ଅପଦସ୍ତ ହେବା ପରେ ୪ ଜଣଙ୍କୁ ବାନ୍ଧିଲା ପୁଲିସ୍‌! ଏବେବି ମୁଖ୍ୟ ଅଭିଯୁକ୍ତ ଫେରାର୍‌

ପାଟଣାଗଡ(କରୁଣାକର ବୁଡ଼େକ): ଅପଦସ୍ତ ହେବା ପରେ ଚେଇଁ ଉଠିଲା ପାଟଣାଗଡ଼ ଥାନା ପୁଲିସ୍‌! ଅମୃତ କଳସ ସୁନା ଦୋକାନ ଲୁଟ୍‌ ମାମଲାରେ ୪ ଜଣଙ୍କୁ ଗିରଫ କରିଛି। ହେଲେ ଏପର୍ଯ୍ୟନ୍ତ ଲୁଟ୍‌ର ମାଷ୍ଟର ମାଇଁଣ୍ଡଙ୍କ ସମେତ ଆଉ ୪ ଅଭିଯୁକ୍ତ ଫେରାର ଅଛନ୍ତି। ସେମାନଙ୍କ ପାଖରେ ପହଞ୍ଚି ପାରିନି ପୁଲିସ୍‌। ଅଗଷ୍ଟ ୫ ତାରିଖ ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ସହରରେ ଥିବା ଅମୃତ କଳସ ସୁନା ଦୋକାନରୁ ଲୁଟ୍‌ ହୋଇଥିଲା। ଦିନ ଦି’ପହରରେ ୬ ଜଣ ଡକାୟତ […]

Patnagarh

  • Published: Tuesday, 16 August 2022
  • , Updated: 16 August 2022, 08:55 PM IST

ପାଟଣାଗଡ(କରୁଣାକର ବୁଡ଼େକ): ଅପଦସ୍ତ ହେବା ପରେ ଚେଇଁ ଉଠିଲା ପାଟଣାଗଡ଼ ଥାନା ପୁଲିସ୍‌! ଅମୃତ କଳସ ସୁନା ଦୋକାନ ଲୁଟ୍‌ ମାମଲାରେ ୪ ଜଣଙ୍କୁ ଗିରଫ କରିଛି। ହେଲେ ଏପର୍ଯ୍ୟନ୍ତ ଲୁଟ୍‌ର ମାଷ୍ଟର ମାଇଁଣ୍ଡଙ୍କ ସମେତ ଆଉ ୪ ଅଭିଯୁକ୍ତ ଫେରାର ଅଛନ୍ତି। ସେମାନଙ୍କ ପାଖରେ ପହଞ୍ଚି ପାରିନି ପୁଲିସ୍‌।

ଅଗଷ୍ଟ ୫ ତାରିଖ ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ସହରରେ ଥିବା ଅମୃତ କଳସ ସୁନା ଦୋକାନରୁ ଲୁଟ୍‌ ହୋଇଥିଲା। ଦିନ ଦି’ପହରରେ ୬ ଜଣ ଡକାୟତ ଗହଣା ଦୋକାନରେ ପଶି ମାଲିକ ମୁକେଶ ଜୈନଙ୍କୁ ଗନ୍ ପଏଣ୍ଟରେ ରଖି ପାଖାପାଖି ଦୁଇ କେଜି ସୁନା ଓ ୪୦ ହଜାର ଟଙ୍କା ଲୁଟି ନେଇଥିଲେ। ପୁଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇ ପାଟଣାଗଡ଼ ଥାନାଠାରୁ ମାତ୍ର ୨୦୦ ମିଟର ଦୂରରେ ଥିବା ଗହଣା ଦୋକାନରୁ ଲୁଟିନେଲେ ଡକାୟତ। ହେଲେ ପୁଲିସ ସେମାନଙ୍କ ପତ୍ତା ପାଉନଥିଲା। ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା।

ପାଟଣାଗଡ଼ ପୁଲିସ୍‌ର ଢ଼ିଲା ଆଇନ୍‌ ଶୃଙ୍ଖଳା ବ୍ୟବସ୍ଥା ବିରୋଧରେ ବିଭିନ୍ନ ସଙ୍ଗଠନ ବଲାଙ୍ଗିର ଏସ୍‌ପି, ପୁଲିସ୍‌ ଡିଜି ଓ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। ଯାହାକୁ ନେଇ ସାଧାରଣରେ ସମାଲୋଚନାର ଶିକାର ହୋଇଥିଲା ପୁଲିସ୍‌। ଅପଦସ୍ତ ହେବା ପରେ ପୁଲିସ୍‌ ଚାପରେ ଆସି ବିଭିନ୍ନ ସ୍ଥାନରେ ଚଢଉ କରି ୪ ଡକାୟତଙ୍କୁ ଗିରଫ କରିଛି। ତେବେ ମୁଖ୍ୟ ଅଭିଯୁକ୍ତ ସହ ୪ ଜଣ ଏବେ ସୁଦ୍ଧା ଫେରାର ଅଛନ୍ତି। ସେମାନେ ବାହାର ରାଜ୍ୟର ହୋଇଥିବା ପୁଲିସ କହିଛି।

ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ପାଟଣାଗଡ଼ ସମଲେଶ୍ୱର ଗାଁର ଶେଷଦେବ ବଗର୍ତ୍ତି, ରାମପୁରର ଆୱାଜ ମେହେର, ବରଗଡ଼ ଜିଲ୍ଲା ବିଜେପୁର ଅଞ୍ଚଳର ଚନ୍ଦ୍ର ଓରଫ ଚନ୍ଦ୍ରମଣି ମେହେର ଓ ସୁବର୍ଣ୍ଣପୁର ଜିଲ୍ଲା ଖୁଟପାଲି ଗ୍ରାମର ଅଲେଖ ବଢ଼େଇ। ପୁଲିସ୍‌ ସେମାନଙ୍କଠାରୁ ନଗଦ ୪୨ ହଜାର ୫୦୦ ଟଙ୍କା, ଡକାୟତିରେ ବ୍ୟବହୃତ ଦେଶୀ ବନ୍ଧୁକ, ଦୁଇଟି ୮ ଏମ୍‌ଏମ୍‌ ଜୀବନ୍ତ ଗୁଳି, ପଲସର ବାଇକ ଓ ଗହଣା ଦୋକାନୀଙ୍କଠାରୁ ଲୁଟି ନେଇଥିବା ସ୍ୟାମସଙ୍ଗ ମୋବାଇଲ ଫୋନ୍‌ ଜବତ କରିଛି। ଆଜି ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ପାଟଣାଗଡ଼ ଉପଖଣ୍ଡ ଆରକ୍ଷୀ ଅଧିକାରୀ ଜ୍ୟୋତିର୍ମୟ ଭୁକ୍ତା ସୂଚନା ଦେଇଛନ୍ତି।

Related story