ପିପିଲି ଉପନିର୍ବାଚନ: ମାତ୍ର ୭ଦିନ ହେବ ପ୍ରଚାର, ସଭାରେ ସର୍ବାଧିକ ହଜାରେ ଲୋକ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନାର ତୃତୀୟ ପର୍ଯ୍ୟାୟ ଲହରକୁ ନେଇ ଆଶଙ୍କାରେ ରାଜ୍ୟବାସୀ ଥିବାବେଳେ ପିପିଲି ଉପନିର୍ବାଚନ ପାଇଁ କାର୍ଯ୍ୟସୂଚୀ ଘୋଷଣା ହୋଇଛି। ପିପିଲି ଉପନିର୍ବାଚନରେ ସର୍ବାଧିକ ୭ଦିନ ପ୍ରଚାର ହେବ ଓ ଭୋଟଗ୍ରହଣର ୭୨ଘଣ୍ଟା ପୂର୍ବରୁ ପ୍ରଚାର କାର୍ଯ୍ୟ ଶେଷ ହେବ ବୋଲି ନିର୍ବାଚନ କମିଶନ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଏହାସହିତ ନିର୍ବାଚନୀ ସଭାରେ ସର୍ବାଧିକ ହଜାରେ ଲୋକ ଏକଜୁଟ ହେବାର ଅନୁମତି ମିଳିବ। ନିର୍ବାଚନ କମିଶନଙ୍କ ଦ୍ୱାରା ଜାରି ଗାଇଡଲାଇନ୍ ଅନୁସାରେ ସେପ୍ଟେମ୍ବର ୨୦ତାରିଖ ପରଠୁ […]

pipili

pipili

Ordigital Desk
  • Published: Saturday, 04 September 2021
  • Updated: 04 September 2021, 09:16 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନାର ତୃତୀୟ ପର୍ଯ୍ୟାୟ ଲହରକୁ ନେଇ ଆଶଙ୍କାରେ ରାଜ୍ୟବାସୀ ଥିବାବେଳେ ପିପିଲି ଉପନିର୍ବାଚନ ପାଇଁ କାର୍ଯ୍ୟସୂଚୀ ଘୋଷଣା ହୋଇଛି। ପିପିଲି ଉପନିର୍ବାଚନରେ ସର୍ବାଧିକ ୭ଦିନ ପ୍ରଚାର ହେବ ଓ ଭୋଟଗ୍ରହଣର ୭୨ଘଣ୍ଟା ପୂର୍ବରୁ ପ୍ରଚାର କାର୍ଯ୍ୟ ଶେଷ ହେବ ବୋଲି ନିର୍ବାଚନ କମିଶନ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଏହାସହିତ ନିର୍ବାଚନୀ ସଭାରେ ସର୍ବାଧିକ ହଜାରେ ଲୋକ ଏକଜୁଟ ହେବାର ଅନୁମତି ମିଳିବ।

ନିର୍ବାଚନ କମିଶନଙ୍କ ଦ୍ୱାରା ଜାରି ଗାଇଡଲାଇନ୍ ଅନୁସାରେ ସେପ୍ଟେମ୍ବର ୨୦ତାରିଖ ପରଠୁ ନିର୍ବାଚନ ପ୍ରଚାର କରିବା ପାଇଁ ରାଜନୀତିକ ଦଳଗୁଡ଼ିକୁ ଅନୁମତି ଦିଆଯିବ। ଭୋଟଗ୍ରହଣ ୩୦ତାରିଖରେ ହେବାର ଥିବାରୁ ଏହାର ୭୨ଘଣ୍ଟା ପୂର୍ବରୁ ଅର୍ଥାତ ୨୭ତାରିଖ ସନ୍ଧ୍ୟାରେ ପ୍ରଚାର କାର୍ଯ୍ୟ ଶେଷ ହେବ। ଚଳିତ ଉପନିର୍ବାଚନରେ ପ୍ରଚାର ପାଇଁ କୌଣସି ପ୍ରକାରର ରୋଡ୍ ଶୋ, ମୋଟର ବାଇକ୍ ର‌୍ୟାଲିକୁ ଅନୁମତି ମିଳିବ ନାହିଁ। କୋଭିଡ୍ ଗାଇଡଲାଇନ ମଧ୍ୟରେ ରାସ୍ତାକଡ଼ ସଭା ପାଇଁ ସର୍ବାଧକ ୫୦ଜଣ ଲୋକଙ୍କୁ ଅନୁମତି ଦିଆଯିବ। କୌଣସି ହଲ୍ ଅବା ଘର ଭିତରେ ସଭା କରାଗଲେ ଉକ୍ତ ଘରର ସିଟିଂ କ୍ଷମତାର ସର୍ବାଧିକ ୩୦ ପ୍ରତିଶତ ଅବା ୨୦୦ ଲୋକ(ଯାହା କମ୍ ହେବ)ଙ୍କୁ ଏକଜୁଟ କରାଇବାକୁ ଅନୁମତି ମିଳିବ। ଏଥିପାଇଁ ଏକ ରେଜିଷ୍ଟରରେ ସମସ୍ତଙ୍କ ନାମ ଉଲ୍ଲେଖ ରହିବ ।

ସେହିପରି ଷ୍ଟାର କ୍ୟାମ୍ପେନରଙ୍କ ସଭାରେ ସର୍ବାଧିକ ଏକହଜାର ଲୋକ ଏବଂ ଅନ୍ୟମାନଙ୍କ ପାଇଁ ପଡ଼ିଆର ୫୦ ପ୍ରତିଶତ କ୍ଷମତା ଅବା ୫୦୦ଜଣଙ୍କୁ ଏକଜୁଟ ହେବାର ଅନୁମତି ମିଳିବ। ପଞ୍ଜିକୃତ ଜାତୀୟ ଓ ରାଜ୍ୟସ୍ତରୀୟ ଦଳଗୁଡ଼ିକର ଷ୍ଟାର କ୍ୟାମ୍ପେନରଙ୍କ ସଂଖ୍ୟା ୨୦ ଏବଂ ଅନ୍ୟ ଅଣପଞ୍ଜିକୃତ ରାଜନୀତିକ ଦଳଗୁଡ଼ିକ ସର୍ବାଧିକ ୧୫ଜଣ ଷ୍ଟାର କ୍ୟାମ୍ପେନରଙ୍କୁ ନେଇ ପ୍ରଚାର କରିପାରିବେ। ଡୋରଟୁଡୋର କ୍ୟାମ୍ପେନର ପାଇଁ ପ୍ରାର୍ଥୀଙ୍କୁ ମିଶାଇ ସର୍ବାଧିକ ୫ଜଣ ଯାଇପାରିବେ । ଷ୍ଟାର କ୍ୟାମ୍ପେନରଙ୍କୁ ବାଦ୍ ଦେଇ ଜଣେ ପ୍ରାର୍ଥୀ ଅବା ଦଳକୁ ସର୍ବାଧିକ ୨୦ଟି ଗାଡ଼ି (୫୦% କ୍ଷମତା ସହ)ଉପଯୋଗ ପାଇଁ ଅନୁମତି ମିଳିବ। କୌଣସି ପ୍ରାର୍ଥୀ କିମ୍ବା ଦଳ ଯଦି କୋଭିଡ୍ ଗାଇଡଲାଇନ ଉଲ୍ଲଘଂନ କରି ନିର୍ବାଚନ ପ୍ରଚାର କରନ୍ତି, ତା’ହେଲେ ସେମାନଙ୍କୁ ପରବର୍ତ୍ତୀ ସମୟରେ ଆଉ ର‌୍ୟାଲି ଓ ସଭା ନିମନ୍ତେ ଅନୁମତି ଦିଆଯିବ ନାହିଁ। ଯଦି କୌଣସି ଷ୍ଟାର କ୍ୟାମ୍ପେନର ଏହି ଗାଇଡଲାଇନ ଉଲ୍ଲଘଂନ କରନ୍ତି ତାଙ୍କୁ ମଧ୍ୟ ସମ୍ପୃକ୍ତ ନିର୍ବାଚନମଣ୍ଡଳୀରେ ପ୍ରଚାର କରିବାର ସୁଯୋଗ ମିଳିବ ନାହିଁ । ମୁଖ୍ୟ ସଚିବ ଓ ପୁଲିସ ଡିଜି ତଥା ଜିଲ୍ଲାସ୍ତରର ଅଧିକାରୀମାନେ କୋଭିଡ୍ ଗାଇଡଲାଇନ୍ ମଧ୍ୟରେ ନିର୍ବାଚନ ପ୍ରଚାରର ପରିଚାଳନା, ତଦାରଖ ନିମନ୍ତେ ଉତ୍ତରଦାୟୀ ରହିବେ । ନିର୍ବାଚନ ପରିଚାଳନାରେ ସମ୍ପୃକ୍ତ ଥିବା ସମସ୍ତ କର୍ମଚାରୀ ନିଶ୍ଚିତ ଭାବେ ଦୁଇ ଡୋଜ୍ ଟିକା ନେଇଥିବା ଆବଶ୍ୟକ । ସେହିପରି ପ୍ରାର୍ଥୀ, ନିର୍ବାଚନ ଏଜେଣ୍ଟ, ପୁଲିଂ ଏଜେଣ୍ଟ, କାଉଣ୍ଟିଂ ଏଜେଣ୍ଟ, ଡ୍ରାଇଭର ଆଦି ସମସ୍ତେ, ଯେକେହି ଲୋକ ଅବା ନିର୍ବାଚନ ଅଧିକାରୀଙ୍କ ସଂସ୍ପର୍ଶରେ ଆସିବେ ସେମାନେ ଡବଲ ଡୋଜ୍ ଟିକା ନେବା ଜରୁରୀ। ପ୍ରତ୍ୟେକ ପୁଲିଂ ଷ୍ଟେସନରେ ଜଣେ ଲେଖାଏଁ ସ୍ୱାସ୍ଥ୍ୟକର୍ମୀଙ୍କୁ କୋଭିଡ୍ ନୋଡାଲ ଅଫିସର ଭାବେ ନିଯୁକ୍ତି ଦିଆଯିବ।

ସୂଚନାଯୋଗ୍ୟ, ସେପ୍ଟେମ୍ବର ୩୦ତାରିଖରେ ପିପିଲି ଉପନିର୍ବାଚନ ପାଇଁ ଭୋଟଗ୍ରହଣ ହେବ ଓ ଅକ୍ଟୋବର ୩ତାରିଖରେ ଗଣତି ହେବ। ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ମୃତ୍ୟୁ ଯୋଗୁ ସେଠାରେ ଉପନିର୍ବାଚନ ହେଉଛି। ସେଠାରେ ୨୦୨୧ ମେ’ ୧୬ତାରିଖରେ ଭୋଟଗ୍ରହଣ ହେବାର ଥିଲା, କିନ୍ତୁ କରୋନାର ଦ୍ୱିତୀୟ ପର୍ଯ୍ୟାୟ ମହାମାରୀ ପାଇଁ ତାହା ସ୍ଥଗିତ ରହିଥିଲା। ମଇଦାନରେ କଂଗ୍ରେସ,ବିଜେପି ଓ ବିଜେଡି ପ୍ରାର୍ଥୀଙ୍କ ସମେତ ମୋଟ ୧୦ଜଣଙ୍କ ପ୍ରାର୍ଥୀପତ୍ର କାଏମ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos