କାହିଁକି ଭାଙ୍ଗି ଦିଆଯାଏ ଅଧର ହାଣ୍ଡି ?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଉ ଦିନକ ପରେ ପୁଣିଥରେ ପୂର୍ବବତ୍‌ ଚଳଚଞ୍ଚଳ ହୋଇପଡ଼ିବ ଶ୍ରୀମନ୍ଦିର। ରତ୍ନ ସଂହାସନ ଚଢ଼ିବେ ବଡ଼ଠାକୁର। ଗୁଣ୍ଡିଚା ଯାତ୍ରା ସରିସରି ଆସୁଥିବା ବେଳେ ଆଜି ଅଧରପଣା ପିଇବା ପରେ ଠାକୁରମାନଙ୍କୁ ରତ୍ନସିଂହାସନକୁ ବିଜେ କରାଯିବ। ହେଲେ ଆପଣ ଜାଣନ୍ତି କି ଅଧରପଣା କ’ଣ? କାହିଁକି ଏହାର ନାମକରଣ ଏପରି ହୋଇଛି। ତା ହେଲେ ଆସନ୍ତୁ ଜାଣିବା ସେ ସମ୍ପର୍କରେ।

ଆଷାଢ ଶୁକ୍ଳ ଦ୍ୱାଦଶୀ ତିଥିରେ (ପୂର୍ବରୁ ଏକାଦଶୀରେ ହେଉଥିଲା) ମହାପ୍ରଭୁ ରଥ ଉପରେ ଥାଇ ଅଧରପଣା ଗ୍ରହଣ କରିଥାନ୍ତି। ୩ ରଥରେ ମୋଟି ୯ଟି ସ୍ୱତନ୍ତ୍ର ଅଧର ହାଣ୍ଡିରେ ଲାଗି ହୋଇଥାଏ ଅଧରପଣା। ଯାହା ଶ୍ରୀ ବିଗ୍ରହମାନଙ୍କ ଅଧର ଉଚ୍ଚାରେ ରହିଥାଏ। ପଣା ପ୍ରସାଦ ଲାଗି ପରେ ଏହାକୁ ସେହି ସ୍ଥାନରେ ଭାଙ୍ଗି ଦିଆଯାଏ।

କ’ଣ ପାଇଁ ଓ କାହା ଲାଗି ଭଙ୍ଗାଯାଏ ଅଧରହାଣ୍ଡି

ମହାପ୍ରଭୁ ଜଗନ୍ନାଥଙ୍କ ପତିତପାବନ ନାମଟିକୁ ଯଥାର୍ଥ କରିବାକୁ ଯାଇ ଏହି ପରମ୍ପରାଟିକୁ ଶ୍ରୀମନ୍ଦିର ସଂସ୍କୃତିରେ ଯୋଡ଼ି ଦିଆଯାଇଛି। ଶ୍ରୀଗୁଣ୍ଡିଚା ଉତ୍ସବକୁ ମୋଟ ୧ମାସର ଅବଧି ବୋଲି ନିର୍ଦ୍ଧାରିତ କରାଯାଇଛି ବୋଲି କିଛି ଗବେଷକ ମତ ଦିଅନ୍ତି। ଦେବସ୍ନାନ ପୂର୍ଣ୍ଣିମାଠାରୁ ଏହି ଉତ୍ସବ ଆରମ୍ଭ ହୋଇ ନିଳାଦ୍ରୀ ବିଜେରେ ସମାପ୍ତ ହୋଇଥାଏ। କିଛି ଗବେଷକଙ୍କ ମତରେ ଦେବତାମାନଙ୍କଠାରୁ ଏହି ଉତ୍ସବ ଆରମ୍ଭ ହୋଇ ଅଶାରିରୀ ବା ପ୍ରେତମାନଙ୍କ ପାଖରେ ସରିଥାଏ ରଥୋତ୍ସବ।

ମହାପ୍ରଭୁ ଜଗନ୍ନାଥ ସମସ୍ତ ସଂସାରର ଦେବତା ହୋଇଥିବାରୁ ସେ ପତିତମାନଙ୍କୁ ଉଦ୍ଧାର କରିବାକୁ ଏହି ନବ ଦିନାତ୍ମକ ଯାତ୍ର କରୁଛନ୍ତି ବୋଲି କୁହାଯାଏ। ଏଣୁ ଏହି ଯାତ୍ରାକୁ ୩ ଭାଗରେ ବିଭକ୍ତ କରଯାଇଛି। ଦେବସ୍ନାନ ଉତ୍ସବରେ ମହାପ୍ରଭୁମାନେ ଦେବତା, ଯକ୍ଷ, ଗନ୍ଧର୍ବ ଆଦିଙ୍କୁ ଦର୍ଶନ ଦେଇ କୃତାର୍ଥ କରୁଥିବା ବେଳେ ଦ୍ୱିତୀୟ ଭାଗରେ ଶ୍ରୀଗୁଣ୍ଡିଚାରେ ରଥରେ ବସି ମନୁଷ୍ୟ ଯୋନି ଓ ପଶୁଯୋନିରେ ଜନ୍ମଗ୍ରହଣ କରିଥିବା ସମସ୍ତ ପ୍ରାଣୀଙ୍କୁ ଦର୍ଶନ ଦେଇ ପତିତୋଦ୍ଧାର କରିଥାନ୍ତି ଶ୍ରୀଜିଉ। ବାକି ରହିଥାନ୍ତି ପ୍ରେତ ଓ ଅଶରୀରୀମାନେ। ଏଣୁ ରଥୋତ୍ସବ ଶେଷ ଭାଗରେ ମହାପ୍ରଭୁ ଅଧରପଣା ପାନ କରି ଏହାକୁ ଅଶରୀରୀ ଓ ପ୍ରେତମାନଙ୍କ ଉଦ୍ଦେଶ୍ୟରେ ସମର୍ପଣ  କରିଥାନ୍ତି । ସେହି ଅଶରୀରୀମାନଙ୍କୁ ଉଦ୍ଧାର କରି ବଡ଼ଠାକୁର ନିଜ ମହନୀୟତାକୁ ପ୍ରତିପାଦିତ କରିଥାନ୍ତି।

କିଏ ଯୋଗାନ୍ତି ପଣା ସାମଗ୍ରୀ- ରଥ ଉପରେ ଠାକୁରମାନଙ୍କ ମଧ୍ୟାହ୍ନ ଧୂପ ଶେଷ ହେବା ପରେ ଅଧର ପଣା ପ୍ରସ୍ତୁତି ହୋଇ ନୀତି ଆରମ୍ଭ ହୋଇଥାଏ। ରାଘବ ଦାସ ଓ ବଡ଼ ଓଡ଼ିଆ ମଠ ପ୍ରଦତ୍ତ ଛେନା, ସର, କଦଳୀ, ଗୋଲମରିଚ, କର୍ପୂର, ଜାଇଫଳ ଇତ୍ୟାଦିରେ ଏହା ପ୍ରସ୍ତୁତ ହୋଇଥାଏ। ଶ୍ରୀମନ୍ଦିର ସମ୍ମୁଖରେ ଥିବା ଛାଉଣୀ ମଠ କୂଅରୁ ପାଣି ଆଣି ମହାପ୍ରଭୁଙ୍କ ଶ୍ରୀମୁଖ ପାଖରେ ହିଁ ପଣା ପ୍ରସ୍ତୁତ ହୋଇ ଲାଗି ହୋଇଥାଏ।

‘୯’ ହାଣ୍ଡି ପଣା କ’ଣ ପାଇଁ- ‘୯’ ଅଙ୍କ ତନ୍ତ୍ର ବିଜ୍ଞାନରେ ସ୍ୱତନ୍ତ୍ରତା ବହନ କରେ। ଦେବୀ ପୂଜା ସମୟରେ ନବରାତ୍ର ଉତ୍ସବ, ନବଦୁର୍ଗ ଉପାସନା ଭାରତୀୟ ତନ୍ତ୍ର ସାହିତ୍ୟରେ ସ୍ୱତନ୍ତ୍ର ସ୍ଥାନ ବହନ କରିଛି। ଶ୍ରୀ ଜଗନ୍ନାଥ ମହାପ୍ରଭୁ ତନ୍ତ୍ରାରାଧ୍ୟ ହୋଇଥିବାରୁ ତାରା ଯନ୍ତ୍ରରେ ଶ୍ରୀ ବଳଭଦ୍ର, ଭୁବନେଶ୍ୱରୀ ଯନ୍ତ୍ରରେ ଦେବୀ ସୁଭଦ୍ରା ଓ କାଳି ଯନ୍ତ୍ରରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଆରାଧିତ ହୁଅନ୍ତି ବୋଲି କୁହାଯାଏ। ଏହାକୁ ଆଧାର କରି ବଳଭଦ୍ରଙ୍କୁ ତାରା, ସୁଭଦ୍ରାଙ୍କୁ ଭୁବନେଶ୍ୱରୀ ଓ ଜଗନ୍ନାଥଙ୍କୁ ମହାକାଳୀ ବୋଲି ତାନ୍ତ୍ରୀକ ଓ ଶକ୍ତି ଉପାସକମାନେ ପୂଜା କରିଥାନ୍ତି। ଏହି କ୍ରମକୁ ଆଧାର କରି ରଥଯାତ୍ରା ସମୟରେ ତନ୍ତ୍ରର ପ୍ରଭାବ ଦେ‌ଖିବାକୁ ମିଳେ ଓ ରଥଯାତ୍ରାକୁ ବନଦିନାତ୍ମକ ଯାତ୍ରା କୁହାଯାଏ । ଖାଲି ସେତିକି ନୁହେଁ, ତନ୍ତ୍ରର ପ୍ରଭାବ ଜଗନ୍ନାଥ ସଂସ୍କୃତିରେ ରହିଥିବାରୁ ପ୍ରତି ରଥରେ ୯ ଜଣ ଲେଖାଏଁ ପାର୍ଶ୍ୱ ଦେବଦେବୀ ରହିଥାନ୍ତି ଓ ଅଧରପଣା ବେଳେ ପ୍ରତି ରଥରେ ୩ ଟି କରି ମୋଟ ୯ ହାଣ୍ଡି ପଣା ମହାପ୍ରଭୁଙ୍କୁ ମଣୋହୀ ହୋଇଥାଏ ବୋଲି କୁହାଯାଏ।