ବଢ଼ିଲା ମଦ ଦର, କରୋନା ପାଇଁ ମଦ ଦୋକାନର ସ୍ୱତଃ ନବୀକରଣ

ଭୁବନେଶ୍ୱର(ପ୍ରକାଶ ସେଠୀ): କରୋନା ସଂକ୍ରମଣ ପାଇଁ ସରକାରୀସ୍ତରରେ ବ୍ୟାପକ କଟକଣା ଓ ପଦକ୍ଷେପ ମଧ୍ୟରେ ରାଜ୍ୟ ସରକାର ନୂଆ ଅବକାରୀ ନୀତି ଘୋଷଣା କରିଛନ୍ତି। ୨୦୨୦-୨୧ ମସିହା ପାଇଁ ଓଡ଼ିଶା ସରକାରଙ୍କ ଏହି ନୂଆ ଅବକାରୀ ନୀତି ଏପ୍ରିଲ ୧ରୁ କାର୍ଯ୍ୟକ୍ଷମ ହୋଇଛି। ତେବେ କରୋନା ପାଇଁ ମଦ ଦୋକାନଗୁଡ଼ିକର ଲାଇସେନ୍ସ ସ୍ୱତଃ ନବୀକରଣ ନିମନ୍ତେ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ନୂଆ ଅବକାରୀ ନୀତିରେ ସମସ୍ତ ପ୍ରକାରର ମଦର ଦର ବୃଦ୍ଧି ପାଇଥିବାବେଳେ ମଦ ଦୋକାନ […]

WINE SHOP

Manoranjan Sial
  • Published: Friday, 10 April 2020
  • , Updated: 10 April 2020, 09:45 PM IST

ଭୁବନେଶ୍ୱର(ପ୍ରକାଶ ସେଠୀ): କରୋନା ସଂକ୍ରମଣ ପାଇଁ ସରକାରୀସ୍ତରରେ ବ୍ୟାପକ କଟକଣା ଓ ପଦକ୍ଷେପ ମଧ୍ୟରେ ରାଜ୍ୟ ସରକାର ନୂଆ ଅବକାରୀ ନୀତି ଘୋଷଣା କରିଛନ୍ତି। ୨୦୨୦-୨୧ ମସିହା ପାଇଁ ଓଡ଼ିଶା ସରକାରଙ୍କ ଏହି ନୂଆ ଅବକାରୀ ନୀତି ଏପ୍ରିଲ ୧ରୁ କାର୍ଯ୍ୟକ୍ଷମ ହୋଇଛି। ତେବେ କରୋନା ପାଇଁ ମଦ ଦୋକାନଗୁଡ଼ିକର ଲାଇସେନ୍ସ ସ୍ୱତଃ ନବୀକରଣ ନିମନ୍ତେ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ନୂଆ ଅବକାରୀ ନୀତିରେ ସମସ୍ତ ପ୍ରକାରର ମଦର ଦର ବୃଦ୍ଧି ପାଇଥିବାବେଳେ ମଦ ଦୋକାନ ଲାଇସେନ୍ସ ଗତବର୍ଷ ତୁଳନାରେ ୧୦ରୁ ୧୫% ପ୍ରତିଶତ ବୃଦ୍ଧି ହୋଇଛି।

ଗତ ସପ୍ତାହରେ ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ନୂଆ ଅବକାରୀ ନୀତି ଅନୁସାରେ, କୋଭିଡ-୧୯ ବା କରୋନା ପରିସ୍ଥିତି ଯୋଗୁ ମଦ ଦୋକାନଗୁଡ଼ିକର ଲାଇସେନ୍ସ ନବୀକରଣ ପାଇଁ କୌଣସି ଆବେଦନ ଦାଖଲ କରିବାକୁ ପଡ଼ିବ ନାହିଁ। ରାଜ୍ୟରେ ଯେତିକି ମଦ ଦୋକାନ ରହିଛି ସେଗୁଡ଼ିକ ବିରୁଦ୍ଧରେ କିଛି ପ୍ରତିକୂଳ ରିପୋର୍ଟ ନଥିଲେ ତାହା ସ୍ୱତଃ ନବୀକରଣ ହେବ। ତେବେ ଏଥିପାଇଁ ମଦ ଦୋକାନଗୁଡ଼ିକୁ ଆବଶ୍ୟକ ବର୍ଦ୍ଧିତ ଲାଇସେନ୍ସ ନବୀକରଣ ଫି ଦାଖଲ କରିବାକୁ ପଡ଼ିବ।

ନୂଆ ଅବକାରୀ ନୀତିରେ ବିୟରଗୁଡ଼ିକ ଦାମ ୫ରୁ ୧୦ଟଙ୍କା ଓ ରମ୍ , ବ୍ରାଣ୍ଡି, ହ୍ୱିସ୍କି ଓ ଭୋଡକା ଉପରେ ୫୦ଟଙ୍କା ବୃଦ୍ଧି ପାଇଛି । ତେବେ ବିଦେଶରୁ ଆସୁଥିବା ମଦର ଦର ପୂର୍ବବର୍ଷ ଭଳି ସମାନ ରହିଛି। ଭାରତରେ ପ୍ରସ୍ତୁତ ହେଉଥିବା ହ୍ୱିସ୍କି, ଜିନ୍ , ରମ୍‌, ବ୍ରାଣ୍ଡି, ଭୋଡ଼କା ଓ ସବୁପ୍ରକାରର ମଦ ଏଲପିଏଲ୍ ପିଛା ୪୦୦ଟଙ୍କା ଥିବାବେଳେ ଏବେ ତାହା ୪୫୦ଟଙ୍କାକୁ ବୃଦ୍ଧି ପାଇଛି। ସେହିପରି ବିଦେଶରୁ ଆସି ଭାରତରେ ବଟଲିଂ ହେଉଥିବା ମଦର ଦର ମଧ୍ୟ ଏପିଏଲ ପିଛା ୫୦ଟଙ୍କା ବଢ଼ିଛି। ସେହିପରି ଭାରତରେ ପ୍ରସ୍ତୁତ ହେଉଥିବା ସବୁପ୍ରକାର ବିୟରର ଦାମ ୫ରୁ ୧୦ଟଙ୍କା ବୃଦ୍ଧି ହୋଇଥିବାବେଳେ ବିଦେଶୀ ବିୟରରେ ୧୦ଟଙ୍କା ବଢ଼ିଛି। ଡ୍ରଟ୍ ବିୟରରେ ୫ରୁ ୧୫ଟଙ୍କା ବୃଦ୍ଧି ହୋଇଛି। ସେହିପରି ଦେଶୀ ମଦରେ ୧୦ରୁ ୩୦ଟଙ୍କା ବୃଦ୍ଧି ହୋଇଥିବା ଜଣାପଡ଼ିଛି।

ତେବେ ସମସ୍ତ ମଦ ପ୍ରସ୍ତୁତକାରୀ କମ୍ପାନୀ, ବଟଲିଂ ପ୍ଲାଣ୍ଟ, ବିୟର ଓ ଦେଶୀ ମଦ ପ୍ରସ୍ତୁତକାରୀ କମ୍ପାନୀଗୁଡ଼ିକର ଲାଇସେନ୍ସ ପାଇଁ ଆବଶ୍ୟକ ହେଉଥିବା ପରିବେଶ କ୍ଲିଅରାନ୍ସ ବର୍ଷକ ପାଇଁ ନବୀକରଣ ହେବ। ସେହିପରି ହୋଲସେଲ୍ ଲାଇସେନ୍‌ସ, ଡିପୋ ଳାଇସେନ୍ସ, ଲେବଲ ରେଜିଷ୍ଟ୍ରେସନ, ବିଦେଶୀ ମଦ ଅନ୍ ସପ୍‌, ଭାଙ୍ଗ ଆଦି ଦୋକାନର ଲାଇସେନ୍ସ ନବୀକରଣ ବର୍ଷକ ପାଇଁ ହେବ। ତେବେ ଏଥିପାଇଁ ଆବେଦନ ଫି’ ସମେତ ଆବଶ୍ୟକ ଅର୍ଥ ଜମା କରିବା ପରେ ତାହା ସ୍ୱତଃ ନବୀକରଣ ହେବ । ଅବଶ୍ୟ ଠିପି ବନ୍ଦ ବିଦେଶୀ ମଦ ଦୋକାନ ଓ ଦେଶୀ ମଦ ଦୋକାନଗୁଡ଼ିକର ଲାଇସେନ୍ସ କେବଳ ୩ମାସ ଅର୍ଥାତ୍ ଜୁନ୍ ୩୦ ତାରିଖ ପର୍ଯ୍ୟନ୍ତ ସମ୍ପ୍ରସାରଣ କରାଯାଇଛି। ନୂଆ ଅବକାରୀ ନୀତିରେ କୌଣସି ମଦ ଦୋକାନ ପାଇଁ ସର୍ବନିମ୍ନ କୋଟା ନିର୍ଦ୍ଧାରଣ(ଏମଜିକ୍ୟୁ) କରାଯାଇ ନଥିବାବେଳେ ଗତବର୍ଷ ଯେଉଁ ଦୋକାନ ଯେତିକି ପରିମାଣରେ ମଦ ନେଉଥିଲେ ତାହା ଚଳିତବର୍ଷ ସମାନ ରହିଛି।

ସୂଚନାଯୋଗ୍ୟ, ରାଜ୍ୟ ସରକାର ୨୦୨୦-୨୧ ଆର୍ଥିକ ବର୍ଷରେ ମଦରୁ ରାଜସ୍ୱ ବାବଦରେ ମୋଟ ୧୫୪୬୯କୋଟି ଟଙ୍କା ସଂଗ୍ରହ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରିଥିବାବେଳେ ଗତବର୍ଷ ତୁଳନାରେ ଏହା ୧୨.୯% ଅଧିକ।

Related story