ଭୟାନକ ହେଲାଣି ଗଞ୍ଜାମରେ କରୋନା ପରିସ୍ଥିତି: ନିରଞ୍ଜନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାର ଯେତେ ଯୋଜନା କରୁଛନ୍ତି ତାକୁ ଆନ୍ତରିକତା ସହ ପାଳନ କରୁନଥିବାରୁ ଓଡ଼ିଶାରେ କରୋନା ପରିସ୍ଥିତି ଅତି ଭୟାବହ ହେଲାଣି। ବିଶେଷକରି ଗଞ୍ଜାମ ଜିଲ୍ଲାରେ ପରିସ୍ଥିତି ଏବେ ଭୟାନକ ଅବସ୍ଥାରେ ପହଂଚିଲାଣି ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି। କରୋନା ମୁକାବିଲାକୁ ରାଜ୍ୟ ସରକାର ଉଦାସୀନତା ଓ କରୋନା ସଂକ୍ରମଣ ବୃଦ୍ଧିକୁ ନେଇ ଉଦବେଗ ବ୍ୟକ୍ତ କରି ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ରାଜ୍ୟରେ ସର୍ବାଧିକ ସଂକ୍ରମଣ ଓ ମୃତ୍ୟୁ ଗଞ୍ଜାମ […]

niranjan-750x430

niranjan-750x430

Manoranjan Sial
  • Published: Monday, 03 August 2020
  • , Updated: 03 August 2020, 08:35 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାର ଯେତେ ଯୋଜନା କରୁଛନ୍ତି ତାକୁ ଆନ୍ତରିକତା ସହ ପାଳନ କରୁନଥିବାରୁ ଓଡ଼ିଶାରେ କରୋନା ପରିସ୍ଥିତି ଅତି ଭୟାବହ ହେଲାଣି। ବିଶେଷକରି ଗଞ୍ଜାମ ଜିଲ୍ଲାରେ ପରିସ୍ଥିତି ଏବେ ଭୟାନକ ଅବସ୍ଥାରେ ପହଂଚିଲାଣି ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି।

କରୋନା ମୁକାବିଲାକୁ ରାଜ୍ୟ ସରକାର ଉଦାସୀନତା ଓ କରୋନା ସଂକ୍ରମଣ ବୃଦ୍ଧିକୁ ନେଇ ଉଦବେଗ ବ୍ୟକ୍ତ କରି ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ରାଜ୍ୟରେ ସର୍ବାଧିକ ସଂକ୍ରମଣ ଓ ମୃତ୍ୟୁ ଗଞ୍ଜାମ ଜିଲ୍ଲାରେ ଚିହ୍ନଟ ହୋଇଛନ୍ତି। ଏପର୍ଯ୍ୟନ୍ତ ୧୧ହଜାର ସଂକ୍ରମିତ ଚିହ୍ନଟ ଓ ୧୦୩ଜଣଙ୍କ ମୃତ୍ୟୁ ହୋଇଛନ୍ତି। ସର୍ଭେ ଓ ସଂକ୍ରମିତ ବ୍ୟକ୍ତିଙ୍କ ପରୀକ୍ଷା ଧିମେଇ ଯାଇଛି । ଆଣ୍ଟିଜେନ୍ ଓ ଆଣ୍ଟି ପିସିଆର ଟେଷ୍ଟ କରାଯାଉଛି। ଏହି ଟେଷ୍ଟ ରିପୋର୍ଟ ସଠିକ୍ ହେଉନି। ଟେଷ୍ଟ ପାଇଁ ମୋବାଇଲ୍ ଗାଡ଼ି ଅଛି । କିନ୍ତୁ ଗ୍ରାମାଂଚଳରେ ମୋବାଇଲ ଗାଡ଼ି ବୁଲୁନାହିଁ। ଟେଷ୍ଟ ବିଳମ୍ବ ହେଉଛି। ଏଣୁ ବହୁ ଲୋକ ଟେଷ୍ଟ ପୂର୍ବରୁ ଜ୍ୱରରେ ପୀଡ଼ିତ ହୋଇ କୋଭିଡ୍ ହସ୍ପିଟାଲ ଯିବା ପୂର୍ବରୁ ସେମାନଙ୍କର ମୃତ୍ୟୁ ହେଉଛି । ସେହିପରି କୋଭିଡ୍ ହସ୍ପିଟାଲଗୁଡ଼ିକରେ ରୋଗୀଙ୍କୁ ଉପଯୁକ୍ତ ଚିକିତ୍ସା ମିଳୁନି। କୋଭି ଫ୍ଲ୍ୟୁ ଇଞ୍ଜେକସନ ଆସିଛି କିନ୍ତୁ ରୋଗୀଙ୍କୁ ଦିଆଯାଉ ନାହିଁ। ବଜାରରେ ବିକ୍ରି ହୋଇଥିବା ଅଭିଯୋଗ ହେଉଛି। ରୋଗୀଙ୍କୁ ନିମ୍ନମାନର ଖାଦ୍ୟ ଦିଆଯାଉଛି। ସୁସ୍ଥ ହେବା ପୂର୍ବରୁ ରୋଗୀଙ୍କୁ ଡିସଚାର୍ଜ କରାଯାଉଛି। ଏଣୁ ଲୋକାଲ୍ ପଜେଟିଭ ସଂଖ୍ୟା ବଢ଼ୁଛି ।ଆମ୍ବୁଲାନ୍ସ ରୋଗୀଙ୍କୁ ହସ୍ପିଟାଲ ନେଉନି। ଜିଲ୍ଲାକୁ ୧୦୪ଟି ଆମ୍ବୁଲାନ୍ସ ମିଳିଥିବା ପ୍ରଶାସନ କହୁଛି । କିନ୍ତୁ ଲୋକଙ୍କୁ ସେବା ମିଳୁନି। ୧୩୦ଜଣ ଆୟୁଷ ଡାକ୍ତର ଡେପୁଟେସନରେ ଜିଲ୍ଲାକୁ ପଠାଯାଇଥିବା କୁହାଯାଉଛି। କନିଶି ନିକଟରେ ଅଶ୍ୱିନୀ ହସ୍ପିଟାଲ ସହାୟତାରେ ୧୫୦ବେଡ୍ ବିଶିଷ୍ଟ ଅମିତ୍ ହସ୍ପିଟାଲ କରୁଛି। କିନ୍ତୁ ସେଠାରେ କୌଣସି ଆନୁସଙ୍ଗିକ ବ୍ୟବସ୍ଥା ହୋଇନି।

ସେହିପରି ମୃତ୍ୟୁପରେ ପରିବାର ଲୋକଙ୍କୁ ଶବ ଦିଆଯାଉ ନାହିଁ। ଏପରିକି ମୃତ୍ୟୁର ଖବର ମଧ୍ୟ ପରିବାର ଲୋକ ପାଉନାହାନ୍ତି। ଦିନଦିନ ଧରି ଶବ ପଡ଼ି ରହୁଛି। ହିନ୍ଦୁ ପରମ୍ପରା ଅନୁସାରେ ଶବ ସତ୍କାର କରାଯାଉନି। ମାଟି ଖୋଳି ଗାତରେ ଶବ ପକାଇ କିରାସିନି ଢ଼ାଳି ନିଆଁ ଲଗାଇ ଦେଉଛନ୍ତି।

ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ଗଞ୍ଜାମକୁ ଏବେ ୨ଲକ୍ଷ ୨୦ହଜାର ପ୍ରବାସୀ ଫେରିଛନ୍ତି। ସେମାନଙ୍କୁ କାମ ଦେବେ ବୋଲି ସରକାର କହିଥିଲେ। ମନରେଗା ଯୋଜନାରେ କାମ କରିବାକୁ ଯୋଜନା ନିଆଯାଉଥିବା ଘୋଷଣା ହୋଇଛି। କିନ୍ତୁ ବାସ୍ତବ ସ୍ଥିତି ଭିନ୍ନ। କାମ ନମିଳିବାରୁ ପ୍ରବାସୀ ପୁଣି ଫେରିବା ଆରମ୍ଭ କଲେଣି। କ୍ୱାରେଣ୍ଟାଇନ କେନ୍ଦ୍ରରେ ରହି ଫେରିଥିବା ପ୍ରବାସୀଙ୍କୁ ୨ହଜାର ଟଙ୍କା ମିଳିନି। କେହି କେହି ହଜାରେ ଟଙ୍କା ପାଇଛନ୍ତି। ତେଣୁ ସରକାର ଆନ୍ତରିକତା ସହ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରି ଲୋକଙ୍କ ଜୀବନ ଓ ଜୀବିକା ବଂଚାଇବା ପାଇଁ ଉଦ୍ୟମ କରିବା ଦରକାର ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।

Related story