୨୦୧୬ରୁ କାହା ଛତ୍ରଛାୟାରେ ଥିଲେ ରଙ୍ଗିଲା ପ୍ରମୋଦ ସାହୁ?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦୀର୍ଘ ୬ମାସ ଧରି ନିଜ ଦଳର ଯୌନ ନିର୍ଯାତନା ଅଭିଯୁକ୍ତ ରାଜ୍ୟ ସମ୍ପାଦକ ତଥା କେନ୍ଦ୍ରାପଡ଼ା କ୍ରେଡିଟ୍ ସମବାୟ ସୋସାଇଟି ସଭାପତି ପ୍ରମୋଦ ସାହୁଙ୍କୁ ସୁରକ୍ଷା ଦେଇଥିବା ବିଜେଡି ଶେଷରେ ତାଙ୍କ ସହ କୌଣସି ସମ୍ପର୍କ ନାହିଁ ବୋଲି କହି ଦୂରେଇ ଦେଇଛି। କିନ୍ତୁ ପ୍ରମୋଦଙ୍କୁ ଦୂରେଇ ଦେବା ପାଇଁ ବିଜେଡିର ସବୁ ମିଛକୁ ଦଳର ଅଫିସିଆଲ ୱେବସାଇଟ୍ ଓ ଦଳୀୟ ମୁଖପାତ୍ରଙ୍କ ବୟାନ ହିଁ ପଦାରେ ପକାଇ ଦେଇଛି। ଶ୍ରୀ ସାହୁଙ୍କ ପ୍ରତ୍ୟକ୍ଷ […]

bjd

Manoranjan Sial
  • Published: Monday, 04 November 2019
  • , Updated: 04 November 2019, 10:09 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦୀର୍ଘ ୬ମାସ ଧରି ନିଜ ଦଳର ଯୌନ ନିର୍ଯାତନା ଅଭିଯୁକ୍ତ ରାଜ୍ୟ ସମ୍ପାଦକ ତଥା କେନ୍ଦ୍ରାପଡ଼ା କ୍ରେଡିଟ୍ ସମବାୟ ସୋସାଇଟି ସଭାପତି ପ୍ରମୋଦ ସାହୁଙ୍କୁ ସୁରକ୍ଷା ଦେଇଥିବା ବିଜେଡି ଶେଷରେ ତାଙ୍କ ସହ କୌଣସି ସମ୍ପର୍କ ନାହିଁ ବୋଲି କହି ଦୂରେଇ ଦେଇଛି। କିନ୍ତୁ ପ୍ରମୋଦଙ୍କୁ ଦୂରେଇ ଦେବା ପାଇଁ ବିଜେଡିର ସବୁ ମିଛକୁ ଦଳର ଅଫିସିଆଲ ୱେବସାଇଟ୍ ଓ ଦଳୀୟ ମୁଖପାତ୍ରଙ୍କ ବୟାନ ହିଁ ପଦାରେ ପକାଇ ଦେଇଛି। ଶ୍ରୀ ସାହୁଙ୍କ ପ୍ରତ୍ୟକ୍ଷ ନିୟନ୍ତ୍ରଣରେ ଥିବା କେନ୍ଦ୍ରାପଡ଼ା ସମବାୟ ସୋସାଇଟିର କେଳେଙ୍କାରୀର ତଦନ୍ତ ନିର୍ଦ୍ଦେଶ ୨୦୧୬ ମସିହାରେ ରାଜ୍ୟ ସରକାର ଦେଇ ସେଠାରେ ବ୍ୟାଙ୍କିଙ୍ଗ୍ ନିୟମ ବର୍ହିଭୂତ କାର୍ଯ୍ୟ ହୋଇ ଜାଣି ମଧ୍ୟ ଚୁପ୍ ରହିବାକୁ ପଛାଇ ନଥିଲେ। ପରବର୍ତ୍ତୀ ସମୟରେ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ୨୦୧୯ ଜାନୁୟାରୀ ମାସରେ ବିଜେଡି ତାଙ୍କୁ ନିଜର ରାଜ୍ୟ ସମ୍ପାଦକ ପଦବୀରେ ଅବସ୍ଥାପିତ କରିଥିବା ଜଣାପଡ଼ିଛି। ଯାଜପୁର ଜିଲ୍ଲାର ଜଣେ ପ୍ରଭାବଶାଳୀ ଯୁବନେତାଙ୍କ ପ୍ରତ୍ୟକ୍ଷ ଛତ୍ରଛାୟାରେ ରହି ଶ୍ରୀ ସାହୁ କେନ୍ଦ୍ରାପଡ଼ା ଜିଲ୍ଲାରେ ନିଜର ରଙ୍ଗିଲା କାର୍ଯ୍ୟ ଜାରି ରଖିଥିଲେ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।

ମିଳିଥିବା ସୂଚନା ଅନୁସାରେ, ବିଜେଡିର ବରିଷ୍ଠ ନେତା ଦେବାଶୀଷ ନାୟକଙ୍କ ଅଭିଯୋଗ ଆଧାରରେ ୨୦୧୬ ମସିହାରେ ଶ୍ରୀ ସାହୁଙ୍କ ନିୟନ୍ତ୍ରଣରେ ଥିବା କେନ୍ଦ୍ରାପଡ଼ା କ୍ରେଡିଟ୍ ସମବାୟ ସୋସାଇଟିର କଳା କାରନାମା ପଦାକୁ ଆସିଥିଲା। ଏପରିକି ୨୦୧୬ ମେ’ ୨୪ ତାରିଖରେ ଅର୍ଥ ବିଭାଗର ତତକାଳୀନ ସ୍ୱତନ୍ତ୍ର ସଚିବ ବିଶାଳ ଦେବ ଏହି ସମବାୟ ସୋସାଇଟି ଆର୍ଥିକ କାରବାର ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କଠୁ ଅନୁମତି ପାଇନଥିବା ସମ୍ପର୍କରେ ସେତେବେଳର ସମବାୟ ସଚିବଙ୍କୁ ଚିଠି ଲେଖି ଅବଗତ କରାଇଥିଲେ। ଏପରିକି ଉକ୍ତ ସମବାୟ ସୋସାଇଟିର ତଦନ୍ତ କରି ତା’ର କର୍ମକର୍ତ୍ତାଙ୍କ ବିରୁଦ୍ଧରେ ଅପରାଧିକ ମାମଲା ରୁଜୁ ନିମନ୍ତେ ପରାମର୍ଶ ଦେଇଥିଲେ। ୨୦୧୬ ମେ’ ୩ ତାରିଖରେ ରାଜ୍ୟ ଅର୍ଥନୀତିକ ଅପରାଧ ଶାଖା ଓ ୨୦୧୬ ମେ’ ୧୦ତାରିଖରେ ରିଜର୍ଭ ବ୍ୟାଙ୍କ ଭୁବନେଶ୍ୱରର ଶାଖା ଅଧିକାରୀ ଏହି ସମବାୟ ସୋସାଇଟି ବିରୁଦ୍ଧରେ ପ୍ରତିକୂଳ ମନ୍ତବ୍ୟ ଦେଇଥିଲେ।

କିନ୍ତୁ କିଛି ପ୍ରଭାବଶାଳୀ ବିଜେଡି ନେତାଙ୍କୁ ବିଭିନ୍ନ ଉପାୟରେ ପ୍ରଭାବିତ କରିସାରିଥିବା ଶ୍ରୀ ସାହୁ କିମ୍ବା ତାଙ୍କ ନିୟନ୍ତ୍ରଣରେ ଥିବା କେନ୍ଦ୍ରାପଡ଼ା ସମବାୟ ସୋସାଇଟି ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ରାଜ୍ୟ ସରକାର ସାହାସ କରିପାରିନଥିଲେ। ପରବର୍ତ୍ତୀ ସମୟରେ ଶ୍ରୀ ସାହୁ ବିଜେଡିର କିଛି ଛାମୁଆ ନେତାଙ୍କୁ ସଂସ୍ପର୍ଶରେ ଆସି ପ୍ରଭାବ ବିସ୍ତାର କରିବାରେ ଲାଗିଥିଲେ। ଏପରିକି ୨୦୧୯ ଜାନୁୟାରୀ ୧୫ତାରିଖରେ ତାଙ୍କୁ ରାଜ୍ୟ ସମ୍ପାଦକ ପଦବୀରେ ବିଜେଡି ଅବସ୍ଥାପିତ କରିବାକୁ ପଛାଇ ନଥିଲା। ଦଳର ଅଫିସିଆଲ ୱେବସାଇଟ୍ରେ ଏବେବି ପ୍ରମୋଦ ସାହୁ ବିଜେଡିର ସମ୍ପାଦକ ଥିବା ପ୍ରମାଣିତ କରୁଛି। ୨୦୧୯ ସାଧାରଣ ନିର୍ବାଚନରେ ବିଜେଡି ପ୍ରଚାରର ମଙ୍ଗ ଧରିଥିବା ଶ୍ରୀ ସାହୁଙ୍କୁ ପାଟକୁରା ବିଧାନସଭା ନିର୍ବାଚନବେଳେ ରାଜ୍ୟର ବହୁ ମନ୍ତ୍ରୀଙ୍କ ସହ ପ୍ରଚାର କାର୍ଯ୍ୟରେ ନିୟୋଜିତ ଥିବା ଦେଖିବାକୁ ମିଳିଥିଲା। ଏପରିକି ଯାଜପୁର ଜିଲ୍ଲା ବିଜେଡିର ଜଣେ ପ୍ରଭାବଶାଳୀ ଯୁବନେତାଙ୍କ ଖାସ୍ ଭାବେ ସେ ପରିଚୟ ଦେଇ ଜିଲ୍ଲା ରାଜନୀତିରେ ନିଜର ପ୍ରଭାବ ବିସ୍ତାର କରିବାରେ ଲାଗିଥିଲା ବୋଲି ଚର୍ଚ୍ଚା।

ଯେଉଁଥିପାଇଁ ଯୌନ ନିର୍ଯାତନାର ଶିକାର ହୋଇଥିବା କେନ୍ଦ୍ରାପଡ଼ା କ୍ରେଡିଟ୍ ସୋସାଇଟିର ମହିଳା କର୍ମଚାରୀ ଏପ୍ରିଲ ମାସରୁ ଲିଖିତ ଭାବେ ଶ୍ରୀ ସାହୁଙ୍କ ବିରୁଦ୍ଧରେ ଅଭିଯୋଗ କରିଥିଲେ ମଧ୍ୟ ପୁଲିସ୍ କିମ୍ବା ଜିଲ୍ଲା ପ୍ରଶାସନ ତାଙ୍କୁ ଛୁଇଁବାକୁ ବି ସାହାସ କରିପାରୁନଥିଲା। ଏବେ ଗଣମାଧ୍ୟମର ଚାପ ଓ ସାଧାରଣରେ ପ୍ରତିକ୍ରିୟା ପ୍ରକାଶ ପାଇବା ପରେ ବିଜେଡି ତାଙ୍କ ହାତ ଛାଡ଼ିବା ସହ ତାଙ୍କୁ କେନ୍ଦ୍ରାପଡ଼ା ସୋସାଇଟିରୁ ଦୂରେଇ ରଖିବାକୁ ମଧ୍ୟ ସରକାରୀସ୍ତରରେ ପଦକ୍ଷେପ ନେଇଛି। ପୂର୍ବ ନିର୍ବାଚନରୁ ଶ୍ରୀ ସାହୁ ବିଜେଡିରୁ ଇସ୍ତଫା ଦେଇସାରିଛନ୍ତି ବୋଲି ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି ଦୃଢ଼ ଭାବେ କହୁଥିବାବେଳେ କେବେ ଓ କେଉଁ କାରଣରୁ ସେ ଇସ୍ତଫା ଦେଇଥିଲେ ତାହା କିଭଳି ଗଣମାଧ୍ୟମ କି କେହି ଜାଣିପାରିଲେନି ତାହା ବିଜେଡି ସ୍ପଷ୍ଟ କରିପାରିନି। ଯାଜପୁରରେ ପିଇଓ ସ୍ମିତାରାଣୀ ବିଶ୍ୱାଳଙ୍କ ମୃତ୍ୟୁ ମାମଲାକୁ ନେଇ ଅଡ଼ୁଆରେ ପଡ଼ିଥିବା ବିଜେଡି ଓ ଦଳର ଛାମୁଆ ନେତାମାନେ ଏବେ ଶ୍ରୀ ସାହୁଙ୍କୁ ଅଣ୍ଟିରେ ପୁରାଇ ରଖିବାକୁ ଚାହିଁନଥିବା ଚର୍ଚ୍ଚା ହୋଇଛି।

Related story