ଧନ୍ୟ... ସରକାର ତୁମ କୁକୁର ପ୍ରେମ!

ଭୁବନେଶ୍ୱର (ଶୁଭ୍ରାଂଶୁ ଶେଖର): କରୋନା ମୁକାବିଲା ବେଳେ ବୁଲା କୁକୁର ଏବଂ ଗାଈ ଗୋରୁଙ୍କ ଖାଦ୍ୟପେୟ ଖର୍ଚ୍ଚ ବାବଦରେ ରାଜ୍ୟ ସରକାରଙ୍କର ଆଭିମୁଖ୍ୟକୁ ନେଇ ଏବେ ସନ୍ଦେହ ବଢ଼ିବାରେ ଲାଗିଛି। କାରଣ ଲକଡାଉନ ଅବଧିର ପ୍ରଥମ ପର୍ଯ୍ୟାୟ ଅର୍ଥାତ୍ ମାର୍ଚ୍ଚ ଶେଷ ସପ୍ତାହରେ ରାଜ୍ୟ ସରକାର ମାତ୍ର ୧୮ ଦିନ ପାଇଁ ରାଜକୋଷରୁ ୫୪ ଲକ୍ଷ ଟଙ୍କାର ପ୍ୟାକେଜ ସହାୟତା ଘୋଷଣା କରିଥିଲେ। ଏହି ସମସ୍ତ ଅର୍ଥ ୧୮ ଦିନ ଭିତରେ ରାଜ୍ୟବ୍ୟାପୀ ବୁଲା କୁକୁର ଏବଂ […]

naveen

Subhransu Sekhar
  • Published: Saturday, 25 July 2020
  • , Updated: 25 July 2020, 06:31 PM IST

ଭୁବନେଶ୍ୱର (ଶୁଭ୍ରାଂଶୁ ଶେଖର): କରୋନା ମୁକାବିଲା ବେଳେ ବୁଲା କୁକୁର ଏବଂ ଗାଈ ଗୋରୁଙ୍କ ଖାଦ୍ୟପେୟ ଖର୍ଚ୍ଚ ବାବଦରେ ରାଜ୍ୟ ସରକାରଙ୍କର ଆଭିମୁଖ୍ୟକୁ ନେଇ ଏବେ ସନ୍ଦେହ ବଢ଼ିବାରେ ଲାଗିଛି। କାରଣ ଲକଡାଉନ ଅବଧିର ପ୍ରଥମ ପର୍ଯ୍ୟାୟ ଅର୍ଥାତ୍ ମାର୍ଚ୍ଚ ଶେଷ ସପ୍ତାହରେ ରାଜ୍ୟ ସରକାର ମାତ୍ର ୧୮ ଦିନ ପାଇଁ ରାଜକୋଷରୁ ୫୪ ଲକ୍ଷ ଟଙ୍କାର ପ୍ୟାକେଜ ସହାୟତା ଘୋଷଣା କରିଥିଲେ। ଏହି ସମସ୍ତ ଅର୍ଥ ୧୮ ଦିନ ଭିତରେ ରାଜ୍ୟବ୍ୟାପୀ ବୁଲା କୁକୁର ଏବଂ ଗାଈ ଗୋରୁଙ୍କ ବାବଦରେ ଖର୍ଚ୍ଚ ହୋଇଛି କି ନାହଁ ତାହା ସ୍ପଷ୍ଟ ହୋଇ ନାହିଁ। ଯଦିବା ଖର୍ଚ୍ଚ ହୋଇଛି କିଏ କେଉଁଠି ଖର୍ଚ୍ଚ କରିଛି ସେ ନେଇ କୌଣସି ହିସାବକୁ ସରକାର ଏ ଯାଏ ସାର୍ବଜନୀନ କରି ନାହାନ୍ତି। ତେଣୁ ବୁଲା କୁକୁର ଏବଂ ଗାଈ ଗୋରୁଙ୍କ ପାଇଁ ବରାଦ ହୋଇଥିବା ଟଙ୍କା ଠିକଣା ଭାବରେ ନିୟୋଜିତ ହୋଇଛି ନା ସେ ଅର୍ଥକୁ ଚିରାଚରିତ ଢ଼ଙ୍ଗରେ ଆତ୍ମସାତ କରାଯାଇଛି ତାକୁ ନେଇ ସ୍ୱାଭାବିକ ଭାବରେ ସନ୍ଦେହ ସୃଷ୍ଟି ହୋଇଛି।

ଏଭଳି ସ୍ଥିତିରେ ପ୍ରଥମ ପର୍ଯ୍ୟାୟର ୧୮ ଦିନ ପାଇଁ ଏହି ପ୍ୟାକେଜ ଘୋଷଣା କରି ରାଜ୍ୟ ସରକାର ବୁଲା କୁକୁର ଓ ଗାଈ ଗୋରୁଙ୍କ ଖାଦ୍ୟପେୟ ଚିନ୍ତାରେ ଡୋରି ବାନ୍ଧି ଦେଇଛନ୍ତି। ଅର୍ଥାତ୍ ୧୮ ଦିନ ପାଇଁ ୫୪ ଲକ୍ଷ ଟଙ୍କା ପରେ ରାଜ୍ୟ ସରକାର ଗତ ପ୍ରାୟ ତିନି ମାସ ଭିତରେ ଏ ବାବଦରେ ଟଙ୍କାକାର ବି ସହାୟତା ରାଶି ଘୋଷଣା କରି ନାହାନ୍ତି। ତେଣୁ ରାଜଧାନୀ ସମେତ ରାଜ୍ୟର ବିଭିନ୍ନ ସହରାଞ୍ଚଳରେ ଲକଡାଉନ ସମୟରେ ପ୍ରାୟ ଜନଶୂନ୍ୟ ହୋଇ ପଡ଼ୁଥିବା ରାସ୍ତା ଗୁଡ଼ିକରେ ବୁଲା କୁକୁର ଓ ଗୋରୁ ଗାଈଙ୍କ ଉପଦ୍ରବ ବୃଦ୍ଧି ପାଇଛି। ଏପରିକି କିଛି ସ୍ଥାନରେ ବୁଲା କୁକୁରଙ୍କ ଆକ୍ରମଣ ଓ ତଜ୍ଜନିତ ଦୁର୍ଘଟଣାରେ ଆହାତଙ୍କ ସଂଖ୍ୟା ମଧ୍ୟ ବଢ଼ିଛି।

ଯେଉଁ କଥାଟିର ଗୁରୁତ୍ୱ ଅନୁଭବ କରି ମାର୍ଚ୍ଚ ୩୦ ତାରିଖରେ ବୁଲା ପଶୁଙ୍କ ପାଇଁ ରାଜ୍ୟ ସରକାର ଘୋଷଣା କରିଥିବା ସହାୟତା ପ୍ୟାକେଜର ଅବଧି ସରିଯିବା ପରେ ସେହି କଥାର ଗୁରୁତ୍ୱକୁ ମନରୁ ପାସୋରି ଦେଲେ କେମିତି? ଅର୍ଥାତ୍ ଏପ୍ରିଲ ୧୮ ତାରିଖ ପରଠୁ ଏଯାଏ ରାଜ୍ୟ ସରକାରଙ୍କର ମନରେ ବୁଲା ଗାଈ ଗୋରୁ ଏବଂ କୁକୁରଙ୍କ ପାଇଁ ଥଇଥାନ ଚିନ୍ତା ନଆସିବା ପଶୁପ୍ରେମର ଅସଲ ଉଦ୍ଦେଶ୍ୟକୁ ପଦାରେ ପକାଇଛି।

ପଶୁପ୍ରେମୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କରୋନା ପାଇଁ ଦେଶ ଲକଡାଉନ୍ ରହିବା ପରେ ଯଦି କହି ପ୍ରଥମେ ଅସୁବିଧାରେ ପଡ଼ିଥିଲା ସେମାନେ ହେଉଛନ୍ତି ବୁଲା କୁକୁର, ଷଣ୍ଢ ଆଦି। ଆଉ ଲକଡାଉନ୍ ଘୋଷଣା ହେବାର କିଛି ଦିନ ପରେ ଏମାନଙ୍କ ପେଟର ଯନ୍ତ୍ରଣା ଅନୁଭବ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ମାର୍ଚ୍ଚ ୩୦ରେ ରାଜ୍ୟ ସରକାର ୧୮ ଦିନ ପାଇଁ ୫୪ ଲକ୍ଷ ଟଙ୍କାର ପ୍ୟାକେଜ ଘୋଷଣା କରିଥିଲେ। ଏହା ସାରା ରାଜ୍ୟ ପାଇଁ ଘୋଷଣା ହୋଇଥିଲା। ଯାହାକୁ ‘ପେଟା’ ପାଖରୁ ଆରମ୍ଭ କରି ସମସ୍ତେ ମୁଖ୍ୟମନ୍ତ୍ରୀଙ୍କ ଏହି ଉଦ୍ୟମକୁ ପ୍ରଶଂସା କରିଥିଲେ। ଏବେ କିନ୍ତୁ ଦ୍ୱିତୀୟ ଛାଡ଼ି ତୃତୀୟ ଲକଡାଉନ୍ ବେଳେ ହୃଦବୋଧ ହେଉଛି ରାଜ୍ୟ ସରକାର ପଶୁମାନଙ୍କ ଖାଇବା କଥା ଭୁଲି ଯାଇଛନ୍ତି।

କାରଣ ପ୍ରଥମ ଲକଡାଉନ୍ ବେଳେ ରାଜ୍ୟ ସରକାର ବୁଲା କୁକୁର, ଷଣ୍ଢଙ୍କ ପାଇଁ ୧୮ ଦିନରେ ୫୪ ଲକ୍ଷ ଟଙ୍କାର ପ୍ୟାକେଜ ଘୋଷଣା କରିଥିଲେ। ଏହାପରେ ଆଉ ରାଜ୍ୟ ସରକାର ବୁଲା କୁକୁର କି ଷଣ୍ଢଙ୍କ ପାଇଁ କୌଣସି ପ୍ୟାକେଜ ଘୋଷଣା କରିନଥିବା ଦେଖିବାକୁ ମିଳିଛି।

ଏହାରି ଭିତରେ ନିକଟରେ ଆରଟିଆଇ ଜରିଆରେ ତଥ୍ୟ ମିଳିଛି ବିଏମସି ପ୍ରଥମ ଦୁଇ ମାସ ଲକଡାଉନ୍ ବେଳେ ପଚାଶ ଦିନରେ କେବଳ କୁକୁରଙ୍କୁ ଖାଇବା ଦେବାରେ ବିଏମସି ଖର୍ଚ୍ଚ କରିଛି ୧୦ ଲକ୍ଷ ୬୦ ହଜାର ଟଙ୍କା। ଆଉ ଷଣ୍ଢ ପାଇଁ କେତେ ତାହା ଏବେ ଘୋଷଣା କରିବା ଦରକାର।

ସେହିପରି ସବୁଠୁ ବଡ଼ ପ୍ରଶ୍ନ ପ୍ରଥମେ କୁକୁର ଏବଂ ପଶୁଙ୍କ ପାଇଁ ଯେଉଁ ପ୍ୟାକେଜ ସରକାର ଘୋଷଣା କରିଥିଲେ ତାହା କେତେ ଦିନରେ ଶେଷ ହୋଇଛି? ନା ବଳକା ଅଛି? କେଉଁମାନେ ଏହି ଖାଇବା ବାଣ୍ଟିବା ସେବାରେ ନିୟୋଜିତ ଥିଲେ? ଏହାର ନେଣଦେଣ କେତେ ଟଙ୍କାର? ନା କିଛି ଭୋକିଲା ଲୋକଙ୍କୁ ଦାନା ଯୋଗାଇବାକୁ ଯାଇ କୁକୁରଙ୍କ ଖାଇବା ଦାୟିତ୍ୱ ଦେଇଥିଲେ ସରକାର? ଆଦି ସମସ୍ତ ଜିନିଷର ହିସାବ ସରକାର ସାର୍ବଜନୀନ କରିବା ଦରକାର।

ଲକଡାଉନ୍ ବେଳେ ହୋଟେଲ, ଦୋକାନ ବଜାର ଆଦି ବନ୍ଦ ରହିଥିବାରୁ ବୁଲା କୁକୁର, ଷଣ୍ଡ ମାନେ ଖାଇବେ କ’ଣ ଏ ସବୁ ଚିନ୍ତା କରି ନବୀନ ସେମାନଙ୍କୁ ଆହାର ଯୋଗାଇବାକୁ ହାତ ଖୋଲି ଦେଇଥିଲେ। ଆଉ ‘ପେଟା’ ମଧ୍ୟ ନବୀନଙ୍କ ଏହି ପଦକ୍ଷେପକୁ ପ୍ରଶଂସା କରିବା ସହିତ ‘ହିରୋ ଟୁ ଆନିମଲ୍ସ’ ସମ୍ମାନରେ ସମ୍ମାନୀତ କରିବ ବୋଲି କହିଛି। ଏହି ପୁରସ୍କାରରେ କୁହାଯାଇଛି ପଶୁଙ୍କ ପ୍ରତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭଲପାଇବା ଅନ୍ୟମାନଙ୍କ ପାଇଁ ପ୍ରେରଣା ସାଜିବ ବୋଲି ପେଟା କହିଛି। ହେଲେ ଏବେ ଯେଉଁ ଜିଲ୍ଲା ଲକଡାଉନ୍ ରହିଛି ସେଠାରେ ବୁଲା କୁକୁର ଖାଦ୍ୟ ନପାଇବା ସରକାରଙ୍କ ଅସଲ ଉଦ୍ଦେଶ୍ୟକୁ ପଦାରେ ପକାଇଛି। ଖାଲି ରାଜଧାନୀ ନୁହେଁ ଅନେକ ସ୍ଥାନରେ ଲକଡାଉନ୍ ଶଟଡାଉନ୍ ହେଉଛି ସେହି ସବୁ ସ୍ଥାନରେ ବୁଲା କୁକୁର, ଷଣ୍ଢଙ୍କ ପାଇଁ ସରକାର କି ବ୍ୟବସ୍ଥା କରିଛନ୍ତି କେତେ ଟଙ୍କା ଖର୍ଚ୍ଚ ହୋଇଛି ତାହା ସାର୍ବଜନୀନ କରିବା ଦରକାର।

Related story