ଦୁଇ ଘଣ୍ଟା ଧରି ଚାଲିଲା ଚୋର ପୁଲିସ୍‌ ଲୁଚକାଳି

ବଲାଙ୍ଗିର (ଘଟେଶ୍ୱର ମିଶ୍ର): ଆଗେ ଆଗେ ଲୁଟେରା, ପଛେ ପଛେ ପୁଲିସ୍‌। ଦୁଇ ଘଣ୍ଟାରୁ ଅଧିକ ସମୟ ଧରି ଚାଲିଲା ଗୋଡ଼ା ଗୋଡ଼ି ଖେଳ। ଶେଷରେ ଦୁଇ ଲୁଟେରାଙ୍କୁ ଘେରିଯାଇ ମାଡ଼ିବସିଲା ପୁଲିସ୍‌। ଆଜି ମଧ୍ୟାହ୍ନରେ ଏପରି ଲୁଚକାଳି ଖେଳ ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଥାନା ଅଞ୍ଚଳରେ ଘଟିଛି। ସୋମବାର ମଧ୍ୟାହ୍ନରେ ପାଢେଲ ଗାଁର ସର୍ବେଶ୍ୱର ପଟେଲ ପାଟଣାଗଡ ଷ୍ଟେଟ ବ୍ୟାଙ୍କରୁ ୫ ଲକ୍ଷ ଟଙ୍କା ଉଠାଇ ଥିଲେ। ସେହି ଟଙ୍କା ଧରି ସେ ନିକଟସ୍ଥ କପଡା […]

Loot

  • Published: Monday, 07 November 2022
  • , Updated: 07 November 2022, 06:03 PM IST

ବଲାଙ୍ଗିର (ଘଟେଶ୍ୱର ମିଶ୍ର): ଆଗେ ଆଗେ ଲୁଟେରା, ପଛେ ପଛେ ପୁଲିସ୍‌। ଦୁଇ ଘଣ୍ଟାରୁ ଅଧିକ ସମୟ ଧରି ଚାଲିଲା ଗୋଡ଼ା ଗୋଡ଼ି ଖେଳ। ଶେଷରେ ଦୁଇ ଲୁଟେରାଙ୍କୁ ଘେରିଯାଇ ମାଡ଼ିବସିଲା ପୁଲିସ୍‌। ଆଜି ମଧ୍ୟାହ୍ନରେ ଏପରି ଲୁଚକାଳି ଖେଳ ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଥାନା ଅଞ୍ଚଳରେ ଘଟିଛି।

ସୋମବାର ମଧ୍ୟାହ୍ନରେ ପାଢେଲ ଗାଁର ସର୍ବେଶ୍ୱର ପଟେଲ ପାଟଣାଗଡ ଷ୍ଟେଟ ବ୍ୟାଙ୍କରୁ ୫ ଲକ୍ଷ ଟଙ୍କା ଉଠାଇ ଥିଲେ। ସେହି ଟଙ୍କା ଧରି ସେ ନିକଟସ୍ଥ କପଡା ଦୋକାନକୁ ଯାଉଥିଲେ। ଠିକ୍‌ ସେହି ସମୟରେ ପଲ୍‌ସର୍‌ରେ ଦୁଇ ଜଣ ଆସି ଟଙ୍କା ବ୍ୟାଗ ଧରି ବଲାଙ୍ଗିର ଅଭିମୁଖେ ଚମ୍ପଟ ମାରୁଥିଲେ। ସ୍ଥାନୀୟ ଶ୍ରୀ ପଟେଲ୍‌ଙ୍କୁ ଉଦ୍ଧାର କରିବା ସହିତ ପାଟଣାଗଡ ଥାନାକୁ ଖବର ଦେଇଥିଲେ। ଥାନା ଅଧିକାରୀ ଓ ତାଙ୍କ ଟିମ୍‌ ଲୁଟେରାଙ୍କୁ ପିଛା କରିଥିଲେ।

ପାଟଣାଗଡ଼ ଥାନା ପୁଲିସ୍‌ ଏନେଇ ଆଖପାଖ ଥାନାକୁ ଖବର ଦେଇଥିଲା। ଏହା ପରେ ସବୁ ଥାନା ସତର୍କ ହୋଇ ଯାଇଥିଲେ। ଲୁଟେରାଙ୍କୁ କାବୁ କରିବା ପାଇଁ ବାହାରି ପଡ଼ିଥିଲେ। ଆଗେ ଆଗେ ଲୁଟେରା ଓ ପଛେ ପଛେ ପୁଲିସ୍‌। ଅନ୍ୟପକ୍ଷରୁ ଏସ୍‌ଡିପିଓ ତୋଫାନ୍‌ ବାଗ ସଦଳବଳେ ବଲାଙ୍ଗିର ପାର୍ଶ୍ୱରୁ ଆସୁଥିଲେ। ଝାଙ୍କରପାଲିଠାରେ ଲୁଟେରା ଓ ଏସ୍‌ଡିପିଓ ମୁହାଁମୁହିଁ ହୋଇଥିଲେ। କିନ୍ତୁ ଲୁଟେରାମାନେ ଏସ୍‌ଡିପିଓଙ୍କୁ ଧକ୍କା ମାରି ଫେରାର ହେବାକୁ ଚେଷ୍ଟା କରୁଥିଲେ। ମାତ୍ର ଅନ୍ୟ ପୁଲିସ୍‌ କର୍ମଚାରୀମାନେ ଦୁଇ ଲୁଟେରାଙ୍କୁ ମାଡ଼ି ବସିଥିଲେ। ଲୁଟେରାଙ୍କ ଆକ୍ରମଣ ଏସ୍‌ଡିପିଓ ସାମାନ୍ୟ ଆହତ ହୋଇଛନ୍ତି।

ପାଟଣାଗଡ଼ ଥାନା ପୁଲିସ୍‌ ଦୁଇ ଲୁଟେରାଙ୍କ ଭିତରୁ ଆସ୍କା ଅଞ୍ଚଳର ନାବାଳକକୁ ସୁଧାର ଗୃହକୁ ପଠାଇ ଦେଇଥିବା ବେଳେ ଯାଜପୁର ଜିଲ୍ଲା ଅଭିଯୁକ୍ତ ବିଜୟ ଦାସଙ୍କୁ ଗିରଫ କରିଛି। ଅନ୍ୟପକ୍ଷରେ ଲୁଟ୍‌ରେ ବ୍ୟବହାର ହୋଇଥିବା ବାଇକ୍‌କୁ ଜବତ କରିଛି। ବାଇକ୍‌ ଡିକିରେ ଥିବା ଗୋଟିଏ ଚାବି ପେନ୍ଥା ମଧ୍ୟ ପୁଲିସ୍‌ ଜବତ କରିଛି। ଏମାନେ କେତେଦିନ ଧରି ଏପରି ଲୁଟ୍‌ କରୁଥିଲେ, ତାହା ବର୍ତ୍ତମାନ ସୁଦ୍ଧା ଜଣାପଡ଼ି ନାହିଁ। ପୁଲିସ ବିଭିନ୍ନ ଦିଗରୁ ତଦନ୍ତ ଚଳାଇଛି।

Related story