ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଭିନ୍ନ ସରକାରୀ ଯୋଜନାର ଦୁରୂପଯୋଗ ରୋକିବା ସହ ଯୋଗ୍ୟ ହିତାଧିକାରୀଙ୍କୁ ସୁଫଳ ଦେବା ନିମନ୍ତେ ‘ଆଧାର ଲିଙ୍କ୍ ’ ବ୍ୟବସ୍ଥା ପାଇଁ ରାଜ୍ୟ ଅର୍ଥ ବିଭାଗର ପ୍ରୟାସକୁ ଶକ୍ତ ଧକ୍କା ଲାଗିଛି। ସମସ୍ତ କେନ୍ଦ୍ରୀୟ ଓ ରାଜ୍ୟ ଯୋଜନାଗୁଡ଼ିକର ହିତାଧିକାରୀଙ୍କ ଆଧାର ନମ୍ବର ସଂଗ୍ରହ କରି ସେଗୁଡ଼ିକୁ ଲିଙ୍କ୍ କରିବା ନିମନ୍ତେ ଅର୍ଥ ବିଭାଗ ବାରମ୍ବାର ତାଗିଦ୍ କରିବା ସତ୍ତ୍ୱେ ବିଭାଗଗୁଡ଼ିକ ଏହାକୁ ଗୁରୁତ୍ୱ ଦେଉନାହାନ୍ତି। ମାତ୍ର ୩ଟି ବିଭାଗକୁ ଛାଡ଼ିଲେ ଅନ୍ୟ କୌଣସି ବିଭାଗ ଏପର୍ଯ୍ୟନ୍ତ ଆଧାର ଆଇନ-୨୦୧୬ର ଧାରା-୭ ଅନ୍ତର୍ଗତ ବିଜ୍ଞପ୍ତି ଜାରି କରିବାରେ ସକ୍ଷମ ହୋଇନାହାନ୍ତି। ଏପରିକି ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ଜୁଲାଇ ୬ତାରିଖରେ ସାମାଜିକ ପଞ୍ଜିକାର କ୍ଷମତାପ୍ରାପ୍ତ କମିଟି ବୈଠକରେ ଯୋଜନାର ହିତାଧିକାରୀମାନଙ୍କ ‘ଆଧାର ଲିଙ୍କ୍ ’କାର୍ଯ୍ୟକୁ ଅଗଷ୍ଟ ୧୫ତାରିଖ ସୁଦ୍ଧା ସାରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା।
କିନ୍ତୁ ଏବେସୁଦ୍ଧା ଉଚ୍ଚଶିକ୍ଷା, ଖାଦ୍ୟଯୋଗାଣ ଓ ଅନୁସୂଚିତ ଜାତି ଓ ଜନଜାତି ବିଭାଗକୁ ବାଦ୍ ଦେଲେ ଅନ୍ୟ କୌଣସି ବିଭାଗ ଏହି ଆଧାର ଲିଙ୍କ୍ କରାଇବାରେ ସକ୍ଷମ ହୋଇନାହାନ୍ତି। ଯାହାକି ପରୋକ୍ଷରେ ଜାଲ୍ ହିତାଧିକାରୀ ଓ ଅଯୋଗ୍ୟ ଲୋକଙ୍କୁ କୋଟି କୋଟି ଟଙ୍କାର ସରକାରୀ ଅର୍ଥକୁ ହଡ଼ପ କରିବା ନିମନ୍ତେ ପ୍ରୋତ୍ସାହିତ କରୁଛି।
ମିଳିଥିବା ସୂଚନା ଅନୁସାରେ, ଅର୍ଥ ସଚିବ ଅଶୋକ କୁମାର ମୀନା ଚଳିତବର୍ଷ ମେ’ ପହିଲା, ଜୁଲାଇ ପହିଲା ଓ ଜୁଲାଇ ୨୯ତାରିଖରେ ବିଭାଗଗୁଡ଼ିକୁ ଚିଠି ଲେଖି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଯୋଜନାଗୁଡ଼ିକର ହିତାଧିକାରୀଙ୍କ ଆଧାର ଲିଙ୍କ୍ ସମ୍ପୂର୍ଣ୍ଣ କରିବାର ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇଥିଲେ। ଆଧାର ଲିଙ୍କ୍ କରାଗଲେ କୌଣସି ପ୍ରକାରର ଲିକେଜ୍ ରହିବ ନାହିଁ ଓ ନିର୍ଦ୍ଧାରିତ ବର୍ଗଙ୍କୁ ସେହି ଯୋଜନାର ସୁବିଧା ମିଳିପାରିବ ବୋଲି କହିଥିଲେ। ଏହି କାରଣରୁ ବିଭାଗଗୁଡ଼ିକ ଆଧାର ଆଇନ-୨୦୧୬ର ଧାରା ୭ ଅନୁସାରେ ବିଜ୍ଞପ୍ତି ଜାରି କରିବା ବାଧ୍ୟତାମୂଳକ। ଏ ସମ୍ପର୍କରେ ଅନେକଥର ରିମାଇଣ୍ଡର ପୂର୍ବରୁ ବିଭାଗଗୁଡ଼ିକ ପଠାଯାଇଛି। କିନ୍ତୁ ୩ଟି ବିଭାଗକୁ ଛାଡ଼ିଲେ କୌଣସି ବିଭାଗ ମଧ୍ୟ ଏଭଳି ବିଜ୍ଞପ୍ତି ଜାରି କରିନାହାନ୍ତି। ଯଦିଓ ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଅଗଷ୍ଟ ୧୫ତାରିଖ ସୁଦ୍ଧା ଆଧାର ଆକ୍ଟ ଅନୁସାରେ ବିଭାଗଗୁଡ଼ିକୁ ବିଜ୍ଞପ୍ତି ଜାରି କରିବେ ବୋଲି ନିଷ୍ପତ୍ତି ହୋଇଥିଲା।
ଉଲ୍ଲେଖଯୋଗ୍ୟ, ଏବେ ରାଜ୍ୟ ସରକାରଙ୍କ ପ୍ରାୟ ୬୦ଟି ଯୋଜନା ଓ କେନ୍ଦ୍ର ସରକାରଙ୍କ ୬୧ଟି ଯୋଜନା କାର୍ଯ୍ୟକାରୀ ହେଉଛି। ରାଜ୍ୟ ସରକାରଙ୍କ ମୋଟ ଯୋଜନା ମଧ୍ୟରୁ କେବଳ ୧୭ଟି ଯୋଜନା ୨୦୧୮ ମସିହାରେ ଘୋଷଣା ଓ କାର୍ଯ୍ୟକାରୀ ହୋଇଛି। ରାଜ୍ୟ ସରକାରଙ୍କ ନିଜସ୍ୱ ଖାଦ୍ୟ ଯୋଜନାରେ ୨୫ଲକ୍ଷ ହିତାଧିକାରୀଙ୍କ ସମେତ ଜାତୀୟ ଖାଦ୍ୟ ସୁରକ୍ଷାରେ ୩.୧୬କୋଟି ଲୋକ ସାମିଲ ହୋଇଥିଲେ। ତେବେ ଗତବର୍ଷ ଆଧାର ଲିଙ୍କ ପରେ ପ୍ରାୟ ୧୯ଲକ୍ଷ ଅଯୋଗ୍ୟ ହିତାଧିକାରୀଙ୍କୁ ବାଦ୍ ଦିଆଯାଇଥିଲା। ଅନ୍ୟ ଯୋଜନାଗୁଡ଼ିକରେ ଆଧାର ଲିଙ୍କ୍ ହେଲେ ଅଯୋଗ୍ୟ ହିତାଧିକାରୀମାନେ ବାଦ୍ ପଡ଼ିବାର ଯଥେଷ୍ଟ ଆଶଙ୍କା ରହିଛି। କିନ୍ତୁ ବିଭାଗଗୁଡ଼ିକ ସହଯୋଗ କରୁନଥିବାରୁ ରାଜ୍ୟ ରାଜକୋଷରୁ କୋଟି କୋଟି ଟଙ୍କା ଏବେ ଅଯୋଗ୍ୟ ହିତାଧିକାରୀମାନଙ୍କ ପିଛାରେ ଖର୍ଚ୍ଚ ହେଉଥିବା ଚର୍ଚ୍ଚା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।