ପୁରୀ(ଓଡ଼ିଶା ରିପୋର୍ଟର): ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାକୁ ଆଉ ମାତ୍ର ଏକ ସପ୍ତାହ ରହିଲା। ପ୍ରତିବର୍ଷ ଏହି ସମୟରେ ଦେଶବିଦେଶରୁ ଶ୍ରଦ୍ଧାଳୁଙ୍କ ସୁଅ ପୁରୀକୁ ଛୁଟୁଥିବା ବେଳେ ଏବେ ସବୁ ଖାଁ ଖାଁ। ଏଯାଏ ରଥଯାତ୍ରା ହେବା ନେଇ ଅନିଶ୍ଚିତତା ଲାଗି ରହିଛି। ରଥ ଯାତ୍ରା ହେବ କି ନାହିଁ ସେ ସମ୍ପର୍କରେ ରାଜ୍ୟ ସରକାର ଏଯାଏ ନିଜ ଆଭିମୁଖ୍ୟ ସ୍ପଷ୍ଟ କରି ନାହାନ୍ତି। ଆସନ୍ତା୧୮ ତାରିଖରେ ସୁପ୍ରିମକୋର୍ଟରେ ରଥଯାତ୍ରା ମାମଲାର ଶୁଣାଣି ହେବ। କିନ୍ତୁ ଏତେ ସବୁ ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ରଥ ପ୍ରତିଷ୍ଠା ପାଇଁ ଅନୁମତି ପତ୍ର ଜାରି ହୋଇଥିବାରୁ ରଥଯାତ୍ରା ହେବା ନେଇ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଆଶା ଉଜ୍ଜିବୀତ ହୋଇଛି।
ବରିଷ୍ଠ ଦଇତାପତି ବିନାୟକ ଦାସମହାପାତ୍ର କହିଛନ୍ତି ଯେ, ରାଜ୍ୟ ସରକାର ରଥଯାତ୍ରା ଓ ରଥ ଟଣା ନେଇ ଶୀଘ୍ର ନିଜର ନିଷ୍ପତ୍ତି ଘୋଷଣା କରିବା ଦରକାର । ରଥ ଟାଣିବା ଲାଗି ୧୭୦୦ରୁ ୨୦୦୦ ସେବାୟତ ପ୍ରସ୍ତୁତ ଥିବା ସେ କହିଛନ୍ତି । ପୂର୍ବରୁ ବଡ଼ଦାଣ୍ଡରେ ବାଲି ଥିଲା ବୋଲି ହାତୀ ରଥ ଟାଣୁଥିଲେ । ଏବେ ହାତୀ ମିଳୁନାହାନ୍ତି । ତା ହେଲେ ରଥ କିପରି ଟଣାଯିବ ବୋଲି ସେ ପ୍ରଶ୍ନ କରିଛନ୍ତି । ବିନା ଭକ୍ତରେ ରଥଯାତ୍ରା କିପରି ହେବ ସେନେଇ ସରକାର ତୁରନ୍ତ ଘୋଷଣା କରିବାକୁ ଦଇତାପତି ଦାବି କରିଛନ୍ତି ।
ଅପରପକ୍ଷେ ମେସିନରେ ରଥ ଟଣା ପ୍ରସ୍ତାବକୁ ସେ ନାପସନ୍ଦ କରିବା ସହିତ ରଥଟଣାକୁ ନେଇ ରାଜନୀତି କରିବା ଠିକ୍ ନୁହଁ ବୋଲି ସେ କହିଛନ୍ତି । ଏନେଇ ବିନାୟକ ଦାସମହାପାତ୍ର ଆଜି ମନ୍ତ୍ରୀ ଅରୁଣ ସାହୁଙ୍କୁ ମଧ୍ୟ ଭେଟି ଆଲୋଚନା କରିଛନ୍ତି।
ଅପରପକ୍ଷେ ରଥ ଅନୁକୂଳ ପାଇଁ ଶ୍ରୀମନ୍ଦିର ପୁରୋହିତଙ୍କୁ ଅନୁମତି ପତ୍ର ଦେଇଛି ଶ୍ରୀମନ୍ଦିର ପ୍ରଶାସନ। ଏବେ ସ୍ରୋତର ପ୍ରତିକୂଳ ପରିସ୍ଥିତିରେ ସବୁକିଛି ଚାଲୁ ରହିଛି । ଏଭଳି ସ୍ଥିତିରେ ମହାପ୍ରଭୁଙ୍କ ରଥଯାତ୍ରା ହେଉ ବୋଲି ଆଶା କରିବା ବୋଲି କହିଛନ୍ତି ପୁରୋହିତ ସିଦ୍ଧେଶ୍ୱର ମହାପାତ୍ର।
ରଥ ଯାତ୍ରା ନେଇ ସରକାର କୌଣସି ନିଷ୍ପତ୍ତି ନେଉ ନ ଥିବାରୁ ଓଡ଼ିଶା ବିକାଶ ପରିଷଦ ସୁପ୍ରିମ୍ କୋର୍ଟର ଦ୍ୱାରସ୍ଥ ହୋଇଛି। ଆସନ୍ତା ୧୮ ତାରିଖରେ ହେବ ଏହି ମାମଲାର ଶୁଣାଣି ହେବା ନିମନ୍ତେ ଦିନ ଧାର୍ଯ୍ୟ ହୋଇଛି। ସୁପ୍ରିମକୋର୍ଟର ୩ ଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିବେ। ଏନେଇ ଓଡ଼ିଶା ବିକାଶ ପରିଷଦ ଓକିଲ ହିତେନ୍ଦ୍ର ନାଥ ରଥ ସୂଚନା ଦେଇଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।