ଶାନ୍ତିପଡ଼ା ହାଇଡ୍ରାମା ଶେଷ: ଘରେ ପଶି ବନ୍ଧୁକଧାରୀ ବିକ୍ରମକୁ କାବୁ କଲା ପୁଲିସ୍‌

ବଲାଙ୍ଗିର (ଓଡ଼ିଶା ରିପୋର୍ଟର): ପ୍ରାୟ ୫ ଘଣ୍ଟା ପରେ ବନ୍ଧୁକଧାରୀ ବିକ୍ରମ ପଣ୍ଡାକୁ କାବୁ କରିବାରେ ସଫଳ ହୋଇଛି ପୁଲିସ୍। ଏହା ସହିତ ସକାଳୁ ବଲାଙ୍ଗୀର ଟାଉନ୍ ଥାନା ଅନ୍ତର୍ଗତ ଶାନ୍ତିପଡ଼ାରେ ଲାଗି ରହିଥିବା ଅଶାନ୍ତିର ଅନ୍ତ ଘଟିଛି। ବିକ୍ରମକୁ ଧରିବା ପାଇଁ ପୁଲିସ୍‌ର ଅପରେସନ ବେଳେ ଗୁଳି ମଧ୍ୟ ଫୁଟିଥିଲା। ତେବେ ବିକ୍ରମ ଗୁଳି ଫୁଟାଇଥିଲା ନା ପୁଲିସ୍, ତାହା ସ୍ପଷ୍ଟ ହୋଇନି। ବଲାଙ୍ଗୀର ଏସ୍‌ପି ମଧ୍ୟ ଏନେଇ ସ୍ପଷ୍ଟ କରି ନାହାନ୍ତି। ତଦନ୍ତ ପରେ […]

Vikram Panda

Vikram Panda

Jitendra Garnayak
  • Published: Tuesday, 15 June 2021
  • , Updated: 15 June 2021, 02:59 PM IST

ବଲାଙ୍ଗିର (ଓଡ଼ିଶା ରିପୋର୍ଟର): ପ୍ରାୟ ୫ ଘଣ୍ଟା ପରେ ବନ୍ଧୁକଧାରୀ ବିକ୍ରମ ପଣ୍ଡାକୁ କାବୁ କରିବାରେ ସଫଳ ହୋଇଛି ପୁଲିସ୍। ଏହା ସହିତ ସକାଳୁ ବଲାଙ୍ଗୀର ଟାଉନ୍ ଥାନା ଅନ୍ତର୍ଗତ ଶାନ୍ତିପଡ଼ାରେ ଲାଗି ରହିଥିବା ଅଶାନ୍ତିର ଅନ୍ତ ଘଟିଛି।

ବିକ୍ରମକୁ ଧରିବା ପାଇଁ ପୁଲିସ୍‌ର ଅପରେସନ ବେଳେ ଗୁଳି ମଧ୍ୟ ଫୁଟିଥିଲା। ତେବେ ବିକ୍ରମ ଗୁଳି ଫୁଟାଇଥିଲା ନା ପୁଲିସ୍, ତାହା ସ୍ପଷ୍ଟ ହୋଇନି। ବଲାଙ୍ଗୀର ଏସ୍‌ପି ମଧ୍ୟ ଏନେଇ ସ୍ପଷ୍ଟ କରି ନାହାନ୍ତି। ତଦନ୍ତ ପରେ ଏ ବିଷୟରେ କିଛି କହି ହେବ ବୋଲି ସେ କହିଛନ୍ତି।

ବିକ୍ରମକୁ କାବୁ କରିବା ପରେ କୌଣସି ଏକ ଅଜ୍ଞାତ ସ୍ଥାନକୁ ପଚରାଉଚରା କରିବା ପାଇଁ ନେଇ ଯାଇଛି। ଖୋଦ୍ ଏସ୍‌ପି ମଧ୍ୟ ସେଠାକୁ ଯାଇଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ପୁଲିସ୍‌ର ଏକ ଟିମ୍ ଘଟଣାସ୍ଥଳରେ ଅଧିକ ତଦନ୍ତ ଜାରି ରଖିଛି।

ବିକ୍ରମକୁ ସୁରକ୍ଷିତ ଭାବେ ଧରିବା ପାଇଁ ପୁଲିସ୍ ତାଙ୍କ ମା’, ସାଙ୍ଗସାଥୀ ଓ ଗଣମାଧ୍ୟମ ପ୍ରତିନିଧିଙ୍କ ସହଯୋଗ ନେଇଥିଲା। ତେବେ ସେମାନେ ତାଙ୍କୁ ବୁଝାଇବାରେ ବିଫଳ ହୋଇଥିଲେ। ଏସ୍‌ଡିପିଓ ନିଜେ ଘର ଭିତରେ ପଶି ଅନ୍ୟ ଏକ ରୁମ୍‌ରେ ବନ୍ଦ ରହିଥିବା ଉକ୍ତ ଘରର ତିନି ସଦସ୍ୟଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ। ଏହା ପରେ ଏସ୍‌ପି ଘଟଣାସ୍ଥଳରେ ପହଞ୍ଚି ବିକ୍ରମକୁ ବୁଝାଇବାକୁ ପ୍ରୟାସ କରିଥିଲେ। ତେବେ ବିଫଳ ହେବା ପରେ ଏସ୍‌ପି ଓ ଏସ୍‌ଡିପିଓଙ୍କ ନେତୃତ୍ୱରେ ଦୁଇଟି ଟିମ୍ ଭିନ୍ନ ଭିନ୍ନ ଦିଗରୁ ଘର ଭିତରେ ପଶି ବିକ୍ରମକୁ କାବୁ କରିବାରେ ସଫଳ ହୋଇଥିଲେ। ଏହି ଅପରେସନ୍ ବେଳେ କେହି ହତାହତ ହୋଇ ନାହାନ୍ତି।

ଆଜି ସକାଳେ ବିକ୍ରମ ଶାନ୍ତିପଡ଼ାର ଦିବ୍ୟଲୋଚନ ହୋତାଙ୍କ ଘରେ ପଶି ତାଙ୍କ ଭାଣିଜୀଙ୍କୁ ଡାକିବାକୁ କହିଥିଲେ। ନ ହେଲେ ଗୁଳି ଚଲାଇ ଦେବେ ବୋଲି କହିଥିଲେ। ଏହା ପରେ ଦିବ୍ୟଲୋଚନ, ତାଙ୍କ ପୁଅ ଓ ସ୍ତ୍ରୀ କୌଶଳକ୍ରମେ ଗୋଟିଏ ରୁମ୍‌ରେ ପଶି ଭିତର ପଟୁ କବାଟ ବନ୍ଦ କରି ଦେଇଥିଲେ।

ଘର ଭିତରୁ ଉଦ୍ଧାର ହେବା ପରେ ପରିବାରର ମୁଖ୍ୟ ଦିବ୍ୟଲୋଚନ ହୋତା କହିଥିଲେ, ସକାଳେ ପୂଜା କରୁଥିବା ବେଳେ ଉକ୍ତ ଯୁବକ ଘର ଭିତରକୁ ପଶି ଆସିଲା। ମୁଁ ତାଙ୍କୁ ଏସି କି ଲାଇନ୍ ମରାମତି ବାଲା ବୋଲି ଭାବି ନେଲି। କିନ୍ତୁ ହଠାତ ସେ ପିସ୍ତଲ ବାହାର କରି ତୁମ ଭାଣିଜୀ କୁଆଡ଼େ ଗଲା ବୋଲି କହିଲା। ତୁମ ଭାଣିଜୀକୁ ଡାକ୍ ନହେଲେ ମାରିଦେବି ବୋଲି କହିଲା। ତା’ ପରେ ସେ ମୋ ପୁଅକୁ ପିସ୍ତଲ ଦେଖାଇ ମାରିଦେବ ବୋଲି କହିଲା। ଆମେ ସମସ୍ତେ ଗୋଟିଏ ରୁମ୍‌ରେ ପଶି ଭିତରୁ କବାଟ ଦେଇଦେଲୁ। ମୁଁ ଚିହ୍ନିନି ସେ କିଏ। ମୋତେ ସେ ଆତଙ୍କବାଦୀ ଭଳି ଲାଗିଲା। ଜୀବନରେ ମୁଁ କେବେ ବନ୍ଧୁକ ଦେଖିନଥିଲି। ତା’ ପାଖରେ ବନ୍ଧୁକ ଦେଖି ବହୁତ ଡରିଯାଇଥିଲି।

ପ୍ରେମ ବ୍ୟାପାରକୁ ନେଇ ଏହି ଘଟଣା ଘଟିଥିବା କୁହାଯାଉଥିବା ବେଳେ ବିକ୍ରମକୁ ପଚରାଉଚରା ପରେ ସତ୍ୟ ସାମ୍ନାକୁ ଆସିବ ବୋଲି କୁହାଯାଉଛି।

Related story