କରୋନାରେ ଓଡ଼ିଶା ପୁଲିସ୍ ସର୍ବାଧିକ କ୍ଷତିଗ୍ରସ୍ତ: ୬୮୨୯ ସଂକ୍ରମିତ, ୩୩ ମୃତ

ଭୁବନେଶ୍ୱର(ପ୍ରକାଶ ସେଠୀ) : କରୋନା ମହାମାରୀ ନିୟନ୍ତ୍ରଣ କାର୍ଯ୍ୟରେ କୋଭିଡ୍ ଯୋଦ୍ଧା ଭାବେ ନିୟୋଜିତ ହୋଇ ରାଜ୍ୟର ମୋଟ ୬୬ଜଣ ସରକାରୀ କର୍ମଚାରୀ ପ୍ରାଣ ହରାଇଥିବାବେଳେ ସର୍ବାଧିକ କ୍ଷତିଗ୍ରସ୍ତ ଓଡ଼ିଶା ପୁଲିସ୍ ହୋଇଛି। କରୋନା ବିରୁଦ୍ଧ ଲଢ଼େଇରେ ଓଡ଼ିଶା ପୁଲିସ୍ ନିଜର ୩୩ଜଣ ସଦସ୍ୟଙ୍କୁ ହରାଇଥିବାବେଳେ ଏପର୍ଯ୍ୟନ୍ତ ସେମାନଙ୍କ ମଧ୍ୟରୁ କାହାରି ପରିବାରକୁ ବି ରାଜ୍ୟ ସରକାରଙ୍କ ଘୋଷଣା ଅନୁରୂପ ୫୦ଲକ୍ଷ ଟଙ୍କାର ଅନୁକମ୍ପା ରାଶି ମିଳିନଥିବା ଜଣାପଡ଼ିଛି। ଗୃହ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ […]

police

Tapas Behera
  • Published: Thursday, 08 October 2020
  • , Updated: 08 October 2020, 07:02 PM IST

ଭୁବନେଶ୍ୱର(ପ୍ରକାଶ ସେଠୀ) : କରୋନା ମହାମାରୀ ନିୟନ୍ତ୍ରଣ କାର୍ଯ୍ୟରେ କୋଭିଡ୍ ଯୋଦ୍ଧା ଭାବେ ନିୟୋଜିତ ହୋଇ ରାଜ୍ୟର ମୋଟ ୬୬ଜଣ ସରକାରୀ କର୍ମଚାରୀ ପ୍ରାଣ ହରାଇଥିବାବେଳେ ସର୍ବାଧିକ କ୍ଷତିଗ୍ରସ୍ତ ଓଡ଼ିଶା ପୁଲିସ୍ ହୋଇଛି। କରୋନା ବିରୁଦ୍ଧ ଲଢ଼େଇରେ ଓଡ଼ିଶା ପୁଲିସ୍ ନିଜର ୩୩ଜଣ ସଦସ୍ୟଙ୍କୁ ହରାଇଥିବାବେଳେ ଏପର୍ଯ୍ୟନ୍ତ ସେମାନଙ୍କ ମଧ୍ୟରୁ କାହାରି ପରିବାରକୁ ବି ରାଜ୍ୟ ସରକାରଙ୍କ ଘୋଷଣା ଅନୁରୂପ ୫୦ଲକ୍ଷ ଟଙ୍କାର ଅନୁକମ୍ପା ରାଶି ମିଳିନଥିବା ଜଣାପଡ଼ିଛି।

ଗୃହ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ସେପ୍ଟେମ୍ବର ୩୦ତାରିଖ ସୁଦ୍ଧା ରାଜ୍ୟରେ ମୋଟ ୬୮୨୯ଜଣ ପୁଲିସ୍ କର୍ମଚାରୀ(ସବୁ ବର୍ଗର) କରୋନା ସଂକ୍ରମିତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୬ଜଣ ଦ୍ୱିତୀୟ ଶ୍ରେଣୀ, ୨୬ଜଣ ତୃତୀୟ ଓ ଜଣେ ଚତୁର୍ଥ ଶ୍ରେଣୀ ପୁଲିସ୍ କର୍ମଚାରୀ ଅଛନ୍ତି । ଓଡ଼ିଶା ପୁଲିସ୍ ଜୁଲାଇ ୧୧ ତାରିଖରେ ଗଞ୍ଜାମରେ ନିୟୋଜିତ ଗୋଲକ ନାୟକ(କନେଷ୍ଟବଳ)ଙ୍କୁ ପ୍ରଥମ ସଦସ୍ୟ ଭାବେ କରୋନାରେ ହରାଇଥିଲା।

ରାଜ୍ୟର ସମସ୍ତ କୋଭିଡ୍ ଯୋଦ୍ଧାଙ୍କୁ ଶହୀଦର ମାନ୍ୟତା ସହ ସେମାନଙ୍କ ପରିବାରକୁ ୫୦ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏପ୍ରିଲ ୨୦ତାରିଖରେ ଭିଡିଓ ସନ୍ଦେଶ ମାଧ୍ୟମରେ ଘୋଷଣା କରିଥିଲେ।

ପୁଲିସ୍ ଡିଜି ଅଭୟ ମଧ୍ୟ ପରବର୍ତ୍ତୀ ସମୟରେ ଏକ ବୈଠକ କରି କରୋନାରେ ପ୍ରାଣ ହରାଉଥିବା କୋଭିଡ୍ ଯୋଦ୍ଧା(ପୁଲିସ କର୍ମଚାରୀ)ଙ୍କ ଉତ୍ତରାଧିକାରୀଙ୍କୁ ରାଜ୍ୟ ସରକାରଙ୍କ ଘୋଷଣା ଅନୁରୂପ ୫୦ଲକ୍ଷ ଟଙ୍କା ପ୍ରଦାନ କରାଯିବ ବୋଲି ନିଷ୍ପତ୍ତି ନେଇଥିଲେ। ତା’ଛଡ଼ା ଅର୍ଥ ବିଭାଗ ମଧ୍ୟ ଏକ ସଂକଳ୍ପ ମାଧ୍ୟମରେ ମୃତ କର୍ମଚାରୀ ପାଉଥିବା ଦରମାକୁ ତାଙ୍କ ଚାକିରି ଅବଧିର ଶେଷ ପର୍ଯ୍ୟପ୍ତ ତଥା ସ୍ୱତନ୍ତ୍ର ପରିବାର ପେନସନ୍ ଦେବା ନିମନ୍ତେ ନିଷ୍ପତ୍ତି ନେଇଥିଲେ।

କିନ୍ତୁ ରାଜ୍ୟ ସରକାର କୋଭିଡରେ ମୃତ ପୁଲିସ୍ କର୍ମଚାରୀଙ୍କ ଉତ୍ତରାଧିକାରୀଙ୍କୁ ୫୦ଲକ୍ଷ ଟଙ୍କାର ସହାୟତା ଏପ୍ରିଲ ୨୨ତାରିଖରେ ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗର ନିର୍ଦ୍ଦେଶନାମା ଅନୁସାରେ ପ୍ରଦାନ ନକରି କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ବୀମା ଯୋଜନାରୁ ୫୦ଲକ୍ଷ ଟଙ୍କାର ଆର୍ଥିକ ସହାୟତାକୁ ଅପେକ୍ଷା କରି ରହିଛନ୍ତି।

କରୋନା ନିୟନ୍ତ୍ରଣରେ ନିୟୋଜିତ ହୋଇ ପ୍ରାଣ ହରାଇଥିବା ସରକାରୀ କର୍ମଚାରୀମାନଙ୍କ ପରିବାରକୁ ତୁରନ୍ତ ସହାୟତା ଜରୁରୀ ହୋଇ ପଡ଼ିଥିବାବେଳେ କେନ୍ଦ୍ର ସରକାରଙ୍କଠୁ ବୀମା କ୍ଷତିପୂରଣ ମିଳିବାକୁ ନେଇ ଅପେକ୍ଷା କରିବା ଏବେ ମୃତ କୋଭିଡ୍ ଯୋଦ୍ଧାଙ୍କ ପରିବାର ପାଇଁ ଅସହ୍ୟ ହୋଇଛି। ଯାହାକୁ ରାଜ୍ୟ ସରକାର ନିଜେ ହୃଦୟଙ୍ଗମ କରିବାର ଆବଶ୍ୟକତା ମଧ୍ୟ ରହିଛି।
ସୂଚନାଯୋଗ୍ୟ, କରୋନା ବିରୁଦ୍ଧରେ ଲଢ଼େଇରେ ଏପର୍ଯ୍ୟନ୍ତ ମୋଟ ୬୬ଜଣ କୋଭିଡ୍ ଯୋଦ୍ଧା ପ୍ରାଣ ହରାଇଛନ୍ତି। ସେମାନଙ୍କ ମଧ୍ୟରେ ଡାକ୍ତର,ନର୍ସ,ସ୍ୱାସ୍ଥ୍ୟକର୍ମୀ, ପୁଲିସ, ସଫେଇ କର୍ମଚାରୀ, ଅଗ୍ନିଶମ ବିଭାଗ କର୍ମଚାରୀ ଓ ରାଜ୍ୟ ପ୍ରଶାସନିକ ଅଫିସରମାନେ ସାମିଲ ଅଛନ୍ତି।

Related story