କୋଠାଘର ମାଲିକଙ୍କୁ ପିଏମ ଆବାସ : ପୁରୁଣା ଦୋକାନ ଘର ଦେଖାଇ ନେଇଗଲେ ଟଙ୍କା

ଜଳେଶ୍ୱର (ଅଜିତ ଦାସ): ଗରିବଙ୍କୁ ମିଳୁନି ଘର। ସେଥିପାଇଁ ଖୋଲା ଆକାଶ ତଳେ ମୁଣ୍ଡ ଗୁଞ୍ଜୁଛନ୍ତି ଗରିବ। ହେଲେ ଏଠି ଥିଲାବାଲାଙ୍କୁ ମିଳିଛି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର। ଚଞ୍ଚକତା କରି ଘର ହାତେଇଥିଲେ ଜଣେ ଥିଲାବାଲା। ଏପରି ଅଭିଯୋଗ ଆସିଛି ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଅଞ୍ଚଳରୁ। ଲାଭାର୍ଥୀ ଜଣକ ଆବାସ ଯୋଜନାରେ ଘର ନକରି ପୁରୁଣା ଘର ଦେଖାଇ ଟଙ୍କା ଉଠାଇ ନେଇଛନ୍ତି। ଏନେଇ ଅଭିଯୋଗ ହେବା ପରେ ଜିଲ୍ଲାପାଳ ଘଟଣାର ତଦନ୍ତ ପାଇଁ ବିଡିଓଙ୍କୁ […]

Jaleswar

  • Published: Saturday, 22 October 2022
  • , Updated: 22 October 2022, 09:08 PM IST

ଜଳେଶ୍ୱର (ଅଜିତ ଦାସ): ଗରିବଙ୍କୁ ମିଳୁନି ଘର। ସେଥିପାଇଁ ଖୋଲା ଆକାଶ ତଳେ ମୁଣ୍ଡ ଗୁଞ୍ଜୁଛନ୍ତି ଗରିବ। ହେଲେ ଏଠି ଥିଲାବାଲାଙ୍କୁ ମିଳିଛି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର। ଚଞ୍ଚକତା କରି ଘର ହାତେଇଥିଲେ ଜଣେ ଥିଲାବାଲା। ଏପରି ଅଭିଯୋଗ ଆସିଛି ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଅଞ୍ଚଳରୁ। ଲାଭାର୍ଥୀ ଜଣକ ଆବାସ ଯୋଜନାରେ ଘର ନକରି ପୁରୁଣା ଘର ଦେଖାଇ ଟଙ୍କା ଉଠାଇ ନେଇଛନ୍ତି। ଏନେଇ ଅଭିଯୋଗ ହେବା ପରେ ଜିଲ୍ଲାପାଳ ଘଟଣାର ତଦନ୍ତ ପାଇଁ ବିଡିଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଭୋଗରାଇ ବ୍ଲକ୍‌ ନହରା ପଞ୍ଚାୟତର କାନପୁର ଗାଁର ଗଣେଶ ତ୍ରିପାଠୀ ଜଣେ ଥିଲାବାଲା। ଦୁଇ ମହଲା ବିଶିଷ୍ଟ ଘର ଅଛି। ଦୁଇ ପୁଅ ମାୟାନଗରୀ ମୁମ୍ୱାଇରେ ବିଜ୍‌ନେସ୍‌ କରୁଛନ୍ତି। ଏହା ସତ୍ତ୍ୱେ ଗଣେଶ ତ୍ରିପାଠୀ ନିଜ ପତ୍ନୀ ପଦ୍ମାବତୀ ତ୍ରିପାଠୀଙ୍କ ନାଁରେ ଚଞ୍ଚକତା କରି ହାତେଇଛନ୍ତି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର। ଖାଲି ଘର ହାତେଇ ନାହାନ୍ତି, କାରସାଦି କରି ଟଙ୍କା ମଧ୍ୟ ଉଠାଇ ନେଇଛନ୍ତି। ହେଲେ ଘର ତିଆରି କରିନାହାନ୍ତି। ଜିଆର୍‌ଏସ୍‌ଙ୍କୁ ହାତ କରି ରାସ୍ତା କଡ଼ରେ ଥିବା ନିଜର ତିନି କୋଠରୀ ବିଶିଷ୍ଟ ଘରର ଫଟୋ ଦେଖାଇ ଲକ୍ଷେ ୨୦ ହଜାର ଟଙ୍କା ଉଠାଇଥିବା ଅଭିଯୋଗ ହୋଇଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପୋର୍ଟାଲ୍‌ରୁ ଏପରି ଚାଞ୍ଚଲ୍ୟକର ତଥ୍ୟ ମିଳିଛି। ଏହା ପରେ ଖୋଳତାଡ୍‌ ଆରମ୍ଭ ହୋଇଛି।

ଆବାସ ଯୋଜନା ହାତେଇଥିବା ଗଣେଶ ତ୍ରିପାଠୀଙ୍କୁ ଏ ସମ୍ପର୍କରେ ପଚାରିବାରୁ ସେ କହିଛନ୍ତି, ମୁଁ କିଛି ଜାଣିନାହିଁ। ଆମର ହେଇଥିଲା। କିନ୍ତୁ ଟଙ୍କା ଆସିଛି କି ନାହିଁ ମୁଁ ଜାଣିନାହିଁ। ସ୍ତ୍ରୀ ପଦ୍ମାବତୀଙ୍କୁ ପଚାରିଲେ ଜଣାପଡ଼ିବ ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି।

ମିଳିଥିବା ସୂଚନା ଅନୁସାରେ ଘର ନିର୍ମାଣ ପାଇଁ ପଦ୍ମାବତୀ ତ୍ରିପାଠୀଙ୍କୁ ୨୦୨୦ ମସିହା ଅଗଷ୍ଟ ୧୫ ତାରିଖରେ କାର୍ଯ୍ୟାଦେଶ ସହ ୨୦ ହଜାର ଟଙ୍କା ମିଳିଥିଲା। ଦ୍ୱିତୀୟ କିସ୍ତି ବାବଦକୁ ୩୦ ହଜାର ଟଙ୍କା ୨୦୨୧ ମସିହା ଫେବ୍ରୁଆରୀ ୪ ତାରିଖରେ ମିଳିଥିଲା। ଦୁଇ ମହଲା ବିଶିଷ୍ଟ ଘର ଥିବା ସତ୍ତ୍ୱେ ଜଣେ ବ୍ୟକ୍ତି ଆବାସ ଯୋଜନାରେ ଘର ପାଇଥିବା ନେଇ ସ୍ଥାନୀୟ ଲୋକ ପୂର୍ବତନ ସରପଞ୍ଚ ଓ ବିଡିଓଙ୍କ ପାଖରେ ଅଭିଯୋଗ କରିଥିଲେ। ଏହା ପରେ କାମ ବନ୍ଦ କରି ଦିଆଯାଇଥିଲା। ପରବର୍ତ୍ତୀ ସମୟରେ ଅର୍ଥାତ ନୂଆ ସରପଞ୍ଚ ଆସିବା ପରେ ଜିଆର୍‌ଏସ୍‌ କାରସାଦି କରି ସମ୍ପୂର୍ଣ୍ଣ ବିଲ୍‌ କରିଦେଲେ। ଇତିମଧ୍ୟରେ ସମ୍ପୂର୍ଣ୍ଣ ବିଲ୍‌ ଉଠାଇ ନେଇଛନ୍ତି ଗଣେଶ ତ୍ରିପାଠୀ।

ତେବେ ଏନେଇ ଜିଆର୍‌ଏସ୍‌ ମାନସ ଜେନାଙ୍କ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ। ପୂର୍ବତନ ସରପଞ୍ଚ ମଧ୍ୟ ବିଲ୍‌ ବନ୍ଦ କରି ଥିବା କଥା ସ୍ୱୀକାର କରିଛନ୍ତି।

ଏନେଇ ବାଲେଶ୍ୱର ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଧେଙ୍କୁ ପଚାରିବାରୁ ସେ କହିଛନ୍ତି, ଅଭିଯୋଗ ସମ୍ପର୍କରେ ଆଜି ଜାଣିବାକୁ ପାଇଲି। ଘଟଣାର ତଦନ୍ତ ପାଇଁ ବିଡିଓଙ୍କୁ ନିର୍ଦ୍ଦେଶ ଦେଇଛି। କିଛି ଅନିୟମିତତା ହୋଇଥିଲେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି।

Related story