କୋରାପୁଟ (ସୂର୍ଯ୍ୟ ପଣ୍ଡା): ରାତିରେ ଜଙ୍ଗଲ ଭିତରେ ଚାଲିଥିଲା ଜୁଆ ଖେଳ। ଆଉ ଏ ସମ୍ପର୍କରେ ପୁଲିସ ଜାଣିପାରି ଚଢ଼ଉ କଲା। ୧୪ ଅଭିଯୁକ୍ତଙ୍କୁ ମାଡ଼ି ବସିଲା। ଅନ୍ଧକାରର ସୁଯୋଗ ନେଇ ଅନେକ ଖସି ପଳାଇଥିବା ଅଭିଯୋଗ ହୋଇଛି। ଏପରି ଅଭିଯୋଗ କୋରାପୁଟ ଜିଲ୍ଲାରୁ ଆସିଛି।
ବୁଧବାର ସନ୍ଧ୍ୟା ୬ଟା ବେଳେ ଦାମନଯୋଡି ଥାନା କୁଡୁମୁଲ ଗ୍ରାମ ନିକଟସ୍ଥ ଜଙ୍ଗଲରେ ଲାଗିଥିଲା ଯୁବ ଗୋଷ୍ଠୀଙ୍କ ଭିଡ୍। ପାହାଡ ଉପରେ ଜଳୁଥିଲା ଲାଇଟ୍। ଆଉ ତା’ ତଳେ ଚାଲିଥିଲା ଜୁଆ ଖେଳ। ସମସ୍ତେ ମାତିଥିଲେ ଏହି ଖେଳରେ। କୌଣସି ସୂତ୍ରରୁ ଖବର ପାଇ ରାତି ପ୍ରାୟ ୧୧ଟା ବେଳେ ପୁଲିସ ପାହାଡ଼ରେ ପହଞ୍ଚିଥିଲା। ସେତେବେଳେ ସମସ୍ତେ ଜୁଆ ଖେଳରେ ମସ୍ଗୁଲ ଥିଲେ। ଆଉ ଏହାର ସୁଯୋଗ ନେଇ ପୁଲିସ ଚଢ଼ଉ କରି ୧୪ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ଆହୁରି ଅନେକ ଅଭିଯୁକ୍ତ ଘଞ୍ଚ ଜଙ୍ଗଲ ଭିତରେ ଫେରାର ହୋଇଯାଇଛି। ପୁଲିସ ଘଟଣା ସ୍ଥଳରୁ ଲକ୍ଷେ ୮୯ ହଜାର ୮୭୦ ଟଙ୍କା ଜବତ କରିଛି। ତେବେ କେତେଦିନ ଧରି ସେଠାରେ ଜୁଆ ଖେଳ ଚାଲି ଥିଲା ଓ ଏହାର ମାଷ୍ଟର ମାଇଣ୍ଡ କିଏ? ସେ ସମ୍ପର୍କରେ ଜାଣିବା ପାଇଁ ପୁଲିସ ଅଭିଯୁକ୍ତଙ୍କୁ ଜେରା କରୁଛି। ତଦନ୍ତରେ ବ୍ୟାଘାତ ହେବା ଆଶଙ୍କା କରି ପୁଲିସ ଅଭିଯୁକ୍ତଙ୍କ ନାମ ପ୍ରକାଶ କରିନାହିଁ।
ପୂର୍ବରୁ ଜୟପୁର ସଦର ଥାନା ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ କରି ବହୁ ଜୁଆଡ଼ି ଓ ଟଙ୍କା ଜବତ କରିଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।