ସ୍କୁଲ ଖୋଲିବା ନିଷ୍ପତ୍ତିକୁ ବିରୋଧ କଲା ଅଭିଭାବକ ମହାସଂଘ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା ନଭେମ୍ବର ୧୬ତାରିଖରୁ ନବମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କ ପାଇଁ ସ୍କୁଲ ଖୋଲିବା ନିମନ୍ତେ ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ନେଇଥିବା ନିଷ୍ପତ୍ତିକୁ ଓଡ଼ିଶା ଅଭିଭାବକ ମହାସଂଘ ଦୃଢ଼ ବିରୋଧ କରିଛି। ଓଡ଼ିଶା ଅଭିଭାବକ ମହାସଂଘ ଅଧ୍ୟକ୍ଷ ବାସୁଦେବ ଭଟ୍ଟ ଏ ସମ୍ପର୍କରେ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଶୀତ ଦିନେ କରୋନା ସଂକ୍ରମଣ ଅଧିକ ବଢ଼ିବାର ଆଶଙ୍କା ଥିବାରୁ ସାଧାରଣ ଲୋକଙ୍କୁ ଅଧିକ ସତର୍କ ରହିବାକୁ ଦୁର୍ଗା ପୂଜା ପୂର୍ବରୁ ମୁଖ୍ୟମନ୍ତ୍ରୀ […]

school

Tapas Behera
  • Published: Saturday, 31 October 2020
  • , Updated: 31 October 2020, 07:07 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା ନଭେମ୍ବର ୧୬ତାରିଖରୁ ନବମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କ ପାଇଁ ସ୍କୁଲ ଖୋଲିବା ନିମନ୍ତେ ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ନେଇଥିବା ନିଷ୍ପତ୍ତିକୁ ଓଡ଼ିଶା ଅଭିଭାବକ ମହାସଂଘ ଦୃଢ଼ ବିରୋଧ କରିଛି।

ଓଡ଼ିଶା ଅଭିଭାବକ ମହାସଂଘ ଅଧ୍ୟକ୍ଷ ବାସୁଦେବ ଭଟ୍ଟ ଏ ସମ୍ପର୍କରେ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଶୀତ ଦିନେ କରୋନା ସଂକ୍ରମଣ ଅଧିକ ବଢ଼ିବାର ଆଶଙ୍କା ଥିବାରୁ ସାଧାରଣ ଲୋକଙ୍କୁ ଅଧିକ ସତର୍କ ରହିବାକୁ ଦୁର୍ଗା ପୂଜା ପୂର୍ବରୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଥିଲେ। ଏବେ ରାଜ୍ୟରେ ଦିନକୁ ୧୫୦୦ପାଖାପାଖି କରୋନା ରୋଗୀ ଚିହ୍ନଟ ହେଉଛନ୍ତି। ଗତକାଲି ସରକାରଙ୍କ କୋଭିଡ୍ ମୁଖପାତ୍ର କରୋନାର ଦ୍ୱିତୀୟ ଲହରୀ ସମ୍ପର୍କରେ ମଧ୍ୟ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି। କିଛି ରାଜ୍ୟରେ ସ୍କୁଲ ଖୋଲିବା ପରେ ସଂକ୍ରମଣ ଘଟଣା ଦେଖାଦେବାରୁ ସେସବୁ ରାଜ୍ୟ ସରକାରମାନେ ସ୍କୁଲକୁ ବନ୍ଦ କରିଦେଇଛନ୍ତି। ଦିଲ୍ଲୀ ସରକାର ତ ଏବେ ସ୍କୁଲ ଆଦୌ ଖୋଲାଯିବ ନାହିଁ ବୋଲି ଘୋଷଣା କରିସାରିଛନ୍ତି।

ଆଉ ଏସବୁ ମଧ୍ୟରେ ସ୍ୱତନ୍ତ୍ର ରିଲିଫ କମିଶନର ଖାମଖିଆଲି ଓ ଦାୟିତ୍ୱହୀନ ଭାବେ ସ୍କୁଲ ଖୋଲିବାକୁ ଘୋଷଣା କରିଥିବାରୁ ଅଭିଭାବକ ମହାସଂଘ ଏହାକୁ କଡ଼ା ନିନ୍ଦା କରୁଛି। ସ୍କୁଲ ଖୋଲିବା ନିଷ୍ପତ୍ତି ନେବା ପୂର୍ବରୁ ଅଭିଭାବକ, ଶିକ୍ଷକ ଓ ଶିକ୍ଷାବିତମାନଙ୍କ ସହ ରାଜ୍ୟ ସରକାର କାହିଁକି ବିଚାରବିମର୍ଶ କଲେନି ବୋଲି ସେ ପ୍ରଶ୍ନ କରିଛନ୍ତି। ଗଣଶିକ୍ଷା ବିଭାଗ ଏବେ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଥିବାବେଳେ ଏବର୍ଷ ପାଇଁ ଶିକ୍ଷାବର୍ଷକୁ ପୁନଃ ନିର୍ଦ୍ଧାରଣ କରିବାକୁ ମହାସଂଘ ପୂର୍ବରୁ ୪ଥର ଅନୁରୋଧ କରିସାରିଛି। ଧର୍ମାନୁଷ୍ଠାନ, ସିନେମା ହଲ, ସଭାସମିତିରେ ବୟସ୍କ ଲୋକମାନେ ଯଦି ଗାଇଡଲାଇନ ମାନିପାରିବେ ନାହିଁ ବୋଲି ସରକାର ଭାବି ସେସବୁକୁ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି ତା’ହେଲେ ମାତ୍ର ୧୪-୧୫ବର୍ଷର ପିଲାମାନେ କିପରି ସଚେତନ ରହିବେ। ବଜାର ହାଟରେ ପୁଲିସକୁ ଜଗିବାକୁ ପଡ଼ୁଥିବାବେଳେ ସ୍କୁଲରେ ଛୋଟପିଲାଙ୍କୁ କିଏ ଜଗିବ ବୋଲି ମହାସଂଘ ପ୍ରଶ୍ନ କରିଛି । ସମସ୍ତଙ୍କ ସହ ପରାମର୍ଶ କରିବାପରେ ରାଜ୍ୟ ସରକାର ସ୍କୁଲ ଖୋଲିବା ନିଷ୍ପତ୍ତି ନିଅନ୍ତୁ। ତେଣୁ ସ୍ୱତନ୍ତ୍ର ରିଲିଫ କମିଶନର ତୁରନ୍ତ ନିଜର ନିଷ୍ପତ୍ତିକୁ ପରିବର୍ତ୍ତନ କରନ୍ତୁ ନଚେତ୍ ଆସନ୍ତା ସୋମବାର ପରେ ଏହାକୁ ବ୍ୟାପକ ବିରୋଧ କରାଯିବ। ଦରକାର ପଡ଼ିଲେ ରିଲିଫ କମିଶନରଙ୍କୁ ଘେରାଉ କରାଯିବାକୁ ପଛାଇବୁ ନାହିଁ ବୋଲି ମହାସଂଘର ଅଧ୍ୟକ୍ଷ ବାସୁଦେବ ଭଟ୍ଟ ଚେତାବନୀ ଦେଇଛନ୍ତି।

Related story