ଜଙ୍ଗଲରେ +୩ ଛାତ୍ରୀଙ୍କୁ ଗଣଦୁଷ୍କର୍ମ, ରାତି ଅଧିଆ ୩ ଯୁବକଙ୍କୁ ଉଠାଇ ନେଲା ପୁଲିସ୍‌

ବାରିପଦା (ମାଣିକଲାଲ୍‌ ପାଣି): ବୟଫ୍ରେଣ୍ଡଙ୍କୁ ମାଡ଼ ମାରି + ୩ରେ ପଢ଼ୁଥିବା ପ୍ରେମିକାଙ୍କୁ ଜଙ୍ଗଲ ଭିତରକୁ ଉଠାଇ ନେଲେ ତିନି ଯୁବକ। ପରେ ସେଠାରେ ତାଙ୍କୁ ଜଣେ ପରେ ଜଣେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ବିଜୟାଦଶମୀରେ ଏପରି ଘଟଣା ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅଞ୍ଚଳରେ ଘଟିଛି। ଏନେଇ ଅଭିଯୋଗ ହେବା ପରେ ପୁଲିସ ୩ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ପୂରା ଘଟଣାଟି ଏମିତି। ଶୁକ୍ରବାର ସନ୍ଧ୍ୟା ବେଳେ + ୩ରେ ପଢ଼ୁଥିବା ଛାତ୍ରୀ ଜଣକ ନିଜର ବୟଫ୍ରେଣ୍ଡ(ଇଞ୍ଜିନିୟରିଂ ଛାତ୍ର) ସହ ବାଇକ୍‌ରେ ବାଲେଶ୍ୱରରୁ ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଅଭିମୁଖେ ଆସୁଥିଲେ। ତେବେ ସେମାନେ କଳମା ଛକ ନିକଟରେ ଅଟକି ଥିଲେ। ଠିକ୍‌ ଏହି ସମୟରେ ବାଙ୍କତିରା ଗାଁର ତିନି ଜଣ ଯୁବକ ବାଇକ୍‌ରେ ଆସି ସେମାନଙ୍କ ପାଖରେ ଅଟକି ଥିଲେ। ପରେ ଛାତ୍ରୀଙ୍କ ବୟଫ୍ରେଣ୍ଡଙ୍କୁ ନିସ୍ତୁକ ପିଟିଥିଲେ। ତା’ପରେ ଛାତ୍ରୀଙ୍କୁ ଜଙ୍ଗଲ ଭିତରକୁ ଟେକି ନେଇଥିଲେ। ସେଠାରେ ତାଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି।

ସୌଭାଗ୍ୟକୁ ବୈଶିଙ୍ଗା ଥାନା ପୁଲିସ ସେହି ରାସ୍ତାରେ ପାଟ୍ରୋଲିଂ କରୁଥିଲା। ମାଡ଼ ଖାଇଥିବା ଯୁବକ(ଯୁବତୀଙ୍କ ବୟଫ୍ରେଣ୍ଡ) ପୁଲିସ ଗାଡ଼ି ଅଟକାଇ ପୂରା ଘଟଣା କହିଥିଲେ। ଏହା ପରେ ପୁଲିସ ଜଙ୍ଗଲ ଭିତରକୁ ଯାଇ ଯୁବତୀଙ୍କୁ ଉଦ୍ଧାର କରିବା ସହିତ ଗୋଟିଏ ମନିପର୍ସ ଓ ଅଭିଯୁକ୍ତଙ୍କ ବାଇକ୍‌ ଜବତ କରିଥିଲା।

ପୁଲିସ ମନିପର୍ସ ଓ ବାଇକ୍‌ର ଆର୍‌ଟିଆଇ ତଥ୍ୟକୁ ଆଧାର କରି ରାତି ଅଧିଆ ଗାଙ୍କତିରା ଗାଁରେ ପହଞ୍ଚିଥିଲା। ପରେ ୩ ଅଭିଯୁକ୍ତଙ୍କୁ ଘରୁ ଉଠାଇ ଆଣିଥିଲା। ସେମାନଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି। ସେପଟେ ପୁଲିସ୍‌ ଗଣ ଦୁଷ୍କର୍ମରେ ଶିକାର ହୋଇଥିବା ଛାତ୍ରୀଙ୍କୁ ମଧ୍ୟ ଡାକ୍ତରୀ ମାଇନା କରିଛି।

ଏହା ପୂର୍ବରୁ ରରୁଆଁ ଥାନା ଅଞ୍ଚଳରେ ଘଟିଥିଲା ଏକ ଲୋମଟାଙ୍କୁରା ଘଟଣା। ହାଟରୁ ଫେରୁଥିବା ଜଣେ ମହିଳାଙ୍କୁ ଲିଫ୍‌ଟ ଦେବା ବାହାନାରେ ଦୁଇ ଯୁବକ ଗଣ ଦୁଷ୍କର୍ମ କରିଥିଲେ। ପରେ ତାଙ୍କ ଗୁପ୍ତାଙ୍ଗରେ ବାଡ଼ି ପୂରାଇ ଦେଇଥିବା ଅଭିଯୋଗ ହୋଇଥିଲା। ଏହି ଘଟଣାକୁ ୨୪ ଘଣ୍ଟାରୁ ଅଧିକ ସମୟ ବିତି ଥିଲେ ମଧ୍ୟ ପୁଲିସ ଅଭିଯୁକ୍ତଙ୍କୁ ଧରିପାରି ନାହିଁ।

 

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।