ଜେଇଙ୍କୁ ଉଠ୍‌ବସ୍ ଘଟଣା: ସାମ୍ବାଦିକ ସମ୍ମିଳନୀରେ ମୁହଁ ଖୋଲିଲେ ବିଧାୟକ ସରୋଜ ମେହେର

ବଲାଙ୍ଗିର (ଓଡ଼ିଶା ରିପୋର୍ଟର): ପାଟଣାଗଡ଼ ପୂର୍ତ୍ତ ବିଭାଗ ଜେଇ ଜୟକାନ୍ତ ଶବରଙ୍କୁ ଉଠବସ ଘଟଣାରେ ବିଧାୟକ ସରୋଜ ମେହେରଙ୍କୁ ଗିରଫ କରିବାକୁ ଚାପ ବଢ଼ି ଚାଲିଛି। ଡିପ୍ଲୋମା ଇଂଜିନିୟର ସଂଘ ପରେ ଆଜି ବଲାଙ୍ଗିର ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କ ଅଫିସ୍ ଘେରାଉ କରାଯାଇଥିଲା। ଅନ୍ୟପକ୍ଷରେ ପୂର୍ବରୁ ଏ ଘଟଣାରେ କ୍ଷମା ମାଗି ସାରିଥିବା ପାଟଣାଗଡ଼ ବିଧାୟକ ସରୋଜ ମେହେର ଏକ ସାମ୍ବାଦିକ ସମ୍ମିଳନୀ କରି ନିଜ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି,“ପୂର୍ତ୍ତ ବିଭାଗ […]

mla

Jitendra Garnayak
  • Published: Wednesday, 12 June 2019
  • , Updated: 12 June 2019, 02:44 PM IST

ବଲାଙ୍ଗିର (ଓଡ଼ିଶା ରିପୋର୍ଟର): ପାଟଣାଗଡ଼ ପୂର୍ତ୍ତ ବିଭାଗ ଜେଇ ଜୟକାନ୍ତ ଶବରଙ୍କୁ ଉଠବସ ଘଟଣାରେ ବିଧାୟକ ସରୋଜ ମେହେରଙ୍କୁ ଗିରଫ କରିବାକୁ ଚାପ ବଢ଼ି ଚାଲିଛି। ଡିପ୍ଲୋମା ଇଂଜିନିୟର ସଂଘ ପରେ ଆଜି ବଲାଙ୍ଗିର ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କ ଅଫିସ୍ ଘେରାଉ କରାଯାଇଥିଲା। ଅନ୍ୟପକ୍ଷରେ ପୂର୍ବରୁ ଏ ଘଟଣାରେ କ୍ଷମା ମାଗି ସାରିଥିବା ପାଟଣାଗଡ଼ ବିଧାୟକ ସରୋଜ ମେହେର ଏକ ସାମ୍ବାଦିକ ସମ୍ମିଳନୀ କରି ନିଜ ପ୍ରତିକ୍ରିୟା ରଖିଛନ୍ତି।

ସେ କହିଛନ୍ତି,“ପୂର୍ତ୍ତ ବିଭାଗ ଉପରେ ଗମ୍ଭାରୀ ଗାଁ ଲୋକଙ୍କର ବହୁତ ଅଭିଯୋଗ ଥିଲା। ମୁଁ ୫ ତାରିଖ ଦିନ ସେଠାକୁ ଯାଇଥିଲି। ସେଠାରେ ପୂର୍ତ୍ତ ବିଭାଗର ଯେଉଁ କାମ (ପିଚୁ ରାସ୍ତା କାମ) ହୋଇଥିଲା, ତାହା ବହୁତ ନିମ୍ନମାନର ହୋଇଥିଲା। ସେଥିପାଇଁ ଲୋକେ ବହୁତ କ୍ଷୁବ୍ଧ ଥିଲେ। ତେବେ ସେଠାରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବ ବୋଲି ମୁଁ ଜାଣି ନଥିଲି।”

“ଜଣେ ଏମ୍‌ଏଲ୍‌ଏ ହିସାବରେ ପୂର୍ତ୍ତ ବିଭାଗ ଜେଇଙ୍କୁ ଯାହା କହିବା କଥା କହିଥିଲି। ତାଙ୍କ ଉପରେ ମୋର କୌଣସି ଆକ୍ରୋଶ ନ ଥିଲା। କାମ ଠିକ୍ ଭାବେ ହେବା କଥା ବୋଲି ମୁଁ ତାଙ୍କୁ କହିଥିଲି। ତେବେ ସେଠାରେ ଯାହା ଘଟିଗଲା, ସେଥିପାଇଁ ମୁଁ ଦୁଃଖିତ। କିନ୍ତୁ ଯେଉଁଠି ଖରାପ କାମ ହେଉଛି, ସେଠାରେ ପୂର୍ତ୍ତ ବିଭାଗ ଦୃଷ୍ଟି ଦେବା ଆବଶ୍ୟକ। ଯେତେବେଳେ ବି ଏମିତି ଅଭିଯୋଗ ଆସୁଛି, ସେମାନେ (ପୂର୍ତ୍ତ ବିଭାଗ ଅଧିକାରୀମାନେ) ସଙ୍ଗେ ସଙ୍ଗେ ସେଗୁଡ଼ିକର ସମାଧାନ କରିବା କଥା।”

ସେ କହିଛନ୍ତି,“ଏସ୍‌ସି ବା ଏସ୍‌ଟି ଲୋକଙ୍କ ପ୍ରତି ମୋର କୌଣସି ରାଗ ନାହିଁ। ମୁଁ ସେମାନଙ୍କୁ ବହୁତ ସମ୍ମାନ କରେ। ମୁଁ ତାଙ୍କ (ଜେଇ) ଜାତି ଉପରେ କୌଣସି ଆକ୍ଷେପ କରି ନାହିଁ।”

ସରୋଜ ମେହେର କହିଛନ୍ତି,“ଗାଁ ଲୋକଙ୍କର ଯେଉଁ କ୍ଷୋଭ ଥିଲା, ସେଥିପାଇଁ ମୁଁ ଯାହା କହିବା କଥା କହିଦେଲି। ସେଥିପାଇଁ ମୁଁ ଦୁଃଖ ବି ପ୍ରକାଶ କରି ସାରିଛି।”

ସୂଚନାଯୋଗ୍ୟ, ପାଟଣାଗଡ଼ ପୁଲିସ୍ ବିଧାୟକଙ୍କ ବିରୋଧରେ ଆଇପିଏସ୍‌ ଓ ଏସ୍‌ସି ଏବଂ ଏସ୍‌ଟି ଆକ୍ଟରେ ମାମଲା ରୁଜୁ କରିଥିଲେ ବି ଏଯାଏ ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନି। ଅନ୍ୟପକ୍ଷରେ ଉପ-ଜିଲ୍ଲାପାଳ ବି ଏ ଘଟଣାରେ ସତ୍ୟାସତ୍ୟ ଥିବା ନେଇ ରିପୋର୍ଟ ଦେଇଛନ୍ତି।

Related story