ଚାନ୍ଦବାଲି (ବାସୁଦେବ ଦାସ): କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ଓ ତାଙ୍କ ସାଥୀ ବାହାଘର ଶୁଟିଂ ସାରି ଫେରୁଥିବା ବେଳେ ବିଚ୍ ରାସ୍ତାରେ ଅଟକାଇଲେ ଶର୍ମିଷ୍ଠା ରାଉତ୍। ସେଠାରେ ତାଙ୍କୁ ମେମୋରୀ ଚିପ୍ ବିଷୟରେ ପଚାରିଥିଲେ। ଏହା ପରେ ମାନସଙ୍କୁ ଦୁଇ ଚାପୁଡ଼ା ମାରି ସାଥୀରେ ନେଇଯାଇଥିଲେ ଶର୍ମିଷ୍ଠା ରାଉତ। ଜଣେ ପ୍ରତ୍ୟକ୍ଷଦର୍ଶୀ ଆଜି ଗଣମାଧ୍ୟମ ଆଗରେ ଏହା କହିଛନ୍ତି। ଗୁରୁବାର ମାଜିଷ୍ଟ୍ରେଟ୍ଙ୍କ ଉପସ୍ଥିତିରେ ତାଙ୍କର ବୟାନ୍ ରେକର୍ଡ କରିଛି ପୁଲିସ୍।
ପ୍ରତ୍ୟକ୍ଷଦର୍ଶୀ ସ୍ୱାଧୀକାର ନ୍ୟୁଜ ରିପୋର୍ଟର ଶରତ ପଣ୍ଡାଙ୍କ କହିବା ଅନୁସାରେ ୬ ତାରିଖ ରାତି ପ୍ରାୟ ସାଢ଼େ ୧୦ଟା ବେଳେ ସେ ଦିଗଛିଆ ମାର୍କେଟରେ ବୁଲୁଥିଲେ। ଠିକ୍ ସେହି ସମୟରେ ପ୍ରେସ୍ ଲେଖାଯାଇଥିବା ଗୋଟିଏ କାର୍ ଆସି ତାଙ୍କ ପାଖରେ ଅଟକିଥିଲା। ବାହାଘର ହେଉଥିବା ପଳାଶପୁର ଗାଁକୁ ଯିବା ପାଇଁ ରାସ୍ତା ବିଷୟରେ ତାଙ୍କୁ ପଚାରିଥିଲେ। ବିଶେଷ କିଛି ଧ୍ୟାନ ନଦେଇ ଶରତ ପଣ୍ଡା ପଳାଶପୁର ଗାଁକୁ ଯିବା ପାଇଁ ରାସ୍ତା ବତାଇ ଦେଇଥିଲେ। ଏହା ପରେ କାର୍ ଭିତରେ ବସିଥିବା ଜଣେ ମହିଳା ନିଜକୁ ‘ସମ୍ପୂର୍ଣ୍ଣା’ ନ୍ୟୁଜ୍ର ମାଲିକାଣୀ ଶର୍ମିଷ୍ଠା ରାଉତ ବୋଲି ପରିଚୟ ଦେଇଥିଲେ। କାର୍ ଭିତରେ ଦୁଇ ଜଣ ମହିଳା ଓ ୩ ଜଣ ପୁରୁଷ ଥିଲେ ବୋଲି ଶରତ କହିଛନ୍ତି।
ଅଧିକ ପଢ଼ନ୍ତୁ: ମାନସ ହତ୍ୟା ପଛରେ ମେମୋରୀ ଚିପ୍ ଓ ୱେବ୍ ପୋର୍ଟାଲ୍ ମାଲିକାଣୀ!
ଶରତଙ୍କ କହିବା ଅନୁସାରେ ତା’ପର ଦିନ ଅର୍ଥାତ ୭ ତାରିଖ ସକାଳେ ତାଙ୍କ ପାଖକୁ ଏକ ଫୋନ୍ କଲ ଆସିଥିଲା। ଫୋନ୍ କରିଥିବା ମହିଳା ଶର୍ମିଷ୍ଠା ବୋଲି କହିଥିଲେ। ସେ (ଶର୍ମିଷ୍ଠା) କହିଥିଲେ, ପଳାଶପୁରରେ ବିବାହ ସୁଟିଂ କରୁଥିବା ଜଣେ ପିଲା ଆମ ମେମୋରୀ ଚିପ୍ ନେଇଯାଇଛି। ତା’ଠାରୁ ମେମୋରୀ ଚିପ୍ ନେବା ପାଇଁ ଆମେ ଯାଉଛୁ, ଆପଣ ଟିକେ ଆସନ୍ତୁ। ଏହା ପରେ ଶରତ ଆସିଥିଲେ। ହେଲେ ସେ ପହଞ୍ଚିବା ପୂର୍ବରୁ ଚାନ୍ଦବାଲି-ପଳାସପୁର ରାସ୍ତାରେ ମାନସ ସ୍ୱାଇଁ ଓ ତାଙ୍କ ସାଥୀରେ ଦେବାଶିଷ ଜେନାଙ୍କୁ ଶର୍ମିଷ୍ଠା ଏବଂ ତାଙ୍କ ସହଯୋଗୀମାନେ ଅଟକାଇ ଥିଲେ। ମାନସଙ୍କୁ ଶର୍ମିଷ୍ଠା ମେମୋରୀ ଚିପ୍ ବିଷୟରେ ପଚାରିଥିଲେ। ମାତ୍ର ମୋମୋରୀ ଚିପ୍ ବିଷୟରେ କିଛି ଜାଣିନାହିଁ ବୋଲି ମାନସ କହିଥିଲେ। ଏହା ପରେ ମାନସଙ୍କ ଗାଲକୁ ଦୁଇ ଚାପୁଡ଼ା ମାରିଥିଲେ ଶର୍ମିଷ୍ଠା। ତା’ପରେ ସେମାନେ ମାନସଙ୍କୁ ନେଇ ଯାଇଥିଲେ ବୋଲି ଶରତ ଆଜି ଓଡ଼ିଶା ରିପୋର୍ଟରକୁ କହିଛନ୍ତି। ଗୁରୁବାର ମାଜିଷ୍ଟ୍ରଟ୍ଙ୍କ ଉପସ୍ଥିତିରେ ଶରତ ପଣ୍ଡା ଓ ଦେବାଶିଷ ଜେନାଙ୍କ ବୟାନ୍ ରେକର୍ଡ କରିଛି ପୁଲିସ୍।
ସେପଟେ ଶର୍ମିଷ୍ଠା ଓ ତାଙ୍କ ସହଯୋଗୀ ମାନସଙ୍କୁ ଭୁବନେଶ୍ୱର ନେଇ ଆସିଥିଲେ। ରାତିସାରା ତାକୁ ଏଠାରି ନିର୍ଧୁମ ଛେଚି ଥିଲେ। ମାଡ଼ ମାରିବା ବେଳେ ମାନସଙ୍କ ମୃତ୍ୟୁ ଘଟିଥିଲା। ତା’ପରେ ମୃତଦେହକୁ ନୟାଗଡ଼ ଜିଲ୍ଲା ରାଜସୁନାଖଳା ନିକଟସ୍ଥ ବଧିପାଟଣା ପାହାଡ଼ ତଳେ ପୋତି ଦେଇଥିଲେ। ପରିବାର ଲୋକଙ୍କ ଅଭିଯୋଗ କ୍ରମେ ଚାନ୍ଦବାଲି ପୁଲିସ୍ ଭାଗ୍ୟଧର ନାୟକ, ବିବେକ ନାୟକ ଓ ମୋହରିର କୃଷ୍ଣଚନ୍ଦ୍ର ନାୟକଙ୍କୁ ଗିରଫ କରିଛି। ଏବେ ମଧ୍ୟ ଶର୍ମିଷ୍ଠାଙ୍କ ସମେତ ୩ ଜଣ ଫେରାର ଅଛନ୍ତି। ପୁଲିସ୍ ସେମାନଙ୍କ ଟେର ପାଉନି।
ମିଳିଥିବା ସୂଚନା ଅନୁସାରେ ଶର୍ମିଷ୍ଠା ଓ ତାଙ୍କ ସାଥୀମାନେ ଓଡ଼ିଶା ବାହାରକୁ ଚାଲି ଯାଇଛନ୍ତି। ସେମାନଙ୍କୁ ଧରିବା ପାଇଁ ଭଦ୍ରକ ପୁଲିସ୍ ଏବେ ରାଜ୍ୟ ବାହାରକୁ ଯାଇଥିବା ଜଣାପଡ଼ିଛି।