ବ୍ରହ୍ମପୁର (ଜଗନ୍ନାଥ ସାହୁ): ଘରୁ ଡ଼ାକିନେଇ ଦୁର୍ବୃତ୍ତମାନେ ଜଣେ ଚାଉଳ ବ୍ୟବସାୟୀଙ୍କ ଉପରେ ଗୁଳିମାଡ଼ କରିଛନ୍ତି। ଆକ୍ରମଣର ପ୍ରକୃତ କାରଣ ଜଣାପଡ଼ି ନ ଥିଲେ ମଧ୍ୟ ବ୍ୟବସାୟିକ ଶତ୍ରୁତାରୁ ଗୁଳି ମାଡ଼ ହୋଇଥିବା ପୁଲିସ ସନ୍ଦେହ କରୁଛି। ଆଜି ଏପରି ଘଟଣା ଗଞ୍ଜାମ ଜିଲ୍ଲାରେ ଘଟିଛି। ପୁଲିସ ମାମଲା ରୁଜୁ କରି ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି।
ଚିକିଟି ଥାନା କେ-ନୂଆଗାଁ ବିରସିଂ ଲକ୍ଷ୍ମୀନାରାୟଣପୁର ଗାଁର ଚାଉଳ ବେପାରୀ ସୁବାସ ଚନ୍ଦ୍ର ପଣ୍ଡାଙ୍କୁ ଦୁଇ ଜଣ ଯୁବକ ଘର ବାହାରକୁ ଡାକି ଆଣିଥିଲେ। ସେମାନେ ଘର ନିକଟସ୍ଥ ମନ୍ଦିର ପାଖରେ ଠିଆ ହୋଇ କଥା ହେଉଥିଲେ। ଏହି ସମୟରେ ୬ ଜଣ ଯୁବକ ଦୁଇଟି ବାଇକ୍ରେ ଆସି ସୁବାସଙ୍କ ସହିତ ଯୁକ୍ତିତର୍କ କରିଥିଲେ। ପରେ ସେମାନଙ୍କ ମଧ୍ୟରୁ ଜଣେ ଯୁବକ ସୁବାସଙ୍କ ଉପରେ ଗୁଳି ଚଳାଇ ଥିଲେ। ଫଳରେ ତାଙ୍କ ମୁଣ୍ଡ ଓ କାନ୍ଧରେ ଗୁଳି ବାଜିଥିଲା। ସୁବାସ ସେଠାରେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପଡ଼ିଥିବା ବେଳେ ଦୁର୍ବୃତ୍ତମାନେ ସେଠାରୁ ଚମ୍ପଟ ମାରିଥିଲେ। ଆହତ ସୁବାସଙ୍କୁ ବ୍ରହ୍ମପୁର ବଡ଼ମେଡିକାଲରେ ଭର୍ତ୍ତି କରାଯାଇଛି। ଏହି ଘଟଣାରେ ପୁଲିସ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ତଦନ୍ତରେ ବ୍ୟାଘାତ ହେବା ଆଶଙ୍କା କରି ପୁଲିସ ଅଟକ ଅଭିଯୁକ୍ତଙ୍କ ପରିଚୟ ପ୍ରକାଶ କରିନାହିଁ।