‘ବାରିପଦା ମୁଢ଼ି‘କୁ ଜିଆଇ ମାନ୍ୟତା ପାଇଁ କସରତ ଆରମ୍ଭ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କନ୍ଧମାଳ ହଳଦୀ ଓ ଓଡ଼ିଶା ରସଗୋଲା ପରେ ଏବେ ‘ବାରିପଦା ମୁଡ଼ି’କୁ ‘ଜିଆଇ ମାନ୍ୟତା’ ଦେବା ପାଇଁ ସରକାରୀସ୍ତରରେ ତତ୍ପରତା ପ୍ରକାଶ ପାଇଛି । ବାରିପଦା ମୁଡ଼ିର ବିଶେଷତ୍ୱ ଓ ଏହା ସମ୍ପର୍କରେ ଆବଶ୍ୟକ ତଥ୍ୟ ସଂଗ୍ରହ ପାଇଁ ରାଜ୍ୟ ସରକାର ଗତ ବୁଧବାର ମୟୂରଭଞ୍ଜ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ମିଳିଥିବା ସୂଚନା ଅନୁସାରେ, ବିଜ୍ଞାନ ଓ ବୈଷୟିକ ବିଭାଗର ସଚିବ ସୁରେଶ କୁମାର ବଶିଷ୍ଠ ବୁଧବାର ମୟୂରଭଞ୍ଜ ଜିଲ୍ଲାପାଳଙ୍କୁ ଚିଠି ଳେଖି […]

Mudhi

Ordigital Desk
  • Published: Friday, 26 August 2022
  • , Updated: 26 August 2022, 09:11 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କନ୍ଧମାଳ ହଳଦୀ ଓ ଓଡ଼ିଶା ରସଗୋଲା ପରେ ଏବେ ‘ବାରିପଦା ମୁଡ଼ି’କୁ ‘ଜିଆଇ ମାନ୍ୟତା’ ଦେବା ପାଇଁ ସରକାରୀସ୍ତରରେ ତତ୍ପରତା ପ୍ରକାଶ ପାଇଛି । ବାରିପଦା ମୁଡ଼ିର ବିଶେଷତ୍ୱ ଓ ଏହା ସମ୍ପର୍କରେ ଆବଶ୍ୟକ ତଥ୍ୟ ସଂଗ୍ରହ ପାଇଁ ରାଜ୍ୟ ସରକାର ଗତ ବୁଧବାର ମୟୂରଭଞ୍ଜ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ମିଳିଥିବା ସୂଚନା ଅନୁସାରେ, ବିଜ୍ଞାନ ଓ ବୈଷୟିକ ବିଭାଗର ସଚିବ ସୁରେଶ କୁମାର ବଶିଷ୍ଠ ବୁଧବାର ମୟୂରଭଞ୍ଜ ଜିଲ୍ଲାପାଳଙ୍କୁ ଚିଠି ଳେଖି ‘ବାରିପଦା ମୁଡ଼ି’ର ଇତିହାସ ସମ୍ପର୍କରେ ତଥ୍ୟ ମାଗିଛନ୍ତି । ବାରିପଦା ମୁଡ଼ିକୁ ଜିଆଇ(ଜିଓଗ୍ରାଫିକାଲ ଇଣ୍ଡିକେସନ) ପଞ୍ଜିକରଣ ନିମନ୍ତେ ବଳିଷ୍ଠ ତଥ୍ୟ ଆବଶ୍ୟକ ଥିବାରୁ ଏଥିପାଇଁ ଜଣେ ନୋଡାଲ ଅଫିସର ମନୋନୀତ କରିବାକୁ ଜିଲ୍ଲାପାଳଙ୍କୁ ପରାମର୍ଶ ଦେଇଛନ୍ତି । ଯିଏକି ବାରିପଦା ମୁଡ଼ିକୁ ଜିଆଇ ମାନ୍ୟତା ପାଇଁ ଆବେଦନ ନିମନ୍ତେ ଆବଶ୍ୟକ ଦସ୍ତାବିଜ ସଂଗ୍ରହରେ ବିଜ୍ଞାନ ଓ ବୈଷୟିକ ବିଭାଗ ଦ୍ୱାରା ଆଇପିଆର କନସଲାଣ୍ଟଙ୍କ ସହ ମିଶି କାର୍ଯ୍ୟ କରିବେ । ବାରିପଦା ମୁଡ଼ିକୁ ଜିଆଇ ପଞ୍ଜିକରଣ ନିମନ୍ତେ ଆବଶ୍ୟକ ତଥ୍ୟ ଓ ଦସ୍ତାବିଜ ସଂଗ୍ରହ ନିମନ୍ତେ ବୈଷୟିକ ଓ ଆର୍ଥିକ ସହାୟତା ବିଜ୍ଞାନ ଓ ବୈଷୟିକ ବିଭାଗ ଦ୍ୱାରା ପ୍ରଦାନ କରାଯିବ ବୋଲି ଶ୍ରୀ ବଶିଷ୍ଠ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି ।

ଉଲ୍ଲେଖଯୋଗ୍ୟ, ବାରିପଦା ମୁଡ଼ିର ନିଆରା ସ୍ୱାଦ ରହିଥିବାବେଳେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ(ଓୟୁଏଟି)ର ଆଇପିଆର ସେଲ୍ ପକ୍ଷରୁ ବାରିପଦା ମୁଡ଼ିର ଜିଆଇ ପଞ୍ଜିକରଣ କରାଇବା ନିମନ୍ତେ ପ୍ରୟାସ ହୋଇଥିଲା । ମାତ୍ର ତାହା ଏବେ କେଉଁ ସ୍ଥିତିରେ ଅଛି ତାହା ଅସ୍ପଷ୍ଟ ।

ସୂଚନାଯୋଗ୍ୟ, ବହୁ ବାଦବିବାଦ ପରେ ଓଡ଼ିଶା ରସଗୋଲାକୁ ୨୦୧୯ ଜୁଲାଇ ୨୯ତାରିଖରେ ଜିଆଇ ମାନ୍ୟତା ମିଳିଥିଲା । ଯାହାକି ୨୦୨୮ ଫେବୃୟାରୀ ୨୨ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ । ସେହିପରି କନ୍ଧମାଳ ହଳଦୀକୁ ୨୦୧୯ ଏପ୍ରିଲ ୧ରେ ଜିଆଇ ମାନ୍ୟତା ମିଳିଥିଲା । କେନ୍ଦ୍ରାପଡ଼ା ରସାବଳି ଓ ଛେନାପୋଡ଼ ଓ ମୟୂରଭଞ୍ଜ ଜିଲ୍ଲାର ନାଲି କାଇ ଚଟଣୀ ଭଳି ଖାଦ୍ୟ ସାମଗ୍ରୀ ନିମନ୍ତେ ବିଭିନ୍ନ ସମୟରେ ଜିଆଇ ମାନ୍ୟତା ଦାବି ହୋଇଛି ।

Related story