ପୁରୀ (ମଧୁସୂଦନ ମିଶ୍ର): ସମସ୍ତ ପ୍ରାକ୍ ପ୍ରସ୍ତୁତି ସତ୍ତ୍ୱେ ସାଧୁ ସନ୍ଥଙ୍କ ପ୍ରବଳ ବିରୋଧ ଯୋଗୁଁ ଗତକାଲି ବଡ଼ ଆଖଡ଼ା ମଠ ଉଚ୍ଛେଦ ପ୍ରକ୍ରିୟା ବନ୍ଦ ରହିଥିଲା । ରାଜ୍ୟ ଓ ରାଜ୍ୟ ବାହାରରୁ ବହୁତ ସଂଖ୍ୟାରେ ସାଧୁ ଏକାଠି ହୋଇ ପ୍ରକ୍ରିୟାକୁ ବିରୋଧ କରିଥିଲେ । ଏହି ପ୍ରସଙ୍ଗରେ ଆଜି ପୁରୀ ଜିଲ୍ଲାପାଳଙ୍କୁ ଭେଟିବ ୧୫ ଜଣିଆ କମିଟି ।
ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀଙ୍କ ନେତୃତ୍ୱରେ ଏହି ଟିମ୍ ଗଢାଯାଇଛି । କମିଟିରେ ପୂର୍ବରୁ ଉଚ୍ଛେଦ ହୋଇ କ୍ଷତିପୂରଣ ପାଇନଥିବା ବ୍ୟକ୍ତି, ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ, ଓକିଲ ସଂଘ କର୍ମକର୍ତ୍ତା ମଧ୍ୟ ସାମିଲ ଅଛନ୍ତି । ଗତକାଲି ଅନୁଷ୍ଠିତ ମହାସମାବେଶରେ ବିଭିନ୍ନ ମଠର ମହନ୍ତ, ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ, ଓକିଲ ସଂଘ କାର୍ଯ୍ୟକର୍ତ୍ତା ସାମିଲ ହୋଇଥିଲେ ।
ଶ୍ରୀମନ୍ଦିର ଚୌହଦିରୁ ଉଚ୍ଛେଦକୁ ବିରୋଧ କରି ଗତକାଲି ପୁରୀ ଟାଉନ ହଲରେ ହୋଇଥିବା ମହାସମାବେଶ ଅନୁଷ୍ଠିତ ହୋଇଥିଲା । ଏପଟେ ସାଧୁସନ୍ଥଙ୍କ ସହ ଆଲୋଚନା ବିଫଳ ହେବା ପରେ ବଡ଼ ଆଖଡ଼ା ମଠରେ ସୁରକ୍ଷା ବଢ଼ିଛି । ପୁରା ମଠକୁ ଫୋର୍ସ କର୍ଡନ କରି ରଖିଛି । ମଠ ନିକଟରେ ଉଚ୍ଛେଦ କାର୍ଯ୍ୟରେ ନିୟୋଜିତ ଯନ୍ତ୍ରାଂଶକୁ ଆଣି ରଖାଯାଇଛି ।
ମଠ ଭାଙ୍ଗିବା ଲାଗି ସହମତି ଦେବାକୁ ପ୍ରଶାସନ ଚାପ ପକାଉଥିବା ଅଭିଯୋଗ କରିଛନ୍ତି ମହନ୍ତ ଓ ସାଧୁସନ୍ଥ। ଆନ୍ଦୋଳନକାରୀ ସାଧୁ ସନ୍ଥଙ୍କ ଅଭିଯୋଗ ଆଣିଛନ୍ତି ଯେ , ମଠ ଭାଙ୍ଗିବା ଲାଗି ସହମତି ଦେବାକୁ ଏବଂ ବିପଦସକୁଳ ବୋଲି ଦସ୍ତାବିଜ୍ରେ ଦସ୍ତଖତ କରିବାକୁ ପ୍ରଶାସନ ଚାପ ପକାଉଛି ।
ମଠ ସଂପୂର୍ଣ୍ଣ ସୁରକ୍ଷିତ ଥିଲେ ବି କେଉଁ ଆଧାରରେ ଅସୁରକ୍ଷିତ ଦର୍ଶାଇ ଭାଙ୍ଗିବାକୁ ଯାଉଛି ପ୍ରଶାସନ ବୋଲି ପ୍ରଶ୍ନ କରିଛନ୍ତି ସାଧୁସନ୍ଥ। ଯଦି ମଠ ବିପଦସଙ୍କୁଳ ଥିଲା ତେବେ ଏହାରି ପରିସରରେ ବର୍ଷ ବର୍ଷ ଧରି ସିଂହଦ୍ୱାର ଥାନା କିପରି ଚାଲିଥିଲା ? ତେଣୁ କୌଣସି ପରିସ୍ଥିତିରେ ମଠ ସଂସ୍କୃତି ଉପରେ ଆକ୍ରମଣକୁ ବରଦାସ୍ତ କରାଯିବନି କହି ଉଚ୍ଛେଦକୁ ବିରୋଧ କରିଛନ୍ତି ସାଧୁସନ୍ଥ ।
ପ୍ରଶାସନ କଥାରେ ସ୍ପଷ୍ଟତା ନଥିବା କହି ମଠ ମହନ୍ତ ଶ୍ରୀ ହରିନାରାୟଣ ଦାସ ମଧ୍ୟ ଅସହମତି ପ୍ରକାଶ କରିଥିଲେ । ସାଧୁସନ୍ଥ ମେଳି କରି ଉଚ୍ଛେଦକୁ ତୀବ୍ର ବିରୋଧ କରୁଥିବାରୁ ବଡ଼ ଆଖଡ଼ା ମଠ ଉଚ୍ଛେଦ ପାଇଁ ପଛଘୁଞ୍ଚା ଦେଉଛି ପ୍ରଶାସନ।