ନୟାଗଡ଼(ଆର୍ତ୍ତତ୍ରାଣ ନାୟକ): “ପରୀ ହତ୍ୟା ଘଟଣାଟା ଅଲଗା ମୋଡ଼ ନେଇଯାଇଛି। ପରୀର ମୃତଦେହ ପାଣି ବାହାରେ ଥିଲା। କିନ୍ତୁ କାହିଁକି ଦୁର୍ଗନ୍ଧ ହେଲାନି? ଦୁର୍ଗନ୍ଧ ନହେବାର କାରଣ ମୃତଦେହରେ କେହି କେମିକାଲ ମିଶାଇଛି। ରକ୍ତ ପରୀକ୍ଷା ସହ ସବୁ କାମ ସାରି ୧୦ ଦିନ ପରେ ମୃତଦେହ ଅଣାଯାଇଛି। କେବଳ ପରୀ ନୁହେଁ ରାଜ୍ୟରେ ଅନେକ ଛୁଆ ଚୋରି ହୋଇଛନ୍ତି। କିନ୍ତୁ ରାଜ୍ୟ ସରକାର ସେମାନଙ୍କ ଟେର ଆଦୌ ପାଉନି। ଅଙ୍ଗ ତସ୍କରୀରେ କେଉଁମାନେ ସଂପୃକ୍ତ ବାବୁଲି ନାୟକଠାରୁ ତଦନ୍ତ ହେଉ। ମନ୍ତ୍ରୀଙ୍କୁ ବହିଷ୍କାର କରାଯାଉ, ସେ ରହିଲେ ତଦନ୍ତ ପ୍ରଭାବିତ ହେବ।” ଯଦୁପୁର ଗାଁରେ ପରୀର ବାପା-ମାଆଙ୍କୁ ଭେଟିବା ପରେ ବିରୋଧୀଦଳ ନେତା ପ୍ରଦୀପ୍ତ ନାଏକ ଏହା କହିଛନ୍ତି।
ନୟାଗଡ଼ର ପରୀକୁ ନ୍ୟାୟ ଦେବା ପାଇଁ ଆଜି ଯଦୁପୁର ଗାଁକୁ ଯାଇଥିଲା ବିଜେପି ପ୍ରତିନିଧି ଦଳ। ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକଙ୍କ ନେତୃତ୍ୱରେ ଯାଇଥିବା ଟିମ୍ ପରୀର ପରିବାର ଲୋକଙ୍କୁ ଭେଟି ସମବେଦନା ଜଣାଇବା ସହିତ ସେମାନଙ୍କ ସହିତ ଆଲୋଚନା କରିଛଲା।
ବିରୋଧୀ ଦଳ ନେତା ଶ୍ରୀ ନାଏକ କହିଛନ୍ତି ଯେ, ପ୍ରଭାବଶାଳୀ ମନ୍ତ୍ରୀ ଅରୁଣ ସାହୁଙ୍କ ପ୍ରତ୍ୟକ୍ଷ ନିର୍ଦ୍ଦେଶରେ ଧମକଚମକ ଦିଆଯାଇ ପରୀର ପିତାମାତା, ପରିବାର ସଦସ୍ୟମାନଙ୍କୁ ଭୟଭୀତ କରାଯାଉଛି। ଯଦୁପୁର ସରପଂଚଙ୍କ ସମେତ ଗ୍ରାମବାସୀଙ୍କୁ ମଧ୍ୟ ଧମକ ଦିଆଯାଉଛି। ତେଣୁ ସର୍ବପ୍ରଥମେ ପରୀର ପିତାମାତା, ପରିବାର ସଦସ୍ୟ, ସ୍ଥାନୀୟ ସରପଂଚ ଏବଂ ଗ୍ରାମବାସୀଙ୍କୁ ସୁରକ୍ଷା ପ୍ରଦାନ କରିବା ପାଇଁ ସେ ଦାବି କରିଛନ୍ତି। ପରୀ ହତ୍ୟାକାଣ୍ଡ ପଛରେ ମନ୍ତ୍ରୀ ଅରୁଣ ସାହୁଙ୍କ ନାଁ ଥିବା କାରଣରୁ ଏବଂ ସେ ତଦନ୍ତ ପ୍ରକ୍ରିୟାକୁ ପ୍ରଭାବିତ କରିବାର ଯଥେଷ୍ଟ ସମ୍ଭାବନା ଥିବା ଯୋଗୁୁ ଯଥାଶୀଘ୍ର ମନ୍ତ୍ରୀ ଶ୍ରୀ ସାହୁଙ୍କୁ ରାଜ୍ୟ ମନ୍ତ୍ରିମଣ୍ଡଳରୁ ବହିଷ୍କାର କରାଯାଉ ଏବଂ ନିରପେକ୍ଷ ତଦନ୍ତ ପାଇଁ ମାମଲାକୁ ସିବିଆଇକୁ ହସ୍ତାନ୍ତର କରିବା ପାଇଁ ଶ୍ରୀ ନାଏକ ପୁଣି ଥରେ ଦାବି କରିଛନ୍ତି।
ପରୀ ଭଳି ଅନେକ ଛୁଆ ସମଗ୍ର ରାଜ୍ୟରେ ନିଖୋଜ ଅଛନ୍ତି ଏବଂ ଏହି ଘଟଣାମାନଙ୍କର ସାମାନ୍ୟତମ ଟେର୍ ପାଉନାହାନ୍ତି। ଏଭଳି ଗମ୍ଭୀର ଘଟଣାମାନ ପାଇଁ ରାଜ୍ୟସରକାର ଆଦୌ ସମ୍ବେଦନଶୀଳ ନୁହନ୍ତି। ଏଭଳି ଘଟଣା ସହ ଅଙ୍ଗପ୍ରତ୍ୟଙ୍ଗ ଚୋରିର ସଂପୃକ୍ତିର ବହୁ ସମ୍ଭାବନା ରହିଛି। ପରୀ ଘଟଣା ସମେତ ଅନ୍ୟାନ୍ୟ ନିଖୋଜ ଶିଶୁମାନଙ୍କ ଅନ୍ତର୍ଦ୍ଧାନ ପଛରେ ଏକ ବିରାଟ ଅଙ୍ଗପ୍ରତ୍ୟଙ୍ଗ ଚୋରି ର୍ୟାକେଟର ସଂପୃକ୍ତି ରହିଥିବାର ସନ୍ଦେହ ଘନୀଭୂତ ହୋଇଛି ବୋଲି ଶ୍ରୀ ନାଏକ କହିଛନ୍ତି। ଏହି ଘଟଣାରେ ରାଜ୍ୟ ସରକାର ଯଦି କୈାଣସି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରନ୍ତି, ତାହେଲେ ପରୀର ନ୍ୟାୟ ପାଇଁ କେନ୍ଦ୍ର ସରକାରଙ୍କୁ ହସ୍ତକ୍ଷେପ କରିବା ପାଇଁ ଅନୁରୋଧ କରିବୁ ବୋଲି ଶ୍ରୀ ନାଏକ କହିଛନ୍ତି।
ଏହି ପ୍ରତିନିଧି ଦଳରେ ବରିଷ୍ଠ ବିଧାୟକ ଜୟନାରାୟଣ ମିଶ୍ର, ମୋହନ ମାଝୀ, ସୁବାସ ପାଣିଗ୍ରାହୀ, ଶଙ୍କର ଓରାମ, କୁସୁମ ଟେଟେ, ନାଉରୀ ନାଏକ, ଭାସ୍କର ମଢେଇ, ଜୟନ୍ତ ଷଡ଼ଙ୍ଗୀ, ଲଲିତେନ୍ଦୁ ବିଦ୍ୟାଧର ମହାପାତ୍ର, ମୁକେଶ ମହାଲିଙ୍ଗ,ପ୍ରକାଶ ସୋରେନ, ଭବାନୀ ଭୋଇ, ନିତ୍ୟାନନ୍ଦ ଗଣ୍ଡ, ଆଦିତ୍ୟ ମାଢ଼ୀ, ଡ.ବୁଧାନ ମୁର୍ମୁ, ବରିଷ୍ଠ ନେତ୍ରୀ ସୁରମା ପାଢୀ, ଠାକୁର ରଣଜିତ୍ ଦାଶ, ଲାଲା ମନୋଜ ରାୟ, ଇରାନୀ ରାୟ, ସିଦ୍ଧାର୍ଥ ସିଂହ ମର୍ଦ୍ଧରାଜ, ସନ୍ୟାସୀ ନାୟକ, ପୂର୍ଣ୍ଣଚନ୍ଦ୍ର ନାୟକ, ସନ୍ତୋଷ ଦାଶ,ଲକ୍ଷ୍ମୀଧର ତ୍ରିପାଠୀ, ସନ୍ତୋଷ ପ୍ରଧାନ ପ୍ରମୁଖ ସାମିଲ ଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।