ପାଟକୁରା ନିର୍ବାଚନ ତାରିଖକୁ ନେଇ ସସପେନ୍ସ, ଡିଲେ ପଛରେ ଡିଲ୍ !

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପାଟକୁରା ବିଧାନସଭା ଆସନରେ କେବେ ନିର୍ବାଚନ ତାରିଖ କେବେ ଘୋଷଣା ହେବ, ତାକୁ ନେଇ ଅନିଶ୍ଚିତତା ଲାଗି ରହିଛି। ପାଟକୁରା ବିଧାନସଭା ନିର୍ବାଚନ ତାରିଖ ଘୋଷଣା ହେବାରେ ମାତ୍ରାଧିକ ବିଳମ୍ବ ସତ୍ତ୍ୱେ ଦୁଇ ପ୍ରମୁଖ ରାଜନୀତିକ ଦଳ ବିଜେପି ଓ ବିଜେଡିର ନିରବତାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଲାଣି। ପାଟକୁରା ବିଧାନସଭା ଆସନରୁ ବିଜେଡି ପ୍ରାର୍ଥୀ ବେଦପ୍ରକାଶ ଅଗ୍ରୱାଲଙ୍କ ମୃତ୍ୟୁ ଯୋଗୁ ସ୍ଥଗିତ ଥିବା ନିର୍ବାଚନ ମେ’ ୧୯ତାରିଖରେ କରିବା ପାଇଁ ନିର୍ବାଚନ କମିଶନ […]

patakura.jpg111

Manoranjan Sial
  • Published: Tuesday, 02 July 2019
  • , Updated: 02 July 2019, 09:38 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପାଟକୁରା ବିଧାନସଭା ଆସନରେ କେବେ ନିର୍ବାଚନ ତାରିଖ କେବେ ଘୋଷଣା ହେବ, ତାକୁ ନେଇ ଅନିଶ୍ଚିତତା ଲାଗି ରହିଛି। ପାଟକୁରା ବିଧାନସଭା ନିର୍ବାଚନ ତାରିଖ ଘୋଷଣା ହେବାରେ ମାତ୍ରାଧିକ ବିଳମ୍ବ ସତ୍ତ୍ୱେ ଦୁଇ ପ୍ରମୁଖ ରାଜନୀତିକ ଦଳ ବିଜେପି ଓ ବିଜେଡିର ନିରବତାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଲାଣି।

ପାଟକୁରା ବିଧାନସଭା ଆସନରୁ ବିଜେଡି ପ୍ରାର୍ଥୀ ବେଦପ୍ରକାଶ ଅଗ୍ରୱାଲଙ୍କ ମୃତ୍ୟୁ ଯୋଗୁ ସ୍ଥଗିତ ଥିବା ନିର୍ବାଚନ ମେ’ ୧୯ତାରିଖରେ କରିବା ପାଇଁ ନିର୍ବାଚନ କମିଶନ ନିଷ୍ପତ୍ତି ନେଇଥିଲେ। କିନ୍ତୁ ‘ଫୋନି’ ବାତ୍ୟା କ୍ଷୟକ୍ଷତି ଆଶଙ୍କା ଥିବା କଥା କହି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ନିର୍ବାଚନକୁ ସ୍ଥଗିତ ରଖିବାକୁ ଦାବି କରିଥିଲେ। ଯାହାକୁ ଦୃଷ୍ଟିରେ ରଖି କମିଶନ ମେ’ ୬ତାରିଖରେ ଏହି ନିର୍ବାଚନକୁ ସ୍ଥଗିତ ରଖିବା ସହ ୬୦ଦିନ ମଧ୍ୟରେ ନିର୍ବାଚନ ପ୍ରକ୍ରିୟା ସମ୍ପୂର୍ଣ୍ଣ କରାଯିବ ବୋଲି ଘୋଷଣା କରିଥିଲେ। ତେବେ ପ୍ରଶ୍ନ ଉଠୁଛି, କମିଶନଙ୍କ ଏହି ୬୦ଦିନ କେବେ ପୂରଣ ହେବ? କମିଶନ କେଉଁ ତାରିଖରୁ ୬୦ଦିନକୁ ହିସାବକୁ ନେଇଛନ୍ତି?

ରାଜନୀତିକ ବିଶ୍ଲେଷକଙ୍କ ମତରେ, ଏହି ବିଧାନସଭା ଆସନ ପାଇଁ ୩ ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସର ପ୍ରାର୍ଥୀମାନଙ୍କ ନାମାଙ୍କନ ପତ୍ର ମଧ୍ୟ କାଏମ ରହିଛି। ୩ଦଳର ପ୍ରାର୍ଥୀ ନିଜ ନିଜ ସ୍ତରରେ ଅଣଆନୁଷ୍ଠାନିକ ଭାବେ ନିର୍ବାଚନ ପ୍ରଚାର କାର୍ଯ୍ୟରେ ଲାଗିଛନ୍ତି। କିନ୍ତୁ ନିର୍ବାଚନ ତାରିଖ ଘୋଷଣା ହୋଇନଥିବାରୁ ଭୋଟର ଓ ପ୍ରାର୍ଥୀଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି। ଯଦି କମିଶନ ନିର୍ବାଚନ ସ୍ଥଗିତ ଘୋଷଣା କରିଥିବା ତାରିଖ(ମେ’ ୬)କୁ ହିସାବକୁ ନିଆଯାଏ ତା’ହେଲେ ଏହି ୬୦ଦିନ ଅବଧି ଶେଷ ହେବାକୁ ବସିଲାଣି। ଯଦି କମିଶନ ପୂର୍ବରୁ ଘୋଷଣା କରିଥିବା ତାରିଖ ମେ’ ୧୯ ତାରିଖରୁ ୬୦ଦିନକୁ ହିସାବକୁ ନେଇଥାନ୍ତି ତା’ହେଲେ ଆଜି ସୁଦ୍ଧା(ଜୁଲାଇ ୨ ତାରିଖ) ୪୫ଦିନ ପୂରଣ ହୋଇଗଲାଣି। ଆଉ ହାତରେ ମାତ୍ର ୧୫ଦିନ ରହିଛି। କିନ୍ତୁ କମିଶନ ପାଟକୁରାରେ ଭୋଟ୍ କେବେ ହେବ ତା’ର ନିର୍ଦ୍ଦିଷ୍ଟ ତାରିଖ ଘୋଷଣା କରିନାହାନ୍ତି। ଚୂଡ଼ାନ୍ତ ପ୍ରାର୍ଥୀପତ୍ର ତାଲିକା ଘୋଷଣା ସରିଥିଲେ ମଧ୍ୟ ନିର୍ବାଚନ ପ୍ରଚାର ପାଇଁ ଅତିକମରେ ପ୍ରାର୍ଥୀଙ୍କୁ ୧୪-୧୫ଦିନ ମିଳିବାର ପ୍ରାବଧାନ ରହିଛି। ଓଡ଼ିଶାରେ ମୌସୁମୀ ସକ୍ରିୟ ହୋଇସାରିଥିବାବେଳେ କମିଶନଙ୍କ ପକ୍ଷରୁ ନିର୍ବାଚନ ତାରିଖ ଘୋଷଣା ନହେବାକୁ ନେଇ ନାନାଦି ଚର୍ଚ୍ଚା ଜୋର ଧରିଛି।

ପାଟକୁରାରେ ଏବେ ନିର୍ବାଚନ ପାଇଁ ସମସ୍ତ ପ୍ରସ୍ତୁତି ସରିଥିଲେ ମଧ୍ୟ ନିର୍ବାଚନ କମିଶନ କେଉଁ ଅଦୃଶ୍ୟ କାରଣରୁ ତାରିଖ ଘୁଞ୍ଚାଇବାରେ ଲାଗିଛନ୍ତି ତାକୁ ନେଇ ପ୍ରଶ୍ନ ଉଠିବା ସ୍ୱାଭାବିକ। କମିଶନ ଯଦି ଦିନେ ଦୁଇଦିନ ମଧ୍ୟରେ ନିର୍ବାଚନ ତାରିଖ ଘୋଷଣା ନକରନ୍ତି, ତା’ହେଲେ ପାଟକୁରା ନିର୍ବାଚନ ତାରିଖ ବିଜେପୁର ଉପନିର୍ବାଚନ ତାରିଖ ସହ ଘୋଷଣା ହେବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇନପାରେ। ଜୁନ୍ ୧୩ତାରିଖରେ ପଞ୍ଚଦଶ ଓଡ଼ିଶା ବିଧାନସଭାର କାର୍ଯ୍ୟକାଳ ଶେଷ ହୋଇଥିବାରୁ କମିଶନ ସମ୍ଭବତଃ ସେହି ତାରିଖରୁ ୬୦ଦିନକୁ ବି ବିଚାରକୁ ନେଇଥାଇ ପାରନ୍ତି ବୋଲି କେତେକ ମତ ଦେଉଛନ୍ତି।

କିନ୍ତୁ ଏସବୁ ମଧ୍ୟରେ ପାଟକୁରା ନିର୍ବାଚନ ପାଇଁ ତାରିଖ ଘୋଷଣା ହେଉନଥିବାରୁ କମିଶନଙ୍କ ଭୂମିକା ଉପରେ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କମିଶନ ଆଜିସୁଦ୍ଧା ତାରିଖ ଘୋଷଣା କରିନଥିବାରୁ କେନ୍ଦ୍ର ଓ ରାଜ୍ୟରେ କ୍ଷମତାସୀନ ଦୁଇ ଦଳ ବିଜେପି ଓ ବିଜେଡି ମଧ୍ୟରେ କୌଣସି ଏକ ଡିଲ୍ ହୋଇଥିବା ସନ୍ଦେହ କରାଯାଉଛି। ସାଧାରଣ ନିର୍ବାଚନ ପରେ ବିଜେପି ଜାତୀୟ ନେତୃତ୍ୱଙ୍କ ସହ ବିଜେଡି ସୁପ୍ରିମୋଙ୍କ ଘନିଷ୍ଠତା ବୃଦ୍ଧି ମଧ୍ୟ ପାଟକୁରା ନିର୍ବାଚନ ତାରିଖ ବିଳମ୍ବରେ ଏକ କାରଣ ହୋଇପାରେ ବୋଲି ଆଶଙ୍କା କରାଯାଉଛି। ଦୁଇ ପ୍ରମୁଖ ଦଳ ବିଜେଡି ଓ ବିଜେପି ଏନେଇ ସ୍ୱର ଉଠାଉ ନଥିବା ବେଳେ ନିର୍ବାଚନ କମିଶନ କେଉଁ କାରଣରୁ ତାରିଖ ଘୋଷଣା କରିବାରେ ଟାଳଟୂଳ ନୀତି ଅବଲମ୍ବନ କରୁଛନ୍ତି ,ତାକୁ ନେଇ ଏବେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Related story