ବିସ୍ଥାପନର ୩୦ ବର୍ଷ ପରେ ବି ସରୁନି ସଂଘର୍ଷ       

ଦେବଗଡ଼ (ସିଦ୍ଧାର୍ଥ ଗୁରୁ): ରେଙ୍ଗାଳି ବହୁମୁଖୀ ନଦୀବନ୍ଧ ପାଇଁ ପ୍ରାୟ ୩୦ ବର୍ଷ ପୂର୍ବେ ଭିଟାମାଟି ଛାଡ଼ିଥିଲେ ଦେବଗଡ଼ ଜିଲ୍ଲାର କେଶଲା ଗାଁ ଲୋକେ। ନୂତନ ଗାଁ ‘ନୂଆ କେଶଲା’ କରି ସେମାନଙ୍କୁ ଥଇଥାନ କରିଥିଲା ପ୍ରଶାସନ। ହେଲେ ଘର ଓ ଜମିର ନକ୍ସା ପ୍ରସ୍ତୁତ କରିବାକୁ ଭୁଲିଗଲା। ଫଳରେ ନିଜ ନାଁରେ ଥିବା ଜାଗା ଚିହ୍ନଟ ପାଇଁ ଆରଆଇ ଓ ତହସିଲଦାରଙ୍କଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀଙ୍କ ପର୍ଯ୍ୟନ୍ତ ଗୁହାରି କରି କରି ବିସ୍ଥାପିତମାନେ ହତାଶ ହୋଇ […]

debgarh-1..1

Niharika Rout
  • Published: Saturday, 31 August 2019
  • , Updated: 31 August 2019, 03:09 PM IST

ଦେବଗଡ଼ (ସିଦ୍ଧାର୍ଥ ଗୁରୁ): ରେଙ୍ଗାଳି ବହୁମୁଖୀ ନଦୀବନ୍ଧ ପାଇଁ ପ୍ରାୟ ୩୦ ବର୍ଷ ପୂର୍ବେ ଭିଟାମାଟି ଛାଡ଼ିଥିଲେ ଦେବଗଡ଼ ଜିଲ୍ଲାର କେଶଲା ଗାଁ ଲୋକେ। ନୂତନ ଗାଁ ‘ନୂଆ କେଶଲା’ କରି ସେମାନଙ୍କୁ ଥଇଥାନ କରିଥିଲା ପ୍ରଶାସନ। ହେଲେ ଘର ଓ ଜମିର ନକ୍ସା ପ୍ରସ୍ତୁତ କରିବାକୁ ଭୁଲିଗଲା। ଫଳରେ ନିଜ ନାଁରେ ଥିବା ଜାଗା ଚିହ୍ନଟ ପାଇଁ ଆରଆଇ ଓ ତହସିଲଦାରଙ୍କଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀଙ୍କ ପର୍ଯ୍ୟନ୍ତ ଗୁହାରି କରି କରି ବିସ୍ଥାପିତମାନେ ହତାଶ ହୋଇ ପଡ଼ିଲେଣି। ଜମି ଚିହ୍ନଟ ହେବ କି ନାହିଁ, ତାହା ଏବେ ମଧ୍ୟ ଅନିଶ୍ଚିତତା ମଧ୍ୟରେ ଗତି କରୁଛି।

ସୂଚନା ଅନୁଯାୟୀ, ରେଙ୍ଗାଳି ବହୁମୁଖୀ ନଦୀବନ୍ଧ ଯୋଜନା ପାଇଁ ୧୯୮୧ ମସିହାରେ କେଶଲା ଗାଁ ଲୋକଙ୍କୁ ସରକାର ସ୍ଥାନାନ୍ତର କରିଥିଲେ। ୧୯୮୨ ଓ ୧୯୮୩ ମସିହାରେ ଜମି ଓ ଘରଡ଼ିହ ବାବଦକୁ ପ୍ରୋଭିଜିନାଲ ପଟ୍ଟା ପ୍ରଦାନ କରିଥିଲେ। ୧୯୮୯ ମସିହାରେ ଫାଇନାଲ୍‌ ପଟ୍ଟା ଦିଆଯାଇଥିଲା। ହେଲେ ନକ୍ସା ନ ଥିବାରୁ ନିଜ ନାଁରେ ଥିବା ସମ୍ପତ୍ତିର କୌଣସି ନିର୍ଦ୍ଦିଷ୍ଟ ସୂଚନା ନପାଇ ହଇରାଣ ହେଉଛନ୍ତି ଏହି ବିସ୍ଥାପିତମାନେ। ଏବେ ବି ଏଥିପାଇଁ ସେମାନଙ୍କ ସଂଘର୍ଷ ଜାରି ରହିଛି। ନିରାଶ ହେଉଥିବା ସତ୍ତ୍ୱେ ତହସିଲ୍‌ ଅଫିସ୍‌କୁ ବାରମ୍ବାର ଦୌଡ଼ୁଛନ୍ତି। ଏହା ସହିତ କିଏ କେଉଁଠି ଘର କରିବ, କେଉଁ ଜମି ଚାଷ କରିବ, ତାକୁ ନେଇ ବେଳେ ବେଳେ ଗାଁରେ ରକ୍ତାକ୍ତ ସଂଘର୍ଷ ବି ହେଉଛି। ଆଉ ମାମଲା ଥାନା ଓ କୋର୍ଟକୁ ଯାଉଛି। ଅନ୍ୟପକ୍ଷରେ ନକ୍ସା ନଥିବା ବାହାନା ଦେଖାଇ ବିଭାଗୀୟ ଅଧିକାରୀ ସମସ୍ୟା ଦୂର କରିବାକୁ ପଦକ୍ଷେପ ଗ୍ରହଣ କରୁନାହାନ୍ତି।

ବାରକୋଟ ତହସିଲଦାର ରାଜୀବ କୁମାର ବେହେରା ଅଭିଯୋଗକୁ ସ୍ୱୀକାର କରିଛନ୍ତି। ସେ କହିଛନ୍ତି, ସେଟେଲମେଣ୍ଟ ସର୍ଭେ ଚାଲିଛି। ସ୍ୱୀକୃତିପ୍ରାପ୍ତ ନକ୍ସା ପ୍ରକାଶ ପାଇବା ପରେ ଗ୍ରାମବାସୀଙ୍କ ସମସ୍ୟା ଦୂର ହେବ।

 

Related story