କଟକ(ଓଡ଼ିଶା ରିପୋର୍ଟର): ବାହାର ଲୋକଙ୍କ ପାଇଁ ବନ୍ଦ କରାଗଲା ରେଭେନ୍ସା କ୍ୟାମ୍ପସ । ସେହିପରି ବାକି ଥିବା ଦୁଇଟି ପରୀକ୍ଷାକୁ ସ୍ଥଗିତ ରଖିଛନ୍ତି ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ । ରେଭେନ୍ସା ବିଶ୍ୱବିଦ୍ୟାଳୟରେ ୨ ଜଣ ଅଧ୍ୟାପିକା ଓ ଜଣେ ବିଦ୍ୟାର୍ଥୀ କରୋନା ପଜିଟିଭ୍ ଚିହ୍ନଟ ହେବାପରେ ସଂକ୍ରମଣ ରୋକିବାକୁ ଏପରି କଡ଼ାକଡ଼ି ପଦକ୍ଷେପ ଗ୍ରହଣ କରିଛନ୍ତି କର୍ତ୍ତୃପକ୍ଷ।
ବିଶ୍ୱବିଦ୍ୟାଳୟ ହଷ୍ଟେଲରେ କରୋନା ବ୍ୟାପିବା ପରେ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି ରେଭେନ୍ସା କର୍ତ୍ତୃପକ୍ଷ । ସମସ୍ତ ହଷ୍ଟେଲଗୁଡିକୁ ସାନିଟାଇଜ କରାଯାଇଛି । ଏହାଛଡା ହଷ୍ଟେଲର ସମସ୍ତ ଅନ୍ତେବାସୀଙ୍କୁ ଆଇସୋଲେସନ୍ରେ ରଖାଯାଇଛି । ତେବେ ମହାନଦୀ ହଷ୍ଟେଲର ଜଣେ କରୋନା ସଂକ୍ରମିତ ଛାତ୍ରୀଙ୍କୁ ତାଙ୍କ ପରିବାର ଲୋକ ଘରକୁ ନେଇଯାଇଛନ୍ତି।
ଆସନ୍ତା ୧୪ ଦିନ ପାଇଁ ରେଭେନ୍ସାରେ ଅଫ୍ ଲାଇନ ପାଠ ପଢା ବନ୍ଦ ରହିବ । କିନ୍ତୁ ଅନଲାଇନ୍ରେ ଯେଉଁ ଭଳି ପାଠ ପଢା ଚାଲୁଥିଲା ତାହା ଚାଲିବ ବୋଲି କହିଛନ୍ତି ରେଭେନ୍ସା କୁଳପତି ଦାୟିତ୍ୱରେ ଥିବା ଅପରାଜିତା ଚୌଧୁରୀ।
ସୂଚନାଯୋଗ୍ୟ, ରେଭେନ୍ସା ବିଶ୍ୱବିଦ୍ୟାଳୟର ୨ ଅଧ୍ୟାପକ ଓ ଜଣେ ହଷ୍ଟେଲ ଅନ୍ତେବାସୀ କରୋନାରେ ଆକ୍ରାନ୍ତ ହେବା ପରେ ସବୁ ହଷ୍ଟେଲ ଅନ୍ତେବାସୀଙ୍କର କୋଭିଡ୍ ଟେଷ୍ଟ କରାଯାଉଛି । ସେପଟେ କୋଭିଡ଼ ଗାଇଡଲାଇନ ଉଲ୍ଲଂଘନ ଅଭିଯୋଗରେ କଟକ ଚଣ୍ଡି ଛକରେ ଥିବା ଏକ କୋଚିଂ ସେଣ୍ଟର ଓ ରାଣୀହାଟରେ ଏକ ସପିଂ କଂପ୍ଲେକ୍ସକୁ ମଧ୍ୟ ସିଲ୍ କରିଛି ସିଏମ୍ସି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।