଯୋଗ କରିଛନ୍ତି।
'ପରୀ'ର ମା' ସୌଦାମିନୀ ସାହୁ ଗଣମାଧ୍ୟମ ସମ୍ମୁଖରେ କହିଛନ୍ତି, ମନ୍ତ୍ରୀ ଅରୁଣ ସାହୁଙ୍କ ପାଖ ଲୋକମାନେ ମୋ ଝିଅକୁ ମାରି ଦେଇଛନ୍ତି। ମନ୍ତ୍ରୀଙ୍କ ପାଖ ଲୋକ ବାବୁଲି ନାଏକ ହିଁ ମୋ ଝିଅକୁ ମାରିଛି । ମନ୍ତ୍ରୀ କିଛି କରୁନାହାନ୍ତି, ଅପରାଧୀଙ୍କୁ ସୁରକ୍ଷା ଦେଉଛନ୍ତି। ୪ ମାସ ହେଲା ଅଭିଯୁକ୍ତଙ୍କୁ ଧରୁନି ପୁଲିସ୍। ସବୁଆଡୁ ବୁଲି ନିରାଶ ହୋଇଛୁ, କେହି ନ୍ୟାୟ ଦେଉନାହାନ୍ତି। ଆମେ ନ୍ୟାୟ ମାଗିବାରୁ ଆମକୁ ଗାଁରୁ ବିଦା କରୁଛନ୍ତି। ମୋ ଝିଅକୁ ମାରି ଫିଙ୍ଗି ଦେଲେ, ଆମେ କାହିଁକି ଆଉ ବଞ୍ଚିବୁ ବୋଲି କୋହଭରା କଣ୍ଠରେ ସେ କହିଛନ୍ତି। ଏନେଇ ମନ୍ତ୍ରୀ ଅରୁଣ ସାହୁଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।
ସୂଚନାଯୋଗ୍ୟ, ନ୍ୟାୟ ନ ମିଳିବାରୁ ସବୁଆଡୁ ନିରାଶ ହେବା ପରେ ଆଜି ସୌଦାମିନୀ ଓ ତାଙ୍କ ସ୍ୱାମୀ ଅଶୋକ ସାହୁ ବିଧାନସଭା ସମ୍ମୁଖରେ ଆତ୍ମାହୁତି ଦେବାକୁ ଉଦ୍ୟମ କରିଥିଲେ। ପୁଲିସ୍ ସେମାନଙ୍କୁ ଉଦ୍ଧାର କରିଥିଲା।
ଏହି ଦମ୍ପତି ଦେଇଥିବା ସୂଚନା ଅନୁଯାୟୀ, ଗତ ଜୁଲାଇ ମାସରେ ଗାଁ ଦାଣ୍ଡରେ ଖେଳୁଥିବା ବେଳେ ପରୀକୁ ଅପହରଣ କରାଯାଇଥିଲା। ଖୋଜାଖୋଜି କରି ନପାଇବାରୁ ସେମାନେ ଥାନାରେ ଏତଲା ଦେଇଥିଲେ। ୩ ଦିନ ଯାଏ ପୁଲିସ୍ ଚୁପ୍ ରହିବାରୁ ଜିଲ୍ଲାପାଳ, ଏସ୍ପିଙ୍କୁ ବି ଭେଟିଥିଲେ। ତଥାପି ପଦକ୍ଷେପ ନିଆଯାଇ ନଥିଲା। ଦୁଇ ସପ୍ତାହ ପରେ ବସ୍ତାରେ ବନ୍ଧା ହୋଇଥିବା ହାଡ଼ ଘର ବାଡ଼ିପଟୁ ମିଳିଥିଲା। ରାତି ଅଧରେ ଦୁର୍ବୃତ୍ତ ବାଡିପଟେ ଝିଅର ହାଡ଼ ଫିଙ୍ଗି ପଳାଇ ଯାଇଥିଲେ।
ପରୀର ବାପାମା' କହିଛନ୍ତି ଯେ ନ୍ୟାୟ ମାଗିବାକୁ ଯାଇ ସେମାନେ ଆକ୍ରୋଶର ଶିକାର ହୋଇଛନ୍ତି। ଗତ ୨୬ ତାରିଖରେ ଅଶୋକଙ୍କ ଉପରେ ସଂଘବଦ୍ଧ ଆକ୍ରମଣ ହୋଇଥିଲା। ମେଡିକାଲ ଭିତରେ ମଧ୍ୟ ତାଙ୍କୁ ଆକ୍ରମଣ ହୋଇଥିଲା। ଏମିତିକି ପୁଲିସ୍ ଅଶୋକଙ୍କୁ ରାତିଅଧିଆ ଉଠାଇ ନେଇଥିଲା।