କୋଣାର୍କ(ସଞ୍ଜୟ ପତି): ଆସନ୍ତାକାଲି ପବିତ୍ର ମାଘ ସପ୍ତମୀ ତିଥିରେ ପ୍ରସିଦ୍ଧ ଚନ୍ଦ୍ରଭାଗା ବୁଡ଼ ଅନୁଷ୍ଠିତ ହେବ। କୋଣାର୍କ ନିକଟ ଚନ୍ଦ୍ରଭାଗା ତୀର୍ଥ ପୁଷ୍କରିଣୀରେ ଲକ୍ଷାଧିକ ଶ୍ରଦ୍ଧାଳୁ ବୁଡ଼ ପକାଇବେ। ଏଥିପାଇଁ ରାଜ୍ୟର କୋଣ ଅନୁକୋଣରୁ ଶ୍ରଦ୍ଧାଳୁମାନେ କୋଣାର୍କରେ ପହଞ୍ଚିବାରେ ଲାଗିଛନ୍ତି। ତେଣୁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି।
ତୀର୍ଥ ପୁଷ୍କରଣୀକୁ ପ୍ରସ୍ତୁତ ରଖାଯାଇଥିବାବେଳେ ପରିମଳ ବ୍ୟବସ୍ଥା ପ୍ରତି ବିଶେଷ ଧ୍ୟାନ ଦିଆଯାଇଛି। କୋଣାର୍କ ବସ୍ଷ୍ଟାଣ୍ଡରେ ଅସ୍ଥାୟୀ ଶୌଚାଳୟ ବ୍ୟବସ୍ଥା କରାଯାଇଛି। ନିରବଚ୍ଛିନ୍ନ ବିଦ୍ୟୁତ୍ ବ୍ୟବସ୍ଥା କରାଯାଇଛି। ଆବଶ୍ୟକ ସଂଖ୍ୟକ ଆମ୍ବୁଲାନ୍ସ ସହିତ ପୁଲିସ୍ ଫୋର୍ସ ମୁତୟନ କରାଯାଇଛି।
ମାଘ ସପ୍ତମୀ ତିଥିରେ ଚନ୍ଦ୍ରଭାଗାରେ ବୁଡ଼ ପକାଇଲେ ବ୍ୟାଧିରୁ ମୁକ୍ତି ସାଙ୍ଗକୁ ପୁଣ୍ୟ ମିଳିଥାଏ ବୋଲି ବିଶ୍ୱାସ ରହିଛି।