ଦାସବର୍ମାଙ୍କ ବ୍ୟକ୍ତିଗତ ସହାୟକଙ୍କ ମୃତ୍ୟୁ ମାମଲାର ତଦନ୍ତ ପାଇଁ ଗଠନ ହେଲା ଏସ୍‌ଆଇଟି

ପୁରୀ (ଓଡ଼ିଶା ରିପୋର୍ଟର): ପୁରୀ ଭାର୍ଗବୀ-ନୂଆନଈରୁ ଆଜି ମିଳିଥିଲା ଯୋଜନା ବୋର୍ଡର ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମାଙ୍କ ବ୍ୟକ୍ତିଗତ ସହାୟକ ଚିତ୍ତରଞ୍ଜନ ପଲେଇଙ୍କ ମୃତଦେହ। ଚିତ୍ତରଞ୍ଜନଙ୍କ ପରିବାର ଲୋକଙ୍କ ଏତଲା ଆଧାରରେ ପୁଲିସ୍‌ ୩୦୨ IPCରେ ମାମଲା ରୁଜୁ କରିଛି। ତ୍ୱରିତ ତଦନ୍ତ ପାଇଁ ସ୍ପେଶାଲ ଇନଭେଷ୍ଟିଗେସନ୍‌ ଟିମ (SIT) ଗଠନ କରାଯାଇଛି। ପୁରୀ ଅତିରିକ୍ତ ଏସ୍‌ପି ପୂର୍ଣ୍ଣଚନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଗଠନ ହେଲା SIT। ଅଭିଯୋଗରୁ ପ୍ରକାଶ, ଶନିବାର ରାତିରେ ପୁରୀ ମାଟିଆପଡ଼ା ଅଞ୍ଚଳର ଜଗନ୍ନାଥ ଷଡ଼ଙ୍ଗୀ […]

Puri-murder

Manoranjan Sial
  • Published: Monday, 13 December 2021
  • , Updated: 13 December 2021, 09:49 PM IST

ପୁରୀ (ଓଡ଼ିଶା ରିପୋର୍ଟର): ପୁରୀ ଭାର୍ଗବୀ-ନୂଆନଈରୁ ଆଜି ମିଳିଥିଲା ଯୋଜନା ବୋର୍ଡର ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମାଙ୍କ ବ୍ୟକ୍ତିଗତ ସହାୟକ ଚିତ୍ତରଞ୍ଜନ ପଲେଇଙ୍କ ମୃତଦେହ। ଚିତ୍ତରଞ୍ଜନଙ୍କ ପରିବାର ଲୋକଙ୍କ ଏତଲା ଆଧାରରେ ପୁଲିସ୍‌ ୩୦୨ IPCରେ ମାମଲା ରୁଜୁ କରିଛି। ତ୍ୱରିତ ତଦନ୍ତ ପାଇଁ ସ୍ପେଶାଲ ଇନଭେଷ୍ଟିଗେସନ୍‌ ଟିମ (SIT) ଗଠନ କରାଯାଇଛି। ପୁରୀ ଅତିରିକ୍ତ ଏସ୍‌ପି ପୂର୍ଣ୍ଣଚନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଗଠନ ହେଲା SIT।

ଅଭିଯୋଗରୁ ପ୍ରକାଶ, ଶନିବାର ରାତିରେ ପୁରୀ ମାଟିଆପଡ଼ା ଅଞ୍ଚଳର ଜଗନ୍ନାଥ ଷଡ଼ଙ୍ଗୀ ଓରଫ ଜଗା ଘରେ ଆୟୋଜିତ ହୋଇଥିଲା ଭୋଜି। ସେଠାକୁ ଯାଇଥିଲେ ଚିତ୍ତରଂଜନ। କିନ୍ତୁ ଘରକୁ ଆଉ ଫେରିନଥିଲେ। ତାଙ୍କ ମୋବାଇଲ ବନ୍ଦ ରହିଥିଲା। ରବିବାର ଯାଏ କୌଣସି ପତ୍ତା ନମିଳିବାରୁ ସଦର ଥାନାରେ ଅଭିଯୋଗ କରିଥିଲେ ପରିବାର ଲୋକେ। ଖୋଳତାଡ଼ ଭିତରେ ଆଜି ନୂଆନଈରୁ ମିଳିଥିଲା ମୃତଦେହ।

ନଦୀରୁ ମୃତଦେହ ମିଳିବା ପରେ ପରିବାର ଲୋକଙ୍କ ସନ୍ଦେହ ବଢ଼ିଥିଲା। ଚିତ୍ତରଞ୍ଜନଙ୍କୁ ଯୋଜନା ବଦ୍ଧ ଭାବେ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଥିଲେ। ଏଥିରେ ଜଗନ୍ନାଥ ଷଡ଼ଙ୍ଗୀ ଓ ସଞ୍ଜୟ ଦାସବର୍ମାଙ୍କ ହାତ ଥିବା ପରିବାର ଲୋକେ ଅଭିଯୋଗ କରିଥିଲେ। ସେପଟେ ପୁଲିସ୍‌ କିନ୍ତୁ ଭିନ୍ନ କଥା କହିଥିଲା। ଶନିବାର ରାତିରେ ଭୋଜି ଚାଲିଥିବା ବେଳେ ଜଗା ଓ ଚିତ୍ତ ବାଇକ୍‌ରେ ବାହାରିଥିଲେ। ଭୋଜିସ୍ଥଳରୁ ପ୍ରାୟ ୨୦ କିଲୋମିଟର ଦୂର ଯିବା ପରେ ବାଇକ ଛିଟିକି ପଡ଼ିଥିଲା। ଘଟଣାସ୍ଥଳରେ ଅକ୍ଷତ ଅବସ୍ଥାରେ ଚେତା ହରାଇଥିଲେ ଜଗା। ରକ୍ତଛିଟା ମଧ୍ୟ ପଡ଼ିଥିଲା। ଘଟଣାସ୍ଥଳରେ ଘୋଷରା ଯାଇଥିବା ଚିହ୍ନ ମଧ୍ୟ ରହିଥିଲା।

ଖବରପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଜଗାଙ୍କୁ ଉଦ୍ଧାର କରିଥିଲା ସତ, ହେଲେ ପାଖରେ ନଥିଲେ ଚିତ୍ତରଂଜନ। ହୋସ୍‌ ଆସିବା ପରେ କିଛି ଜାଣିନଥିବା ପୁଲିସକୁ କହିଥିଲା ଜଗା। ତେବେ ଏଠି ପ୍ରଶ୍ନ ଉଠୁଛି, ବାଇକ୍‌ରେ କାହିଁକି ଓ କୁଆଡ଼େ ଯାଉଥିଲେ ଜଗା ଓ ଚିତ୍ତ? ଯଦି ଏହା ଦୁର୍ଘଟଣା, ତେବେ ନଈରୁ ଚିତ୍ତଙ୍କ ମୃତଦେହ ମିଳିବା ପଛର କାରଣ କଣ? ହତ୍ୟା ପାଇଁ ଷଡ଼ଯନ୍ତ୍ର ରଚିବାକୁ ଯାଇ ଦୁର୍ଘଟଣାର ରୂପ ଦିଆଯାଉନି ତ? କାରଣ ଚିତ୍ତ ଓ ଜଗା ହେଉଛନ୍ତି, ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମାଙ୍କ ସହଯୋଗୀ।

ପରିବାର ଲୋକଙ୍କ କହିବା କଥା, ଟଙ୍କା କାରବାରକୁ ନେଇ ପୂର୍ବରୁ ଉଭୟଙ୍କ ମଧ୍ୟରେ ଉଚବାଚ ହୋଇଥିଲା। ଏ ସଂପର୍କରେ ଦାସବର୍ମା ମଧ୍ୟ ଅବଗତ ଅଛନ୍ତି। ଯୋଜନା ବୋର୍ଡ ଉପାଧ୍ୟକ୍ଷଙ୍କ ବ୍ୟକ୍ତିଗତ ସହାୟକ ହେବା ପାଇଁ ଚିତ୍ତ ସମେତ ଏକାଧିକ ଆଶାୟୀଙ୍କ ଭିତରେ ଅନ୍ତଃକନ୍ଦଳ ଥିଲା ବୋଲି ଚର୍ଚ୍ଚା ହେଉଛି। ତେବେ ଏସବୁ କାରଣରୁ ଚିତ୍ତଙ୍କୁ ରାସ୍ତାରୁ ହଟାଇ ଦିଆଯାଇନି ତ? ଘଟଣା ସମ୍ପର୍କରେ ଯଦି ଦାସବର୍ମା ଜାଣିଥିଲେ, ତେବେ କାହିଁକି ଏହି ବିବାଦକୁ ତୁଟାଇ ନଥିଲେ? ଏବେ ଏଭଳି ପ୍ରଶ୍ନ ଉଠୁଥିବା ବେଳେ ସଞ୍ଜୟ ଦାସବର୍ମାଙ୍କ ଆଡ଼କୁ ସିଧାସଳଖ ଅଙ୍ଗୁଳି ଉଠାଇଛନ୍ତି ଚିତ୍ତଙ୍କ ପରିବାର ଲୋକେ। ସେପଟେ ପୁଲିସ ଏହି ମାମଲାରେ ଶାସନ ଦାମୋଦରପୁର ଗାଁର ଜଗା ଓ ଅନ୍ୟ ୨ ଜଣଙ୍କୁ ଧରି ପଚରାଉଚରା କରୁଛି।

Related story