ବାଲେଶ୍ୱର(ଓଡ଼ିଶା ରିପୋର୍ଟର):ରହିବା ପାଇଁ ଘର ନମିଳିବାରୁ ନିର୍ବାଚନ କର୍ମଚାରୀ ହଟହଟା। ବସ୍ରେ ଏବଂ ଖୋଲା ଆକାଶ ତଳେ କାଟିଲେ ରାତି । ଏଭଳି ଅଭିଯୋଗ ଆସିଛି ବାଲେଶ୍ୱରରୁ । ସୂଚନା ଅନୁସାରେ ନିର୍ବାଚନୀ ଡ୍ୟୁଟି ପାଇଁ ଖୋର୍ଦ୍ଧାରୁ ପ୍ରାୟ ୫୦ ଜଣ କର୍ମଚାରୀ ଏକ ବସରେ ଗତକାଲି ରାତିରେ ବାଲେଶ୍ୱର ପହଞ୍ଚିଥିଲେ।
ସମସ୍ତେ ସହଦେବଖୁଣ୍ଚା ସ୍ଥିତ ବାଳାଶ୍ରମରେ ରହିବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଥିଲା। ହେଲେ ସେଠାରେ ପହଞ୍ଚିବା ବେଳକୁ ରୁମରେ ତାଲା ଝୁଲୁଥିବା ଦେଖିବାକୁ ମିଳିଥିଲା। ଫଳରେ କର୍ମଚାରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା। ଘଟଣା ସଂପର୍କରେ ଖବର ପାଇବା ପରେ ଓଟିଭି ଘଟଣାସ୍ଥଳରେ ପହଞ୍ଚିଥିଲା।
ସମସ୍ୟା ସଂପର୍କରେ ଅବଗତ କରିବା ପାଇଁ ଆମେ ଜିଲ୍ଲାପାଳଙ୍କୁ ଫୋନ୍ କରିଥିଲୁ। ତେବେ ସେ ଫୋନ୍ ଉଠାଇନଥିଲେ। ପରେ ଉପଜିଲ୍ଲାପାଳଙ୍କ ଫୋନ୍ ବି ଲାଗି ନଥିଲା। ଏସ୍ପି ଫୋନ୍ ଉଠାଇଥିଲେ ମଧ୍ୟ ଏହା ଜିଲ୍ଲାପାଳଙ୍କ ଦାୟିତ୍ୱ ବୋଲି କହିଥିଲେ। ଶେଷରେ ନିରାଶ ହୋଇ କର୍ମଚାରୀ ରାତିସାରା ଖୋଲା ଆକାଶ ତଳେ ଏବଂ ବସରେ ରାତି କାଟିଥିଲେ।