ସୌମ୍ୟରଞ୍ଜନ ଆତ୍ମହତ୍ୟା ମାମଲା: ଗାର୍ଲଫ୍ରେଣ୍ଡ ସୋନାଲିଙ୍କ ନାଁରେ ମାମଲା ରୁଜୁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଯୁବ ମଡ଼େଲ୍‌ ସୌମ୍ୟରଞ୍ଜନ ପାଣିଗ୍ରାହୀଙ୍କ ଆତ୍ମହତ୍ୟା ଘଟଣାକୁ ୨ ମାସରୁ ଊର୍ଦ୍ଧ୍ୱ ସମୟ ବିତି ସାରିଲାଣି। ପୁଅକୁ ହରାଇ ପରିବାର ଲୋକ ମାନସିକ ସ୍ତରରେ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିବା ବେଳେ ହାଇକୋର୍ଟଙ୍କ ପକ୍ଷରୁ ଦିଆଯାଇଥିବା ନିର୍ଦ୍ଦେଶ ସେମାନଙ୍କୁ ସାମାନ୍ୟ ଆଶ୍ୱସ୍ତ ଦେଇଛି। ପୁଅ ମୃତ୍ୟୁ ପାଇଁ ଗାୟିକା ସୋନାଲି ନନ୍ଦ ହିଁ ଦାୟୀ ବୋଲି ଅଭିଯୋଗ ଆଣି ପରିବାର ଲୋକେ ଥାନାରେ ଅଭିଯୋଗ କରିବା ସତ୍ତ୍ୱେ ଚୁପ୍‌ ବସିଥିଲା ପୁଲିସ୍‌। ହେଲେ ସୌମ୍ୟରଞ୍ଜନ ମୃତ୍ୟୁ […]

Soumaya with girlfriend

Niharika Rout
  • Published: Wednesday, 20 April 2022
  • , Updated: 20 April 2022, 06:37 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଯୁବ ମଡ଼େଲ୍‌ ସୌମ୍ୟରଞ୍ଜନ ପାଣିଗ୍ରାହୀଙ୍କ ଆତ୍ମହତ୍ୟା ଘଟଣାକୁ ୨ ମାସରୁ ଊର୍ଦ୍ଧ୍ୱ ସମୟ ବିତି ସାରିଲାଣି। ପୁଅକୁ ହରାଇ ପରିବାର ଲୋକ ମାନସିକ ସ୍ତରରେ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିବା ବେଳେ ହାଇକୋର୍ଟଙ୍କ ପକ୍ଷରୁ ଦିଆଯାଇଥିବା ନିର୍ଦ୍ଦେଶ ସେମାନଙ୍କୁ ସାମାନ୍ୟ ଆଶ୍ୱସ୍ତ ଦେଇଛି। ପୁଅ ମୃତ୍ୟୁ ପାଇଁ ଗାୟିକା ସୋନାଲି ନନ୍ଦ ହିଁ ଦାୟୀ ବୋଲି ଅଭିଯୋଗ ଆଣି ପରିବାର ଲୋକେ ଥାନାରେ ଅଭିଯୋଗ କରିବା ସତ୍ତ୍ୱେ ଚୁପ୍‌ ବସିଥିଲା ପୁଲିସ୍‌। ହେଲେ ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ଗାୟିକା ସୋନାଲି ନନ୍ଦଙ୍କ ନାଁରେ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଭୁବନେଶ୍ୱର ଇନଫୋସିଟି ଥାନାରେ ଗାୟିକା ସୋନାଲି ନନ୍ଦ ଓ ତାଙ୍କ ମା’ଙ୍କ ନାଁରେ ରୁଜୁ ହୋଇଛି ମାମଲା।

ସୌମ୍ୟ ନିଜ ସୁଇସାଇଡ୍ ନୋଟ୍‌ରେ ସୋନାଲିଙ୍କୁ ଦାୟୀ କରିଥିଲେ। ପ୍ରେମିକା ଓ ତାଙ୍କ ମା’ଙ୍କ ସହ କଥା ହେବା ବେଳେ ପ୍ରତାରିତ ହୋଇଥିବା କହିବା ସହ ଆତ୍ମହତ୍ୟା କରିବେ ବୋଲି ବି କହିଥିଲେ । ହେଲେ ସେମାନେ ଏ ନେଇ ସୌମ୍ୟଙ୍କ ପରିବାର ଲୋକଙ୍କୁ ଜଣାଇ ନ ଥିଲେ।  ସୌମ୍ୟଙ୍କ ପ୍ରେମିକାଙ୍କ ବିରୋଧରେ ଏପରି ମାଳ ମାଳ ଅଭିଯୋଗ ସୋଶାଲ ମିଡ଼ିଆରେ ଘୂରି ବୁଲୁଥିବା ସତ୍ତ୍ୱେ ପୁଲିସ୍‌ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନ ଥିଲା। ସୌମ୍ୟଙ୍କ ଭଉଣୀ ଏନେଇ ଇନଫୋସିଟି ଥାନାରେ ଅଭିଯୋଗ କରିଥିଲେ ବି ପୁଲିସ୍‌ ଚୁପ୍‌ ବସି ରହିଥିଲା। ଏଥିରେ ଅସନ୍ତୋଷ ବ୍ୟକ୍ତ କରି ସୌମ୍ୟଙ୍କ ପରିବାର ଲୋକ ଭୁବନେଶ୍ୱର ଡିସିପିଙ୍କ ଅଫିସ ସାମ୍ନାରେ ଧାରଣା ଦେଇଥିଲେ।

ଏନେଇ ସୌମ୍ୟଙ୍କ ମା’ କହିଥିଲେ, ମୋ’ ପୁଅ ଏକ ସୁଇସାଇଡ୍‌ ନୋଟ୍‌ ଲେଖିଥିଲା। ସେଥିରେ ସେ ତା’ର ମୃତ୍ୟୁ ପାଇଁ ସୋନାଲି ଦାୟୀ ବୋଲି ଲେଖିଥିଲା। ସୋନାଲି ଓ ତାର ଝଗଡ଼ା ବିଷୟରେ ତା’ ମା’ (ସୋନାଲିର ମା’)କୁ କହିଥିଲା ଓ ଆତ୍ମହତ୍ୟା କରିବ ବୋଲି ବି ଜଣାଇଥିଲା। ସୋନାଲିର ମା’ ମୋତେ ଏନେଇ କିଛି ଜଣାଇ ନଥିଲେ। ଯଦି ସେ ମୋତେ ଜଣାଇଥା’ନ୍ତେ ମୁଁ ପୁଅକୁ ଜଗିବାକୁ ଯାଇଥା’ନ୍ତି ଓ ସେ ବଞ୍ଚି ଯାଇଥା’ନ୍ତା। ସେ ମା’ ଓ ଝିଅଙ୍କ ପାଇଁ ମୁଁ ମୋ ପୁଅକୁ ହରାଇଛି।

ସୌମ୍ୟଙ୍କ ପରିବାର ଲୋକଙ୍କ ଧାରଣା ସତ୍ତ୍ୱେ ପୁଲିସ୍‌ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାରୁ ସେମାନେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଏବେ ସୋନାଲି ଓ ତାଙ୍କ ମା’ଙ୍କ ନାଁରେ ମାମଲା ରୁଜୁ କରିଛି ପୁଲିସ୍‌ । ୨ ମାସ ପୁରୁଣା ଏହି ଘଟଣା କେଉଁ ନୂଆ ମୋଡ଼ ନେଉଛି, ସୋନାଲି ଓ ତାଙ୍କ ମା’ଙ୍କ ବିରୋଧରେ କେଉଁ ଆକ୍ସନ ନେବ ପୁଲିସ୍‌ ତାହା ଉପରେ ସମସ୍ତଙ୍କ ନଜର।

ସୂଚନାଯୋଗ୍ୟ, ସୌମ୍ୟ ରଞ୍ଜନ ପାଣିଗ୍ରାହୀ ମୁମ୍ୱାଇରେ ମଡେଲିଂ କରୁଥିଲେ। ମାତ୍ର ମହାମାରୀ ପାଇଁ ଘରକୁ ଫେରି ଆସିଥିଲେ। ସେ ଭୁବନେଶ୍ୱର ନନ୍ଦନ ବିହାରରେ ରହୁଥିବା ବେଳେ ସୋନାଲିଙ୍କ ସଂସ୍ପର୍ଶରେ ଆସିଥିଲେ। ଉଭୟ ପରସ୍ପରକୁ ଦୀର୍ଘ ଦୁଇ ବର୍ଷ ଧରି ଭଲ ପାଉଥିଲେ। ଉଭୟଙ୍କ ପ୍ରେମ କାହାଣୀ ଦୁଇ ପରିବାର ଲୋକ ଜାଣିଥିବା ବେଳେ ବାହାଘର ମଧ୍ୟ ସ୍ଥିର ହୋଇଥିଲା। ଏହା ସତ୍ତ୍ୱେ ସୌମ୍ୟ ଆତ୍ମହତ୍ୟା କରିଥିବା ବେଳେ ଏଥିନିମନ୍ତେ ତାଙ୍କ ପରିବାର ଲୋକେ ସୋନାଲିକୁ ହିଁ ଦାୟୀ କରିଥିଲେ।

Related story