ନବରଙ୍ଗପୁର/ ବାଲେଶ୍ୱର/ ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଉତ୍ତର ଓଡ଼ିଶାର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ସହର ବାଲେଶ୍ୱର । ହେଲେ ଏଠି କେମିତି ବିରାଜମାନ କରୁଛି କିଟି କିଟି ଅନ୍ଧାର। ଦିନେ ଅଧେ ନୁହେଁ ଏହା ନିତି ଦିନିଆ ଦୃଶ୍ୟ । ଏଠାରେ ଏମିତି ନିଇତି ବିଦ୍ୟୁତ୍ତକାଟ ହେଉଥିବା ଅଭିଯୋଗ କରିଛନ୍ତି ସହରବାସୀ। କେବଳ ବାଲେଶ୍ୱର ନୁହେଁ ରାଜ୍ୟର ଅଧିକାଂସ ସହରରେ ଏଭଳି ସ୍ଥିତି । ନବରଙ୍ଗପୁର ସହରରେ ଘଣ୍ଟା ଘଣ୍ଟା ଧରି ଗୁଲ ହୋଇଯାଉଛି କରେଣ୍ଟ । ଏଭଳି ଅଘୋଷିତ ବିଦ୍ୟୁତ୍କାଟ ନେଇ ଅତିଷ୍ଟ ହୋଇପଡିଲେଣି ସହରବାସୀ। କାଉନ୍ସିଲ୍ ଫର ଏନର୍ଜି, ଏନ୍ଭାୟର୍ଣ୍ଣମେଣ୍ଟ ଆଣ୍ଡ ଓ୍ୱାଟର ପକ୍ଷରୁ କରାଯାଇଥିବା ସର୍ଭେ ରିପୋର୍ଟ ଅନୁସାରେ ବିଦ୍ୟୁତ୍କାଟ କ୍ଷେତ୍ରରେ ଦେଶରେ ବିହାର ପଛକୁ ଦ୍ୱିତୀୟ ସ୍ଥାନରେ ରହିଛି ଓଡିଶା। ରାଜ୍ୟର ୮୫ ପ୍ରତିଶତରୁ ଅଧିକ ପରିବାର ପାୱାର କଟ୍ ସମସ୍ୟାର ସମ୍ମୁଖୀନ ହେଉଥିବା ଏଥିରେ କୁହାଯାଇଛି। ତେବେ ରାଜ୍ୟରେ ବିଦ୍ୟୁତ୍ ବିତରଣ ଦାୟିତ୍ୱ ପାଇଥିବା ଟାଟା ପାୱାର କର୍ତ୍ତୃପକ୍ଷଙ୍କ କହିବା କଥା ମରାମତି କାମ ଚାଲିଛି।
ସରକାରୀ ତଥ୍ୟ ଅନୁସାରେ ବିଦ୍ୟୁତ୍ ଉତ୍ପାଦନ କ୍ଷେତ୍ରରେ ଓଡ଼ିଶା ବଳକା ରାଜ୍ୟ । ଓଇଆରସିର ତଥ୍ୟ ଅନୁସାରେ ରାଜ୍ୟରେ ବାର୍ଷିକ ୩୫ ହଜାର ମିଲିୟନ ୟୁନିଟ ବଦ୍ୟୁତ୍ ଉତ୍ପାଦନ ହେଉଥିବା ବେଳେ ଖର୍ଚ୍ଚ ୨୮ ହଜାର ମିଲିୟନ୍ ୟୁନିଟ । ଅର୍ଥାତ୍ ବଳକା ବିଦ୍ୟୁତ୍କୁ ଅନ୍ୟ ରାଜ୍ୟକୁ ବିକ୍ରି କରୁଛନ୍ତି ରାଜ୍ୟ ସରକାର । ଏହାସତ୍ତ୍ୱେ ରାଜ୍ୟର ଖାଉଟି ଅନ୍ୟ ରାଜ୍ୟ ତୁଳନାରେ କାହିଁକି ଅଧିକ ଦରରେ ବିଦ୍ୟୁତ୍ କିଣିବେ ତାକୁ ନେଇ ଉଠିଛି ପ୍ରଶ୍ନ। ପ୍ରତି ଶହେ ୟୁନିଟ୍ ପିଛା ଓଡ଼ିଶାର ବିଦ୍ୟୁତ୍ ଉପଭୋକ୍ତାଙ୍କୁ ୩୭୪ ଟଙ୍କା ଦେବାକୁ ପଡୁଛି।
ହେଲେ ଗୋଆରେ ୧୮୦ ଟଙ୍କା ଦେବାକୁ ପଡୁଥିବା ବେଳେ ଆନ୍ଧ୍ରରେ ୨୦୮, ଗୁଜରାଟରେ ୩୨୫, ଛତିଶଗଡ଼ରେ ପ୍ରଥମ ଶହେ ୟୁନିଟ୍ ବିଦ୍ୟୁତର ଦର ରହିଛି ୩୬୭ ଟଙ୍କା। ଏଭଳି ସ୍ଥିତିରେ ଓଡ଼ିଶାରେ ଉଚ୍ଚା ବିଦ୍ୟୁତ୍ ଦରକୁ ନେଇ ରାଜ୍ୟ ସରକାରଙ୍କ ଅବହେଳା ଓ ପରିଚାଳନାଗତ ତ୍ରୁଟିକୁ ଦାୟୀ କରିଛନ୍ତି ବିଶେଷଜ୍ଞ। ବିଦ୍ୟୁତ୍ ସେବା ଘରୋଇ କରଣ କ୍ଷେତ୍ରରେ ଓଡିଶା ଦେଶରେ ଏକ ନମ୍ବର ରାଜ୍ୟ । ତେବେ ରାଜ୍ୟବାସୀ ବିଦ୍ୟୁତ୍ ସଂସ୍କାରର ଲାଭ କେବେ ପାଉଛନ୍ତି ଏବେ ତାକୁ ଅପେକ୍ଷା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।