ଅନିଶ୍ଚିତତାରେ ପ୍ୟାରୀଙ୍କ କ୍ୟାରିୟର, ଦଳରେ ପୁଣି ଥରେ ନେବା ଚର୍ଚ୍ଚାକୁ ବିଜେଡିର ଖଣ୍ଡନ

ଭୁବନେଶ୍ୱର: ଜୁଲାଇ ୧ ତାରିଖରେ ପ୍ୟାରୀମୋହନ ମହାପାତ୍ରଙ୍କ ରାଜ୍ୟସଭା କାର୍ଯ୍ୟକାଳ ଶେଷ ହେବ। ଏହା ପରେ ତାଙ୍କ ରାଜନୈତିକ କ୍ୟାରିୟର ମଧ୍ୟ ଏକ ପ୍ରକାର ଶେଷ ହୋଇଯିବ ବୋଲି ଚର୍ଚ୍ଚା ଜୋର ଧରିଛି। ଏହା ପଛର କାରଣ ହେଉଛି, ୨୦୧୨ ମେ’ ୨୯ ମିଡ ନାଇଟ୍‌ ଅପରେସନ। ୪ ବର୍ଷ ପୂର୍ବେ ଏହିଦିନ ନବୀନଙ୍କ ବିରୋଧରେ ସେ କରିଥିବା ଷଡ଼ଯନ୍ତ୍ର ତାଙ୍କ ରାଜନୈତିକ କ୍ୟାରିୟରରେ ନିର୍ଣ୍ଣାୟକ ମୋଡ଼ ଆଣିଥିଲା। ଏହା ମଧ୍ୟରେ ସେ ଓଡ଼ିଶା ଜନମୋର୍ଚ୍ଚା ନାଁରେ […]

pyari

Rakesh Mallick
  • Published: Sunday, 29 May 2016
  • , Updated: 29 May 2016, 05:43 PM IST

ଭୁବନେଶ୍ୱର: ଜୁଲାଇ ୧ ତାରିଖରେ ପ୍ୟାରୀମୋହନ ମହାପାତ୍ରଙ୍କ ରାଜ୍ୟସଭା କାର୍ଯ୍ୟକାଳ ଶେଷ ହେବ। ଏହା ପରେ ତାଙ୍କ ରାଜନୈତିକ କ୍ୟାରିୟର ମଧ୍ୟ ଏକ ପ୍ରକାର ଶେଷ ହୋଇଯିବ ବୋଲି ଚର୍ଚ୍ଚା ଜୋର ଧରିଛି। ଏହା ପଛର କାରଣ ହେଉଛି, ୨୦୧୨ ମେ’ ୨୯ ମିଡ ନାଇଟ୍‌ ଅପରେସନ। ୪ ବର୍ଷ ପୂର୍ବେ ଏହିଦିନ ନବୀନଙ୍କ ବିରୋଧରେ ସେ କରିଥିବା ଷଡ଼ଯନ୍ତ୍ର ତାଙ୍କ ରାଜନୈତିକ କ୍ୟାରିୟରରେ ନିର୍ଣ୍ଣାୟକ ମୋଡ଼ ଆଣିଥିଲା। ଏହା ମଧ୍ୟରେ ସେ ଓଡ଼ିଶା ଜନମୋର୍ଚ୍ଚା ନାଁରେ ରାଜନୈତିକ ଦଳ ଗଠନ କରିଥିଲେ ମଧ୍ୟ ତାଙ୍କୁ ସଫଳତା ମିଳିନାହିଁ। ଅନ୍ୟପକ୍ଷରେ ପ୍ୟାରୀଙ୍କୁ ପୁଣି ଥରେ ଦଳରେ ନେବା ଚର୍ଚ୍ଚାକୁ ବିଜେଡି ପକ୍ଷରୁ ଖଣ୍ଡନ କରାଯାଇଛି।

୨୦୧୨ ମେ’ ୨୯ରେ ନବୀନ ଥିଲେ ଲଣ୍ଡନରେ। ନବୀନଙ୍କୁ ହଟାଇ ମୁଖ୍ୟମନ୍ତ୍ରୀ ହେବାକୁ ସେତେବେଳେ ବିଜେଡିର ଦ୍ୱିତୀୟ କ୍ଷମତା କେନ୍ଦ୍ର କୁହାଯାଉଥିବା ପ୍ୟାରୀ କରିଥିଲେ ଉଦ୍ୟମ। ସନ୍ଧ୍ୟାରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ସହିଦ ନଗର ସ୍ଥିତି ତାଙ୍କ ବାସଭବନରେ ପହଞ୍ଚି ଥିଲେ ଜଣକ ପରେ ଜଣେ ବିଧାୟକ। କିଛି ବିଧାୟକଙ୍କ ପାଇଁ ସ୍ୱସ୍ତି ପ୍ରିମିୟମ ହୋଟେଲରେ ରୁମ୍‌ ମଧ୍ୟ ବୁକ ହୋଇଥିଲା। ପ୍ୟାରୀଙ୍କୁ ଭେଟିବା ପରେ କିଛି ବିଧାୟକ ନବୀନ ନିବାସ ଫେରିଥିଲେ। ଏହା ପରେ ଜଣାପଡିଥିଲା ଘଟଣା। ବରିଷ୍ଠ ନେତାମାନେ ନବୀନ ନିବାସରେ ରହି ପ୍ୟାରୀଙ୍କ ଏପରି ଷଡ଼ଯନ୍ତ୍ରକୁ ଭଣ୍ଡୁର କରିବାକୁ ଗୋଟି ଚାଳନା ଆରମ୍ଭ କରିଦେଇଥିଲେ। ଏହି ଖବର ନବୀନଙ୍କ ପାଖରେ ପହଞ୍ଚିବା ପରେ ସେ ଗସ୍ତ ଅଧାରୁ ବାତିଲ କରି ଓଡ଼ିଶା ଫେରି ଆସିଥିଲେ। ଓଡ଼ିଶାରେ ପହଞ୍ଚିବା ପରେ ପ୍ୟାରୀ ଦଳରୁ ବହିଷ୍କୃତ ହୋଇଥିଲେ।

ବିଜେଡି ଉପସଭାପତି ଦାମୋଦର ରାଉତ କହିଛନ୍ତି, “ସ୍ୱସ୍ତି ପ୍ରିମିୟମ ହୋଟେଲରେ ୩୦ଟି ରୁମ୍‌ ବୁକ୍‌ କରାଯାଇଥିଲା। ରାଜ୍ୟପାଳଙ୍କ ସହ ସାକ୍ଷାତ ପାଇଁ ମଧ୍ୟ ଦିନ ସ୍ଥିର ହୋଇଥିଲା। ସୁଚିନ୍ତିତ ଭାବେ ବ୍ୟବସ୍ଥା କରାଯାଇଥିଲା। ଏହାକୁ ଯଦି ମିଛ ବୋଲି କହିବ ମୁଁ ଆଉ କିଛି କହି ପାରିବି ନାହିଁ।”

ବିଜେଡି ମୁଖପାତ୍ର ପ୍ରତାପ ଦେବ କହିଛନ୍ତି, “ନିଶ୍ଚିତ ଭାବେ ଷଡ଼ଯନ୍ତ୍ର ହୋଇଥିଲା। ଯେଉଁମାନେ ସେଥିରେ ସମ୍ପୃକ୍ତ ଥିଲେ ଓ ଯେଉଁମାନଙ୍କୁ ବ୍ୟବହାର କରାଯାଇଥିଲା ସେମାନେ ଦଳର ନେତାଙ୍କ ପାଖରେ ସମସ୍ତ କଥା କହିଥିଲେ। ପୂର୍ବରୁ ଯାହା ଘଟଣା ଘଟି ଯାଇଛି ତାକୁ ଦେଖିଲେ ମୋତେ ଲାଗୁନାହିଁ ତାଙ୍କୁ ପୁଣି ଥରେ ଦଳକୁ ଫେରାଇ ଆଣିବାକୁ ବିଚାର କରାଯିବ।”

ବରିଷ୍ଠ ସାମ୍ବାଦିକ ରବି ଦାସ କହିଛନ୍ତି, “ମୁଁ ଭାବୁଛି ତାଙ୍କ ରାଜନୈତିକ କ୍ୟାରିୟର ଆଗକୁ ଯିବାର ସମ୍ଭାବନା ନାହିଁ। ତାଙ୍କ ପାଖକୁ ଯିଏ ଯିବ ତାଙ୍କୁ ସେ କେବଳ ପରାମର୍ଶ ଦେଇ ପାରିବେ। କାରଣ ଓଡ଼ିଶାର ପ୍ରାୟ ସବୁ ଅଞ୍ଚଳର ରାଜନୈତିକ ବ୍ୟକ୍ତିଙ୍କୁ ସେ ଜାଣିଛନ୍ତି।”

ଅନ୍ୟପକ୍ଷରେ ରାଜ୍ୟସଭା କାର୍ଯ୍ୟକାଳ ସରିବା ପରେ ଭବିଷ୍ୟତ କାର୍ଯ୍ୟପନ୍ଥା ସପକ୍ଷରେ କହିବି ବୋଲି ପ୍ୟାରୀ କହିଛନ୍ତି।

Related story