ଅବକାରୀ ମନ୍ତ୍ରୀଙ୍କ ଅଞ୍ଚଳରେ ମଦ ଭାଟି ଚଲାଇବାକୁ ଚାନ୍ଦା ନେଉଛି ପୁଲିସ୍‌!

ଜଳେଶ୍ୱର (ଅଜିତ ଦାସ): ମଦ ଭାଟି ଚଲାଇବା ପାଇଁ ପ୍ରତି ମାସ ପୁଲିସ୍‌ ନେଉଛି ବଟି! ଅବକାରୀ ମନ୍ତ୍ରୀ ଅଶ୍ୱିନୀ ପାତ୍ରଙ୍କ ଅଞ୍ଚଳରୁ ଆସିଛି ଏପରି ଅଭିଯୋଗ। ଅବକାରୀ ବିଭାଗ ହାତରେ ଧରା ପଡ଼ିବା ପରେ ଆଜି ଏମିତି କହିଛନ୍ତି କିଛି ମଦ ଭାଟି ମାଲିକ। ଯାହାକୁ ନେଇ ବାଲେଶ୍ୱର ଜିଲ୍ଲାରେ ଚାଞ୍ଚଲ୍ୟ ଖେଳି ଯାଇଛି। ଅବକାରୀ ମନ୍ତ୍ରୀ ଅଶ୍ୱିନୀ ପାତ୍ର ଘର ହେଉଛି ରାଇବଣିଆ ଥାନା ଅଞ୍ଚଳରେ। ଏହି ଅଞ୍ଚଳରେ ଆଜି ସକାଳୁ ସକାଳୁ ଅବକାରୀ […]

Jaleswar

  • Published: Friday, 25 November 2022
  • , Updated: 25 November 2022, 05:51 PM IST

ଜଳେଶ୍ୱର (ଅଜିତ ଦାସ): ମଦ ଭାଟି ଚଲାଇବା ପାଇଁ ପ୍ରତି ମାସ ପୁଲିସ୍‌ ନେଉଛି ବଟି! ଅବକାରୀ ମନ୍ତ୍ରୀ ଅଶ୍ୱିନୀ ପାତ୍ରଙ୍କ ଅଞ୍ଚଳରୁ ଆସିଛି ଏପରି ଅଭିଯୋଗ। ଅବକାରୀ ବିଭାଗ ହାତରେ ଧରା ପଡ଼ିବା ପରେ ଆଜି ଏମିତି କହିଛନ୍ତି କିଛି ମଦ ଭାଟି ମାଲିକ। ଯାହାକୁ ନେଇ ବାଲେଶ୍ୱର ଜିଲ୍ଲାରେ ଚାଞ୍ଚଲ୍ୟ ଖେଳି ଯାଇଛି।

ଅବକାରୀ ମନ୍ତ୍ରୀ ଅଶ୍ୱିନୀ ପାତ୍ର ଘର ହେଉଛି ରାଇବଣିଆ ଥାନା ଅଞ୍ଚଳରେ। ଏହି ଅଞ୍ଚଳରେ ଆଜି ସକାଳୁ ସକାଳୁ ଅବକାରୀ ବିଭାଗ ଚଢ଼ଉ କରିଥିଲା। ସ୍ଥାନୀୟ ପୁଲିସ୍‌କୁ କୌଣସି ସୂଚନା ନଦେଇ କଟକ କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ-୨ ଓ ଜଳେଶ୍ୱର ଅବକାରୀ ବିଭାଗ ମିଳିତ ଭାବେ ବେଆଇନ୍‌ ଭାବେ ଚାଲିଥିବା ୧୦ଟି ମଦ ଭାଟିରେ ଚଢ଼ଉ କରିଥିଲେ। ଚଢ଼ଉ ବେଳେ ୩୦ ହଜାର ଲିଟରରୁ ଅଧିକ ମହୁଲି ମଦ ନଷ୍ଟ କରାଯାଇଥିଲା। ଯାହାର ଆନୁମାନିକ ମୂଲ୍ୟ ୧୦ ଲକ୍ଷ ଟଙ୍କା ଅଧିକ ଟଙ୍କା ହେବ। ଏଥିସହ ମଦ ତିଆରିରେ ବ୍ୟବହାର ହେଉଥିବା ସରଞ୍ଜାମ ମଧ୍ୟ ଜବତ କରିଥିଲା ଅବକାରୀ ବିଭାଗ। ଏହି ମାମଲାରେ ୬ ଜଣଙ୍କୁ ଗିରଫ କରିଥିଲା। ନିଶା ମାଫିଆମାନେ ଏଠାରେ ମଦ ତିଆରି କରି ପଶ୍ଚିମବଙ୍ଗକୁ ଚାଲାଣ କରୁଥିବା ଅଭିଯୋଗ ହୋଇଛି।

ସବୁଠାରୁ ମଜାଦାର କଥା ହେଉଛି ଗିରଫ ହୋଇଥିବା ଅଭିଯୁକ୍ତମାନେ କୁଷଗଡ଼ ଫାଣ୍ଡି ପୁଲିସ୍‌ ବିରୋଧରେ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି। ପୁଲିସ୍‌ କୁଆଡ଼େ ମଦ ଭାଟି ଚଲାଇବାକୁ ପ୍ରତି ମାସ ବଟି ନେଉଥିଲା! ହେଲେ ଅବକାରୀ ବିଭାଗ ଚଢ଼ଉ ପରେ ପୁଲିସ୍‌ ଧରାଛୁଆଁ ଦେଉନାହିଁ ବୋଲି ମଦ ଭାଟି ମାଲିକମାନେ କହିଛନ୍ତି।

ଗିରଫ ହୋଇଥିବା ମଦ ଭାଟି ମାଲିକାଣୀ ରତନୀ ସିଂ କହିଛନ୍ତି, ମଦ ବେପାର କରିବା ପାଇଁ କୁଷଗଡ଼ ଫାଣ୍ଡିର ଜଣେ କର୍ମଚାରୀ ପ୍ରତିମାସ ୧୫୦୦ ଟଙ୍କା ନିଅନ୍ତି। ଅବକାରୀ ବିଭାଗ ଚଢ଼ଉ କରିବା ପାଇଁ ଆସିବା ପୂର୍ବରୁ ସୂଚନା ଦେବାକୁ ପୁଲିସ୍‌ ଏହି ବଟି ନେଉଥିଲା ବୋଲି ରତନୀ ସିଂ କହିଛନ୍ତି।

ମଦ ଭାଟି ମାଲିକ ବିନୋଦ ସିଂ କହିଛନ୍ତି, ଜମାଦାର ପ୍ରତିମାସ ୧୦୦୦ ଟଙ୍କା ଲେଖାଏଁ ନେଇ ଯାଆନ୍ତି। ଚଢ଼ଉ ନହେବା ପାଇଁ ସେମାନେ ଏହି ଟଙ୍କା ନେଇଥିଲେ। ଏହାଛଡ଼ା ମାମଲା ନକରିବାକୁ ପୁଲିସ୍‌ କହିଥିଲା ବୋଲି ବିନୋଦ କହିଛନ୍ତି।

ସମାନ ଅଭିଯୋଗ ଆଣିଛନ୍ତି ମଦ ଭାଟି ମାଲିକ ବାଇଧର ସିଂ। ସେ କହିଛନ୍ତି, ଥାନା କର୍ମଚାରୀ ପ୍ରତି ମାସ ୧୦୦୦ ଟଙ୍କା ଲେଖାଏଁ ନେଉଛି। ଅବକାରୀ ବିଭାଗଠାରୁ ବଞ୍ଚାଇବା ପାଇଁ ସେମାନେ ଏହି ଟଙ୍କା ନେଉଛନ୍ତି ବୋଲି ବାଇଧର କହିଛନ୍ତି।

କୁଷଗଡ଼ ଫାଣ୍ଡି କର୍ମଚାରୀଙ୍କ ବିରୋଧରେ ଆସିଥିବା ଅଭିଯୋଗ ନେଇ ଜଳେଶ୍ୱର ଏସ୍‌ଡିପିଓ ଦିଲ୍ଲୀପ ସାହୁ କହିଛନ୍ତି, ମୁଁ କିଛି ଜାଣିନି। ଅବକାରୀ ବିଭାଗ କେଉଁଠି ଚଢ଼ଉ କରିଛି, ସେ ସମ୍ପର୍କରେ ମଧ୍ୟ ମୁଁ ଜାଣିନି ବୋଲି ଏସ୍‌ଡିପିଓ କହିଛନ୍ତି।

Related story