ଆସନ୍ତାକାଲି ଆସିବେ ରାଷ୍ଟ୍ରପତି, ଭୁବନେଶ୍ୱରରେ ଛୁଟି ଘୋଷଣା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଷ୍ଟ୍ରପତି ହେବା ପରେ ଆସନ୍ତାକାଲି ପ୍ରଥମଥର ପାଇଁ ନିଜ ଗୃହ ରାଜ୍ୟକୁ ଆସୁଥିବା ଦେଶର ପ୍ରଥମ ଆଦିବାସୀ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସମ୍ମାନରେ ରାଜ୍ୟ ସରକାର ସମଗ୍ର ଭୁବନେଶ୍ୱର ମହାନଗର ନିଗମ ଅଂଚଳରେ ଅଧା ଦିନ ସରକାରୀ ଛୁଟି ଘୋଷଣା କରିଛନ୍ତି । ଏହି ଛୁଟି ୧୦ ତାରିଖ ଅପରାହ୍ନ ୧ଟାରୁ  ହେବ । ଭୁବନେଶ୍ୱର ମହାନଗର ନିଗମ ଅଂଚଳରେ ଥିବା ସମସ୍ତ ସରକାରୀ ଅଫିସ, ସରକାରୀ ଓ ବେସରକାରୀ(ସ୍କୁଲ, କଲେଜ) ଶିକ୍ଷାନୁଷ୍ଠାନ ବନ୍ଦ […]

murmu

Ordigital Desk
  • Published: Wednesday, 09 November 2022
  • , Updated: 10 November 2022, 07:42 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଷ୍ଟ୍ରପତି ହେବା ପରେ ଆସନ୍ତାକାଲି ପ୍ରଥମଥର ପାଇଁ ନିଜ ଗୃହ ରାଜ୍ୟକୁ ଆସୁଥିବା ଦେଶର ପ୍ରଥମ ଆଦିବାସୀ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସମ୍ମାନରେ ରାଜ୍ୟ ସରକାର ସମଗ୍ର ଭୁବନେଶ୍ୱର ମହାନଗର ନିଗମ ଅଂଚଳରେ ଅଧା ଦିନ ସରକାରୀ ଛୁଟି ଘୋଷଣା କରିଛନ୍ତି । ଏହି ଛୁଟି ୧୦ ତାରିଖ ଅପରାହ୍ନ ୧ଟାରୁ  ହେବ । ଭୁବନେଶ୍ୱର ମହାନଗର ନିଗମ ଅଂଚଳରେ ଥିବା ସମସ୍ତ ସରକାରୀ ଅଫିସ, ସରକାରୀ ଓ ବେସରକାରୀ(ସ୍କୁଲ, କଲେଜ) ଶିକ୍ଷାନୁଷ୍ଠାନ ବନ୍ଦ ରହିବ।

ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁଙ୍କ ଗୃହ ରାଜ୍ୟକୁ ପ୍ରଥମ ଗସ୍ତ ସମ୍ମାନାର୍ଥେ ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ପକ୍ଷରୁ ଆଜି ଏହି ଛୁଟି ନେଇ ସୂଚନା ଦିଆଯାଇଛି । ସୂଚନା ଅନୁସାରେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଆସନ୍ତାକାଲି ପ୍ରାୟ ଦିନ ୧୨ଟା ସମୟରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଂଚିବେ । ବିମାନ ବନ୍ଦରରେ ତାଙ୍କୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ସ୍ୱାଗତ କରିବେ । ଏହାପରେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ବାୟୁସେନାର ସ୍ୱତନ୍ତ୍ର ହେଲିକପ୍ଟରରେ ପୁରୀ ଗସ୍ତରେ ଯାଇ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବେ । ଦର୍ଶନ ଶେଷ ହେବା ପରେ ପୁରୀ ରାଜଭବନକୁ ଯାଇ ସେଠାରେ ମହାପ୍ରସାଦ ସେବନ କରିବେ।

ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ମହାପ୍ରଭୁଙ୍କ ନୀତିକାନ୍ତି ଠିକ୍ ସମୟରେ ଶେଷ କରିବାକୁ ଆଜି ସେବାୟତମାନଙ୍କ ସହ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ପୁରୀ ଜିଲ୍ଲାପାଳ ଆଲୋଚନା କରିଛନ୍ତି । ଏହାସହିତ ଆସନ୍ତାକାଲି ସକାଳ ସାଢ଼େ ୧୦ଟାରୁ ରାଷ୍ଟ୍ରପତିଙ୍କ ଗସ୍ତ ଶେଷ ହେବା ପର୍ଯ୍ୟନ୍ତ ଶ୍ରୀମନ୍ଦିର ସର୍ବସାଧାରଣଙ୍କ ଦର୍ଶନ ନିମନ୍ତେ ବନ୍ଦ ରହିବ । ଏଥିପାଇଁ ପୁରୀରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । କେନ୍ଦ୍ରାଂଚଳ ଆଇଜି ନରସିଂହ ଭୋଳ ନିଜେ ପୁରୀରେ ଉପସ୍ଥିତ ରହି ସୁରକ୍ଷା ବ୍ୟବସ୍ଥାର ତଦାରଖ କରୁଛନ୍ତି । ବ୍ଲୁ ବୁକ୍ ଅନୁସାରେ ରାଷ୍ଟ୍ରପତିଙ୍କ ସୁରକ୍ଷା ବନ୍ଦୋବସ୍ତ ରାଜ୍ୟ ପୁଲିସ ପକ୍ଷରୁ ହୋଇଛି।

ରାଷ୍ଟ୍ରପତି ଅପରାହ୍ନରେ ଭୁବନେଶ୍ୱର ଫେରିବା ପରେ ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବେ । ରାଜଭବନରେ ତାଙ୍କ ସମ୍ମାନାଥେ ସନ୍ଧ୍ୟାରେ ନାଗରିକ ସମ୍ବର୍ଦ୍ଧନାର ବ୍ୟବସ୍ଥା ହୋଇଛି । ଶ୍ରୀମତୀ ମୁର୍ମୁ ରାଜଭବନରେ ରାତ୍ରିଯାପନ କରିବେ । ତା’ପରଦିନ ସକାଳେ ଅର୍ଥାତ ୧୧ ତାରିଖରେ ଖଣ୍ଡଗିରିସ୍ତିତ ତପୋବନ ହାଇସ୍କୁଲ, ୟୁନିଟ୍ ୨ ସରକାରୀ ବାଳିକା ହାଇସ୍କୁଲ ଓ କୁନ୍ତଳା କୁମାରୀ ସାବତ ଆଦିବାସୀ ହଷ୍ଟେଲ ପରିଦର୍ଶନରେ ଯିବେ । ଜୟଦେବ ଭବନରେ ଓଡ଼ିଆ ଟେଷ୍ଟବୁକ୍ ଇ-କୁମ୍ଭର ଉନ୍ମୋଚନ କାର୍ଯ୍ୟକ୍ରମରେ ସାମିଲ ହୋଇ ଅପରାହ୍ନରେ ନୂଆଦିଲ୍ଲୀ ଫେରିଯିବେ ବୋଲି ଜଣାପଡ଼ିଛି।

ରାଷ୍ଟ୍ରପତିଙ୍କ ସୁରକ୍ଷା ନିମନ୍ତେ ଭୁବନେଶ୍ୱରରେ ୩୪ ପ୍ଲାଟୁନ୍ ପୁଲିସ ଫୋର୍ସ ସହ ୨୦୦ ପୁଲିସ ଏସଆଇ ଓ ଏଏସଆଇ, ୬୨ଜଣ ଏସିପି, ୨୨ଜଣ ଅତିରିକ୍ତ ଡିସିପି ଓ ୪ଜଣ ଡିସିପି ର‌୍ୟାଙ୍କ ଅଫିସର ନିୟୋଜିତ ହୋଇଛନ୍ତି।

ସୂଚନାଯୋଗ୍ୟ, ଶ୍ରୀମତୀ ମୁର୍ମୁ ୨୦୨୨ ଜୁଲାଇ ୨୫ତାରିଖରେ ଦେଶର ରାଷ୍ଟ୍ରପତି ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ।

Related story