ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବାତ୍ୟା ‘ଫୋନି’ ତାଣ୍ଡବଲୀଳା ରଚିବାର ୫ଦିନ ବିତିଯାଇଥିଲେ ମଧ୍ୟ ରାଜଧାନୀ ଭୁବନେଶ୍ୱରବାସୀ ଏବେବି ପାଣି ଓ ବିଦ୍ୟୁତ୍ ଭଳି ମୌଳିକ ସୁବିଧାରୁ ବଞ୍ଚିତ ହେବାକୁ ବାଧ୍ୟ ହୋଇଛନ୍ତି। ରାଜଧାନୀର ୮୦ପ୍ରତିଶତ ଅଞ୍ଚଳକୁ ପାନୀୟ ଜଳଯୋଗାଣ ସ୍ୱାଭାବିକ ହୋଇଛି ବୋଲି ସରକାରଙ୍କ ଦାବି ଓ ବାସ୍ତବତା ମଧ୍ୟରେ ଆକାଶପାତାଳ ଫରକ ଥିବାବେଳେ ପାଣି ମୁନ୍ଦେ ପାଇ ସାଧାରଣ ନାଗରିକଙ୍କଠୁ ଆରମ୍ଭ କରି ବସ୍ତିବାସିନ୍ଦା ପର୍ଯ୍ୟନ୍ତ ସମସ୍ତେ ବ୍ୟସ୍ତବିବ୍ରତ ହୋଇ ରହିଛନ୍ତି। ଏପଟେ ବିଦ୍ୟୁତ ସଂଯୋଗ ନଥିବାରୁ ତାହା ବେଡ଼ି ଉପରେ କୋରଡ଼ା ମାଡ଼ ଭଳି ସଦୃଶ ହୋଇଛି। ତେବେ ଯେଉଁମାନଙ୍କୁ ଧରି ରାଜନୀତିକ ଦଳଗୁଡ଼ିକ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ ରାଜନୀତିକ କାର୍ଯ୍ୟକ୍ରମ ଓ ଭୋଟବ୍ୟାଙ୍କ କାର୍ଡ ଖେଳିଥାନ୍ତି ଏବେ ସେମାନେ ସମସ୍ତେ ସତେ ଯେମିତି କୁଆଡ଼େ ଗାଏବ ହୋଇଯାଇଛନ୍ତି। କାଁ-ଭାଁ ରାଜନେତାଙ୍କୁ ଛାଡ଼ିଦେଲେ ଅନ୍ୟ କୌଣସି ରାଜନେତାଙ୍କୁ ଏସବୁ ବସ୍ତି ଅଞ୍ଚଳରେ ହେଉ ଅବା ରାଜଧାନୀର ବିଭିନ୍ନ ଭାଗରେ ଦୁର୍ଦ୍ଦଶା ଭୋଗୁଥିବା ଲୋକଙ୍କ ପାଖରେ ଛିଡ଼ା ହେବାର ଦେଖିବାକୁ ମିଳୁନି। ନିର୍ବାଚନ ସମୟରେ ଭୋଟ୍ ପାଇଁ ଲମ୍ବାଚଉଡ଼ା ପ୍ରତିଶ୍ରୁତି ଓ ମାଳମାଳ ନେତାଙ୍କ ଭିଡ଼ ଲାଗିଥିବାବେଳେ ଏବେ ବିପତ୍ତି ସମୟରେ ସେମାନଙ୍କ ଦେଖା ନମିଳିବା ରାଜନେତାଙ୍କ ଅସଲ ଚରିତ୍ରକୁ ପଦାରେ ପକାଇ ଦେଇଛି।
ବାତ୍ୟା ‘ଫୋନି’ ପରବର୍ତ୍ତୀ ଥଇଥାନ ଓ ପୁନରୁଦ୍ଧାର କାର୍ଯ୍ୟର ମନ୍ଥର ଗତି(ଆଶାନୁରୂପ ନହେବା)କୁ ନେଇ ଏବେ ଲୋକଙ୍କ ମଧ୍ୟରେ ସରକାରଙ୍କ ପ୍ରତି ଆକ୍ରୋଶ ବଢ଼ିବାରେ ଲାଗିଛି। ଫୋନିର ତାଣ୍ଡବଲୀଳା ଭୁବନେଶ୍ୱର ଓ ପୁରୀରେ ବ୍ୟାପକ ହୋଇଥିଲେ ମଧ୍ୟ ପ୍ରଶାସନ ୫ଦିନ ପରେ ବି ଲୋକଙ୍କ ପାଖରେ ପାଣି ଓ ବିଜୁଳି ପହଞ୍ଚାଇବାରେ ସକ୍ଷମ ନହେବା ଲୋକଙ୍କ ମନରେ ଆକ୍ରୋଶ ବଢ଼ାଇଛି। ‘ଫୋନି’ ବାତ୍ୟାକୁ ‘ଜିରୋ କାଜୁଆଲିଟି’ ପାଇଁ ରାଜ୍ୟ ସରକାରଙ୍କ ଉଦ୍ୟମକୁ ଜାତିସଂଘଠୁ ଆରମ୍ଭ କରି ପ୍ରଧାନମନ୍ତ୍ରୀଙ୍କ ପର୍ଯ୍ୟନ୍ତ ପ୍ରଶଂସା କରିଥିବାବେଳେ ଆଜିସୁଦ୍ଧା ସରକାରୀ ଭାବେ ମୃତ୍ୟୁ ସଂଖ୍ୟା ୪୧ରେ ପହଞ୍ଚି ଚଲାଣି। ବେସରକାରୀ ଭାବେ ବାତ୍ୟାରେ ୭୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ବାତ୍ୟାରେ ସର୍ବାଧିକ କ୍ଷତିଗ୍ରସ୍ତ ଚିଲିକା ହ୍ରଦ, ନଳବଣ, ପୁରୀ ବାଲୁଖଣ୍ଡ, ନନ୍ଦନକାନନ ଆଦି ଅଞ୍ଚଳରେ ଥିବା ହଜାର ହଜାର ବନ୍ୟପ୍ରାଣୀଙ୍କ ମୃତ୍ୟୁ ମଧ୍ୟ ଘଟିଛି। ଏହି ସଂଖ୍ୟା କେତେ, କିଭଳି ପ୍ରଜାତିର ବନ୍ୟଜନ୍ତୁଙ୍କ ମୃତ୍ୟୁ ଘଟିଛି ସେ ନେଇ ସରକାରୀସ୍ତରରେ ତଥ୍ୟ ଏପର୍ଯ୍ୟନ୍ତ ସଂଗ୍ରହ ହୋଇନଥିବା ଜଣାପଡ଼ିଛି।
ସବୁଠୁ ବଡ଼ କଥା ହେଉଛି, ରାଜ୍ୟ ସରକାର ‘ଫୋନି’ ବାତ୍ୟା ପାଇଁ ରିଲିଫ୍ ଓ ପୁନରୁଦ୍ଧାର କାର୍ଯ୍ୟ ଜାରି ରଖିଥିବାବେଳେ ଏଥିରେ ପାରଦର୍ଶିତାର ଅଭାବ ବି ସରକାରଙ୍କ କାର୍ଯ୍ୟ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ସ୍ୱତନ୍ତ୍ର ରିଲିଫ୍ କମିଶନର ନିଜର ଟ୍ୱିଟ ପେଜରେ ‘ଫୋନି’ ସଂକ୍ରାନ୍ତ ତଥ୍ୟ ଅପଡେଟ୍ କରୁଥିବାବେଳେ କେଉଁ ଜିଲ୍ଲାରେ କେତେ ଲୋକଙ୍କୁ ରିଲିଫ୍ ଦିଆଗଲା, କେଉଁସବୁ ଅଞ୍ଚଳରେ ବିଦ୍ୟୁତ ଓ ପାଣିର ବ୍ୟବସ୍ଥାକୁ ସ୍ୱାଭାବିକ କରାଗଲା ତା’ର ତଥ୍ୟ ସାର୍ବଜନୀନ କରିବାକୁ ଉଚିତ୍ ମଣିନାହାନ୍ତି। ଏପରିକି ଗଣମାଧ୍ୟମକୁ ବି ଏସବୁ ଅପଡେଟ୍ ତଥ୍ୟ ଦିଆଯାଉନି। ଅବଶ୍ୟ ରାଜ୍ୟ ସରକାର ଅତୀତରେ ପାଇଲିନ୍ ଓ ତିତଲି ବାତ୍ୟାବେଳେ ନିୟମିତ ଭାବେ ରିଲିଫ ଓ ପୁନରୁଦ୍ଧାର କାର୍ଯ୍ୟର ତଥ୍ୟକୁ ସାର୍ବଜନୀନ କରିଥିଲେ।