ରାସ୍ତା ନକରି ଷ୍ଟ୍ରେଚର ଧରାଇ ଦେଇଛନ୍ତି, ପ୍ରସୂତିଙ୍କୁ ଉଛୁଳା ନଦୀ ପାର କରାଇ ଡାକ୍ତରଖାନା ନେଲେ ଲୋକେ

ନୂଆପଡ଼ା (ମାୟାଧର ସରାଫ): ଗାଁକୁ ରାସ୍ତା ନାହିଁ। ତେଣୁ ପ୍ରସୂତିଙ୍କୁ ଷ୍ଟ୍ରେଚରରେ ଅଣ୍ଟେ ପାଣିରେ ନଦୀ ପାର କରାଇ ଡାକ୍ତରଖାନା ନେଲେ ଗାଁ ଲୋକ। ଏପରି ଘଟଣା ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ୍‌ରେ ଘଟିଛି। ଗତକାଲି ଚିତାରମା ଗାଁର ବିଜେଶ୍ୱର ଚିନ୍ଦାଙ୍କ ପତ୍ନୀ ନିରୁ ଗର୍ଭ ଯନ୍ତ୍ରଣା ଅନୁଭବ କରିଥିଲେ। ଗାଁକୁ ରାସ୍ତା ନାହିଁ ଓ ବର୍ଷା ଲାଗି ରହିଥିବାରୁ ପତ୍ନୀଙ୍କୁ ମେଡିକାଲ୍‌ କେମିତି ନେବେ? ଏହାକୁ ନେଇ ବିଜେଶ୍ୱର ଚିନ୍ତାରେ ପଡ଼ିଯାଇଥିଲେ। ଶେଷରେ କୌଣସି ଉପାୟ ନପାଇ […]

nuapada

nuapada

Jyoshna Pradhan
  • Published: Saturday, 27 July 2019
  • Updated: 27 July 2019, 12:56 PM IST

Sports

Latest News

ନୂଆପଡ଼ା (ମାୟାଧର ସରାଫ): ଗାଁକୁ ରାସ୍ତା ନାହିଁ। ତେଣୁ ପ୍ରସୂତିଙ୍କୁ ଷ୍ଟ୍ରେଚରରେ ଅଣ୍ଟେ ପାଣିରେ ନଦୀ ପାର କରାଇ ଡାକ୍ତରଖାନା ନେଲେ ଗାଁ ଲୋକ। ଏପରି ଘଟଣା ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ୍‌ରେ ଘଟିଛି।

ଗତକାଲି ଚିତାରମା ଗାଁର ବିଜେଶ୍ୱର ଚିନ୍ଦାଙ୍କ ପତ୍ନୀ ନିରୁ ଗର୍ଭ ଯନ୍ତ୍ରଣା ଅନୁଭବ କରିଥିଲେ। ଗାଁକୁ ରାସ୍ତା ନାହିଁ ଓ ବର୍ଷା ଲାଗି ରହିଥିବାରୁ ପତ୍ନୀଙ୍କୁ ମେଡିକାଲ୍‌ କେମିତି ନେବେ? ଏହାକୁ ନେଇ ବିଜେଶ୍ୱର ଚିନ୍ତାରେ ପଡ଼ିଯାଇଥିଲେ। ଶେଷରେ କୌଣସି ଉପାୟ ନପାଇ ସେ ଗାଁ ଲୋକଙ୍କ ସହାୟତାରେ ତାଙ୍କ ପତ୍ନୀଙ୍କୁ ଷ୍ଟ୍ରେଚରରେ ବିପଦ ସଙ୍କୁଳ ଅବସ୍ଥାରେ ଉଦନ୍ତୀ ନଦୀ ପାର କରାଇଥିଲେ। ଚାରି ଜଣ ଲୋକ ଷ୍ଟ୍ରେଚରକୁ କାନ୍ଧେଇଥିବା ବେଳେ ଜଣେ ବ୍ୟକ୍ତି ଛତା ଦେଖାଇ ଗର୍ଭବତୀଙ୍କୁ ବର୍ଷାରୁ ରକ୍ଷା କରିବାକୁ ଉଦ୍ୟମ କରୁଥିଲା। ଅଣ୍ଟେ ପାଣିରେ ସେମାନେ ନିରୁଙ୍କୁ ନଦୀ ପାର କରାଇଥିଲେ।

ସୌଭାଗ୍ୟ ବଶତଃ ନଦୀ ଆରପାଖ ସିନ୍ଦୁରସିଲ ଗାଁରେ ସିନାପାଲି ସ୍ୱାସ୍ଥ୍ୟ ବିଭାଗ ତରଫରୁ ମ୍ୟାଲରିଆ ନିରାକରଣ କାର୍ଯ୍ୟକ୍ରମ ହେଉଥିଲା। ସ୍ୱାସ୍ଥ୍ୟକର୍ମୀମାନେ ଏପରି ଅବସ୍ଥା ଦେଖି ପ୍ରସୂତିଙ୍କୁ ନିଜ ଗାଡ଼ିରେ ନେଇ ସିନାପାଲି ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ପ୍ରସୂତି ସୁସ୍ଥ ଥିବା ଜଣାପଡ଼ିଥିଲା। ପରେ ତାଙ୍କୁ ମା’ଗୃହକୁ ପଠାଇ ଦିଆଯାଇଥିଲା। ଖବର ଲେଖାଯିବା ସୁଦ୍ଧା ସେ ପ୍ରସବ କରି ନଥିଲେ।

ଷ୍ଟ୍ରେଚର ଧରାଇ ଦେଇ ଚୁପ୍‌

ଚିତାରମା ଏକ ଉପାନ୍ତ ଗାଁ। ଏହି ଗାଁକୁ ଭଲ ରାସ୍ତା ନାହିଁ। ଯେଉଁ ରାସ୍ତାରେ ଅଛି, ସେଥିରେ ଚାଲି ଚାଲି ଯିବା କଷ୍ଟକର। ବର୍ଷା ଦିନ କଥା ନ କହିବା ଭଲ। ତେବେ ଏହି ଗାଁ ଯିବା ରାସ୍ତାରେ ପଡ଼ିଥାଏ ଉନ୍ତେଇ ନଦୀ। ବର୍ଷା ଦିନେ ଜୀବନକୁ ବାଜି ଲଗାଇ ଲୋକେ ନଦୀ ପାର ହୋଇ ଯିବାଆସିବା କରିଥା’ନ୍ତି। ଗତକାଲି ଗାଁ ଲୋକେ ଅଣ୍ଟେ ପାଣିରେ ଗର୍ଭବତୀଙ୍କୁ ନଦୀ ପାର୍‌ କରାଇଥିଲା।

ସୂଚନାରୁ ପ୍ରକାଶ, ରାୟଗଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାର ଉପାନ୍ତ ଗାଁଗୁଡ଼ିକୁ ଗୋଟିଏ ଲେଖାଏଁ ଷ୍ଟ୍ରେଚର ଦିଆଯାଇଛି। ଯେଉଁ ଗାଁକୁ ଆମ୍ୱୁଲାନ୍ସ ଯାଇ ନପାରିବ, ସେହି କ୍ଷେତ୍ରରେ ଷ୍ଟ୍ରେଚରରେ ଗୁରୁତର ରୋଗୀଙ୍କୁ କାନ୍ଧେଇ ଡାକ୍ତରଖାନା ଅଣାଯାଉଛି। ଦୁର୍ଭାଗ୍ୟର କଥା, ଦେଶ ସ୍ୱାଧୀନ ହେବାର ଏତେ ବର୍ଷ ପରେ ରାଜ୍ୟର ସବୁ ଗାଁକୁ ରାସ୍ତା ଯାଇପାରିନି। ଷ୍ଟ୍ରେଚର ଦେଇ ଗର୍ଭବତୀ ତଥା ରୋଗୀଙ୍କୁ ନଦୀ ପାର୍‌ ହେବାର ବନ୍ଦୋବସ୍ତ କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos