୧୦ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୧୦ ତାରିଖରେ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିବେ । ରାଷ୍ଟ୍ରପତି ହେବା ପରେ ନିଜ ଗୃହ ରାଜ୍ୟକୁ ଶ୍ରୀମତୀ ମୁର୍ମୁଙ୍କ ଏହା ପ୍ରଥମ ଗସ୍ତ । ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ଆଜି ମୁଖ୍ୟ ସଚିବ ସୁରେଶ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ମୁଖ୍ୟ ସଚିବଙ୍କ ଅଫିସରୁ ମିଳିଥିବା ସୂଚନା ଅନୁସାରେ, ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଆସନ୍ତା ୧୦ତାରିଖ ପୂର୍ବାହ୍ନରେ ଭୁବନେଶ୍ୱରରେ ପହଂଚିବେ […]

Draupadi Murmu

Ordigital Desk
  • Published: Wednesday, 02 November 2022
  • , Updated: 02 November 2022, 10:06 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୧୦ ତାରିଖରେ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିବେ । ରାଷ୍ଟ୍ରପତି ହେବା ପରେ ନିଜ ଗୃହ ରାଜ୍ୟକୁ ଶ୍ରୀମତୀ ମୁର୍ମୁଙ୍କ ଏହା ପ୍ରଥମ ଗସ୍ତ । ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ଆଜି ମୁଖ୍ୟ ସଚିବ ସୁରେଶ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି ।

ମୁଖ୍ୟ ସଚିବଙ୍କ ଅଫିସରୁ ମିଳିଥିବା ସୂଚନା ଅନୁସାରେ, ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଆସନ୍ତା ୧୦ତାରିଖ ପୂର୍ବାହ୍ନରେ ଭୁବନେଶ୍ୱରରେ ପହଂଚିବେ । ସେଠାରୁ ଶ୍ରୀକ୍ଷେତ୍ର ପୁରୀ ଅଭିମୁଖେ ଯାତ୍ରା କରିବେ । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ସାରି ସିଂହଦ୍ୱାର ନିକଟସ୍ଥ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବେ । ତା’ପରେ ପୁରୀ ରାଜଭବନ ଯାଇ ସେଠାରେ ବିଶ୍ରାମ କରିବେ । ପରେ ଅପରାହ୍ନରେ ଭୁବନେଶ୍ୱର ଆସି ବିଭିନ୍ନ ସ୍ଥାନରେ ଥିବା ରାଜ୍ୟର ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବେ । ଏହାପରେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ରାଜଭବନ ଯିବେ ଓ ସେଠାରେ ତାଙ୍କ ନିମନ୍ତେ ନାଗରିକ ସମ୍ବର୍ଦ୍ଧନାର କାର୍ଯ୍ୟକ୍ରମ ରହିଛି । ରାତିରେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ରାଜଭବନରେ ରହିବେ ।

୧୧ ତାରିଖରେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଭୁବନେଶ୍ୱରରେ ଥିବା ଖଣ୍ଡଗିରି ସ୍ଥିତ ତପୋବନ ହାଇସ୍କୁଲର, ୟୁନିଟ-୨ ସରକାରୀ ଗାଲର୍ସ ହାଇସ୍କୁଲ ଓ କୁନ୍ତଳାକୁମାରୀ ସାବତ ଆଦିବାସୀ ଛାତ୍ରୀ ନିବାସ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି । ପରେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଜୟଦେବ ଭବନରେ ସର୍ବଭାରତୀୟ ବୈଷୟିକ ଶିକ୍ଷା ପରିଷଦ ଦ୍ୱାରା ପ୍ରସ୍ତୁତ ଓଡ଼ିଆ ଭାଷାରେ ଇଞ୍ଜିନିୟରିଂ ପୁସ୍ତକ ସମୂହ, ବିବିଧ ଭାରତୀୟ ଭାଷାରେ ୍‌ଜ୍ଞାନ ପୋର୍ଟାଲ ‘ଇ-କୁମ୍ଭ’ର ଉନ୍ମୋଚନ କରିବେ । ଅପରାହ୍ନରେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ ।

ରାଷ୍ଟ୍ରପତିଙ୍କ ଗସ୍ତ ସମୟରେ ତାଙ୍କୁ ଗାର୍ଡ ଅଫ ଅନର ପ୍ରଦାନ କରାଯିବା ସହ କୋଭିଡ୍ ଗାଇଡଲାଇନକୁ ପାଳନ କରିବାକୁ ସମସ୍ତଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ରାଷ୍ଟ୍ରପତିଙ୍କୁ ଭେଟୁଥିବା ଓ ତାଙ୍କ ସହ ସିଧାସଳଖ ଯୋଗାଯୋଗ କରୁଥିବା ସମସ୍ତ ବ୍ୟକ୍ତିଙ୍କର ଆରଟିପିସିଆର କୋଭିଡ୍ ପରୀକ୍ଷା ହେବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି। ରାଷ୍ଟ୍ରପତିିଙ୍କ ଗସ୍ତ ପାଇଁ ଆଜି ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ପୁଲିସ ଡିଜି ସୁନୀଲ ବଂଶଲ, ଗୃହ ବିଭାଗର ସ୍ୱତନ୍ତ୍ର ସଚିବ ସନ୍ତୋଷ ବାଲା, ବିଭିନ୍ନ ବିଭାଗର ସଚିବ, ପୁରୀ ଓ ଖୋର୍ଦ୍ଧା ଜିଲ୍ଲାପାଳ ପ୍ରମୁଖ ସାମିଲ ଥିଲେ ।

ସୂଚନାଯୋଗ୍ୟ, ଦେଶର ପ୍ରଥମ ଆଦିବାସୀ ଓ ଓଡ଼ିଆ ମହିଳା ଭାବେ ଶ୍ରୀମତୀ ମୁର୍ମୁ ଜୁଲାଇ ୨୫ତାରିଖରେ ରାଷ୍ଟ୍ରପତି ପଦର ଶପଥ ନେଇଥିଲେ ।

Related story