ମୁହଁ ଖୋଲିଲେ ଚୁଲି ଭାଙ୍ଗିଥିବା ସନ୍ଦିଗ୍ଧର ବାପା-ମାଆ

ଖୋର୍ଦ୍ଧା(ବଳରାମ ଲେଙ୍କା): ମହାପ୍ରଭୁଙ୍କ ରୋଷଶାଳାରେ ଚୁଲି ଭାଙ୍ଗିବା ସନ୍ଦିଗ୍ଧ ଜଗନ ମହାପାତ୍ରକୁ ଗିରଫ କରିଛି ପୁରୀ ପୁଲିସ୍‌। ପୁଅର ଏପରି କାମ ପାଇଁ ଅତ୍ୟଧିକ ମର୍ମାହତ ହୋଇଛନ୍ତି ଜଗନଙ୍କ ବାପା-ମାଆ। ଆଜି ଭାବବ୍ୟୁହ ହୋଇ ଜଗନଙ୍କ ବାପା କହିଛନ୍ତି, ଯଦି ସେ କୌଣସି ଦୋଷ କରିଛି, ତାହାହେଲେ ମହାପ୍ରଭୁ ଜଗନ୍ନାଥ ତାକୁ ଦଣ୍ଡ ଦେବେ। ଆଉ ମାଆ କହିଛନ୍ତି, ମୋ’ ପୁଅ ନିର୍ଦ୍ଦୋଷ। କୋଟି ଓଡ଼ିଆଙ୍କ ମଉଡ଼ମଣୀ ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ଖୋର୍ଦ୍ଧା ଜିଲ୍ଲା ବେଗୁନିଆ […]

Puri

Manoranjan Sial
  • Published: Wednesday, 06 April 2022
  • , Updated: 06 April 2022, 06:47 PM IST

ଖୋର୍ଦ୍ଧା(ବଳରାମ ଲେଙ୍କା): ମହାପ୍ରଭୁଙ୍କ ରୋଷଶାଳାରେ ଚୁଲି ଭାଙ୍ଗିବା ସନ୍ଦିଗ୍ଧ ଜଗନ ମହାପାତ୍ରକୁ ଗିରଫ କରିଛି ପୁରୀ ପୁଲିସ୍‌। ପୁଅର ଏପରି କାମ ପାଇଁ ଅତ୍ୟଧିକ ମର୍ମାହତ ହୋଇଛନ୍ତି ଜଗନଙ୍କ ବାପା-ମାଆ। ଆଜି ଭାବବ୍ୟୁହ ହୋଇ ଜଗନଙ୍କ ବାପା କହିଛନ୍ତି, ଯଦି ସେ କୌଣସି ଦୋଷ କରିଛି, ତାହାହେଲେ ମହାପ୍ରଭୁ ଜଗନ୍ନାଥ ତାକୁ ଦଣ୍ଡ ଦେବେ। ଆଉ ମାଆ କହିଛନ୍ତି, ମୋ’ ପୁଅ ନିର୍ଦ୍ଦୋଷ।

କୋଟି ଓଡ଼ିଆଙ୍କ ମଉଡ଼ମଣୀ ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଅଞ୍ଚଳର ଜଗନ ମହାପାତ୍ର ଶ୍ରୀକ୍ଷେତ୍ର ଯାଇଥିଲେ। ସିଂହଦ୍ୱାର ଦେଇ ଶ୍ରୀମନ୍ଦିରରେ ପଶିଥିଲେ। ଶ୍ରୀମନ୍ଦିରରେ ବୁଲୁଥିବା ବେଳେ ସେ କିଛି ଅସହଜ ଅନୁଭବ କଲେ। ତା’ ପରେ ରୋଷଘରକୁ ଯାଇ ଏପରି କାଣ୍ଡ ଘଟାଇଥିବା ପୁରୀ ଏସ୍‌ପି କନୱାର ବିଶାଳ ସିଂହ କହିଛନ୍ତି। ହେଲେ ଜଗନ ଏପରି କାମ କରିଥିବେ ବୋଲି ପରିବାର ଲୋକ ବିଶ୍ୱାସ କରିପାରୁ ନାହାନ୍ତି।

ପରିବାର ଲୋକଙ୍କ କହିବା ଅନୁସାରେ ଜଗନ ଅତ୍ୟଧିକ ଧର୍ମପରାୟଣ ବ୍ୟକ୍ତି ଥିଲେ। ବିଶେଷକରି ପୁରୀ ଓ ରଣପୁର ଜଗନ୍ନାଥ ମନ୍ଦିରକୁ ବହୁ ସମୟରେ ଯାଇଥାଆନ୍ତି। ଏପରିକି ଗାଁରେ ଥିବା ମନ୍ଦିରରେ ବହୁ ସମୟ ବିତାଇ ଥାଆନ୍ତି। ମନ୍ଦିର ଭିତରେ କୌଣସି ପ୍ରକାର ଅପରିଷ୍କାରକୁ ସେ ବରଦାସ୍ତ କରନ୍ତିନାହିଁ। ତେବେ ଠାକୁରଙ୍କୁ ଏତେ ଭଲ ପାଉଥିବା ଜଗନ ରୋଷ ଘର ଚୁଲି କିଭଳି ଭାଙ୍ଗିଲା, ତାହା ଜଗନ୍ନାଥଙ୍କୁ ଜଣା ବୋଲି କହିଛନ୍ତି ଜଗନଙ୍କ ବାପା। ଯଦି ସେ କୌଣସି ଦୋଷ କରିଛି, ତାହାହେଲେ ଜଗନ୍ନାଥ ତାକୁ ଦଣ୍ଡ ଦେବେ ବୋଲି ଭାବବିହ୍ଵଳ ହୋଇ ଜଗନଙ୍କ ବାପା କହିଛନ୍ତି। ସେପଟେ ଗାଁ ଲୋକ ମଧ୍ୟ କକହିଛନ୍ତି ଜଗନ ଜଣେ ପରୋପକାରୀ ଓ ଭଲ ପିଲା। ସେ ଜଗନ୍ନାଥଙ୍କ ପରମ ଭକ୍ତ।

ସୂଚନାଯୋଗ୍ୟ, ରବିବାର ବିଳମ୍ୱିତ ରାତିରେ ଶ୍ରୀମନ୍ଦିର ରୋଷଶାଳା ପଶି ପ୍ରାୟ ୮୦ରୁ ଅଧିକ ଚୁଲି ଭାଙ୍ଗି ଦିଆଯାଇଛି। ଯେଉଁଥିପାଇଁ ମହାପ୍ରଭୁଙ୍କ ଅବଢ଼ା ପ୍ରସ୍ତୁତିରେ ବ୍ୟାଘାତ ସୃଷ୍ଟି ହୋଇଥିଲା। ମହାପ୍ରଭୁଙ୍କ ନୀତିକାନ୍ତିରେ ମଧ୍ୟ ବ୍ୟାଘାତ ସୃଷ୍ଟି ହୋଇଥିବା ଅଭିଯୋଗ ହୋଇଥିଲା। ଏହାକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇବା ପରେ ପ୍ରଶାସନର ଚେତା ପଶିଥିଲା। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏନେଇ ସିଂହଦ୍ୱାର ଥାନାରେ ଲିଖିତ ଅଭିଯୋଗ ହୋଇଥିଲା। ପୁଲିସ୍‌ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ଗତକାଲି ରାତିରେ ସନ୍ଦିଗ୍ଧକୁ ପୁରୀ-ଖୋର୍ଦ୍ଧା ସୀମାରୁ ଧରିଥିଲା। ଆଉ ଜେରା ପରେ ସେ ଚୁଲି ଭାଙ୍ଗିଥିବା ସ୍ୱୀକାର କରିଥିଲା। ପୁରୀ ପୁଲିସ୍‌ ଆଜି ତାକୁ କୋର୍ଟ ଚାଲାଣ କରିବ ବୋଲି ଜଣାପଡ଼ିଛି।

Related story