ମୁକୁଳା ପଡ଼ିଛି ନଦୀବନ୍ଧ, ଲୋକେ ଛାନିଆ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଆରମ୍ଭ ହୋଇଯାଇଛି ମୌସୁମୀ ବର୍ଷା। ଅଧିକ ବର୍ଷିଲେ ନଈ ଫୁଲିବ ଓ ଧନ ଜୀବନ ହାନି ଘଟାଇବ। ତେଣୁ ଯେଉଁ ସବୁ ସ୍ଥାନରେ ନଦୀବନ୍ଧ ଦୁର୍ବଳ ଅଛି ବା ମୁକୁଳା ପଡ଼ିଛି, ସେଠାକାର ଲୋକଙ୍କ ନିଦ ହଜି ଗଲାଣି। କିଛି ସ୍ଥାନରେ ବନ୍ୟା ରୋକିବାକୁ ବନ୍ଧରେ ପଥର ପ୍ୟାକିଂ କାମ ଚାଲିଛି। ତେବେ ଯେଭଳି ଢଙ୍ଗରେ କାମ ହେଉଛି ତାକୁ ନେଇ ଖୁସି ନାହାନ୍ତି ନଈକୂଳିଆ ଲୋକେ। ଯାଜପୁର ଜିଲ୍ଲା କୋରେଇ ବ୍ଲକର […]

flood1

Tapaswini Nayak
  • Published: Saturday, 06 July 2019
  • , Updated: 06 July 2019, 07:45 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଆରମ୍ଭ ହୋଇଯାଇଛି ମୌସୁମୀ ବର୍ଷା। ଅଧିକ ବର୍ଷିଲେ ନଈ ଫୁଲିବ ଓ ଧନ ଜୀବନ ହାନି ଘଟାଇବ। ତେଣୁ ଯେଉଁ ସବୁ ସ୍ଥାନରେ ନଦୀବନ୍ଧ ଦୁର୍ବଳ ଅଛି ବା ମୁକୁଳା ପଡ଼ିଛି, ସେଠାକାର ଲୋକଙ୍କ ନିଦ ହଜି ଗଲାଣି। କିଛି ସ୍ଥାନରେ ବନ୍ୟା ରୋକିବାକୁ ବନ୍ଧରେ ପଥର ପ୍ୟାକିଂ କାମ ଚାଲିଛି। ତେବେ ଯେଭଳି ଢଙ୍ଗରେ କାମ ହେଉଛି ତାକୁ ନେଇ ଖୁସି ନାହାନ୍ତି ନଈକୂଳିଆ ଲୋକେ।

ଯାଜପୁର ଜିଲ୍ଲା କୋରେଇ ବ୍ଲକର ଅଧିକାଂଶ ଗାଁ ବୈତରଣୀ କୂଳରେ ରହିଛି। ମୌସୁମୀ ବର୍ଷା ଆରମ୍ଭ ହେବା ପରେ ନଦୀ କୂଳିଆ ଗାଁ ଲୋକେ ଏବେ ଭୟଭୀତ ଅବସ୍ଥାରେ ଅଛନ୍ତି। କାରଣ ନଦୀରେ ସାମାନ୍ୟ ବନ୍ୟା ଜଳ ଆସିଲେ ମଥୁରାପୁର, ମୁକୁନ୍ଦପୁର ସହ ପାଖ ଆଖ ୧୩ଟି ଗାଁ ଜଳବନ୍ଦୀ ହୋଇପଡ଼ନ୍ତି। ସବୁଠି ନଦୀ ବନ୍ଧ ମୁକୁଳା ପଡ଼ିଛି। ତା’ସହ ବଢ଼ି ପାଣି ରୋକିବାକୁ ଯେଉଁ କିଛି ସ୍ଥାନରେ ପଥର ପ୍ୟାକିଂ ହୋଇଛି ତା’ ବି ସମୁଦ୍ରକୁ ଶଙ୍ଖେ ଭଳି ଲାଗୁଛି। ତେବେ ବନ୍ୟା ବେଳେ ଯେପରି ଲୋକେ ବିଚ୍ଛିନ୍ନ ନହୁଅନ୍ତି, ସେଥିପାଇଁ ୨୦୧୧ ମସିହାରେ ମଥୁରାପୁର ନିକଟରେ ଏକ ସେତୁ ନିର୍ମାଣ ହୋଇଥିଲା। ହେଲେ ଉଦ୍‌ଘାଟନର ୫ବର୍ଷ ପରେ ମଧ୍ୟ ଏଯାଏ ଏହାର ସଂଯୋଗୀକରଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇପାରିନି। ତେଣେ ନଈ ମଧ୍ୟ କୂଳ ଖାଇ ଖାଇ ଚାଲିଛି। ନଈକୁ ଡ଼ରି ବିପଦପୂର୍ଣ୍ଣ ଅବସ୍ଥାରେ ଜୀବନ କାଟୁଥିବା ଲୋକଙ୍କ କଥା କେହି ଶୁଣୁନଥିବା ଅଭିଯୋଗ ହେଉଥିବା ବେଳେ ଜିଲ୍ଲାପାଳ କହିଛନ୍ତି ସେତୁ କାମ ଶୀଘ୍ର ସାରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଠିକ୍‌ ସେମିତି ଚିତ୍ର ବାଲେଶ୍ୱର ଜିଲ୍ଲା ବସ୍ତାରେ ଦେଖିବାକୁ ମିଳିଛି। ଜଳକା ନଦୀର ମଥାନୀ ପାଖରେ ବନ୍ଧ ଦୁର୍ବଳ ଥିବାରୁ ଜଳସେଚନ ବିଭାଗ ପକ୍ଷରୁ ପଥର ପ୍ୟାକିଂ କାମ ଚାଲଛି। ହେଲେ କାମକୁ ନେଇ କିନ୍ତୁ ଆଦୌ ସନ୍ତୁଷ୍ଟ ନାହାନ୍ତି ଆଖପାଖ ଗାଁର ଲୋକେ। କାରଣ କଂକ୍ରିଟ ପରିବର୍ତ୍ତେ ମାଟିରେ ବନ୍ଧ ପ୍ୟାକିଂ କରାଯାଉଥିବାରୁ ବନ୍ୟା ଆସିଲେ ଏସବୁ କେମିତି ତିଷ୍ଠିବ ବୋଲି ଓଲଟା ପ୍ରଶ୍ନ କରିଛନ୍ତି ଗାଁ ଲୋକେ। ପ୍ରତିବର୍ଷ ଜଳକାରେ ବଢ଼ି ଆସିଲେ ମଥାନୀ, କୁଡ଼ଇା, ବାହାର୍ଦ୍ଦା ଆଦି ଗାଁ ସହ ସଦର ବ୍ଲକର ରସୁଲପୁର ଓ ଶ୍ରୀରାମପୁର ପଞ୍ଚାୟତର ୫୦ଟି ଗାଁ ପ୍ରଭାବିତ ହୋଇଥାଏ। କିନ୍ତୁ ଜଳ ସେଚନ ବିଭାଗର ମାଟିରେ ବନ୍ଧ ପ୍ୟାକିଂକୁ ଗାଁ ଲୋକେ ନାପସନ୍ଦ କରିଛନ୍ତି।

ଗୋଟିଏ ପଟେ ବର୍ଷା ଓ ସମ୍ଭାବ୍ୟ ବନ୍ୟା ଯୋଗୁ ନଈ କୂଳିଆ ଗାଁର ଲୋକଙ୍କ ନିଦ ହଜିଯାଇଥିବା ବେଳେ ଏଣେ କିନ୍ତୁ ଜଳସଂପଦ ମନ୍ତ୍ରୀ ରଘୁନନ୍ଦନ ଦାସ କହିଛନ୍ତି, କେଉଁଠି ବି ନଦୀବନ୍ଧ ଦୁର୍ବଳ ନାହିଁ।

Related story