ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହଙ୍କ ଓଡ଼ିଶାରେ ମାରାଥନ୍ ନିର୍ବାଚନୀ ପ୍ରଚାର ବିଜେଡିକୁ ଚିନ୍ତାରେ ପକାଇଛି। ମୋଦି ଓ ଶାହଙ୍କ ଯୋଡ଼ି ଓଡ଼ିଶା ଗସ୍ତ କରି ବିଜେପି ସପକ୍ଷରେ ମାହୋଲ୍ ପ୍ରସ୍ତୁତ କରିବାରେ ଲାଗିଥିବାବେଳେ ବିଜେଡି ଏହାର ମୁକାବିଲା ପାଇଁ ନିଜର ନିର୍ବାଚନୀ ରଣନୀତି ପରିବର୍ତ୍ତନ କରିଥିବା ଜଣାପଡ଼ିଛି। ରାଜ୍ୟରେ ଦ୍ରୁତ ଗତିରେ ବଦଳୁଥିବା ଭୋଟରଙ୍କ ମୁଡକୁ ପରଖି ବିଜେଡି ଏବେ ନିଜର ଗଡ଼ ରକ୍ଷା କରିବାକୁ ସବୁ ପ୍ରକାରର ପ୍ରୟାସ ଆରମ୍ଭ କରିଦେଇଛି। ଆଉ ଏସବୁ ଭିତରେ ୨୦୧୯ ନିର୍ବାଚନ ଫଳାଫଳକୁ ନେଇ ବିଜେଡି ଉପରକୁ ଯେତେ ଦମ୍ଭୋକ୍ତି ଦେଖାଉଥିଲେ ମଧ୍ୟ ବାସ୍ତବ କ୍ଷେତ୍ରରେ ଆଶଙ୍କା ଓ ଦ୍ୱନ୍ଦ୍ୱରେ ପଡ଼ିଥିବା ସୂଚନା ମିଳିଛି।
ରାଜନୀତିକ ବିଶ୍ଲେଷକଙ୍କ ମତରେ, ପ୍ରଧାନମନ୍ତ୍ରୀ ମୋଦିଙ୍କ ମାରାଥନ୍ ଗସ୍ତ ତଥା ରାଜ୍ୟରେ ବିଜେପିର ବ୍ୟାପକ ଓ ତ୍ୱରିତ୍ ନିର୍ବାଚନୀ ପ୍ରଚାର ଏବେ ସାଧାରଣ ଲୋକମାନଙ୍କ ମନରେ ‘ପରିବର୍ତ୍ତନ’ର ଏକ ନୂଆ ଆଶା ସଞ୍ଚାର କରିଛି। ରାଜ୍ୟରେ ନିର୍ବାଚନୀ ପ୍ରଚାର ମଇଦାନରେ କଂଗ୍ରେସ ସମ୍ପୂର୍ଣ୍ଣ ବ୍ୟାକଫୁଟରେ ରହିଥିବାବେଳେ ଏବେ ବିଜେଡି ଓ ବିଜେପି ମଧ୍ୟରେ କଡ଼ା ଟକ୍କର ଚାଲିଛି। ଗତ ୧୯ବର୍ଷର ଶାସନ କାଳରେ ବିଭିନ୍ନ ଲୋକପ୍ରିୟ ଯୋଜନା ଓ ନିଜର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ‘ଷ୍ଟାର କ୍ୟାମ୍ପେନର’ ଭାବେ ଓହ୍ଲାଇ ବିଜେଡି ଚଳିତ ନିର୍ବାଚନରେ ରେକର୍ଡ ସଫଳତା ହାସଲ କରିବ ବୋଲି ଦମ୍ଭୋକ୍ତି ବାଢ଼ୁଛି। ନବୀନଙ୍କୁ ଛାଡ଼ିଦେଲେ ବିଜେଡିର ଅନ୍ୟ କୌଣସି ନେତା ବା ଷ୍ଟାର କ୍ୟାମ୍ପେନର ରାଜ୍ୟସ୍ତରରେ ଭୋଟରଙ୍କ ପାଖରେ ଗ୍ରହଣୀୟ ହୋଇପାରି ନାହାନ୍ତି। ଅନ୍ୟପକ୍ଷରେ ବିଜେପି କିନ୍ତୁ ଚଳିତ ନିର୍ବାଚନରେ ରାଜ୍ୟ ନେତାଙ୍କ ବଦଳରେ ମୋଦି-ଶାହ ଯୋଡ଼ିଙ୍କୁ ପ୍ରଚାର ମଇଦାନକୁ ଓହ୍ଲାଇ ସୁଚିନ୍ତିତ ରଣନୀତି ଓ ଶାଣିତ ସମାଲୋଚନା ମାଧ୍ୟମରେ ଭୋଟରଙ୍କ ମନ ଜିଣିବାକୁ ଚେଷ୍ଟା କରୁଛି। ବିଜେପି ହିଁ ରାଜ୍ୟରେ ବିଜେଡିର ଏକମାତ୍ର ବିକଳ୍ପ ବୋଲି ସନ୍ଦେଶ ଦେଉଛି।
ଗତ ମାସକ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦି ଓ ଶାହାଙ୍କ ଯୋଡ଼ି ଓଡ଼ିଶାରେ ୧୮ରୁ ଅଧିକ ସମାବେଶ ଓ ରୋଡ୍ ଶୋ’ କରିସାରିଥିବାବେଳେ ଆସନ୍ତା ୨୩ତାରିଖରେ ପ୍ରଧାନମନ୍ତ୍ରୀ ମୋଦି ପୁଣିଥରେ କେନ୍ଦ୍ରାପଡ଼ା ଓ ବାଲେଶ୍ୱର ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି। ଶ୍ରୀ ଶାହ ମଧ୍ୟ ପୁଣିଥରେ ୨୨ ଓ ୨୬ତାରିଖରେ ଓଡ଼ିଶା ଗସ୍ତରେ ଆସିପାରନ୍ତି ବୋଲି ଜଣାପଡ଼ିଛି।
ଗୋଟିଏପଟେ ରାଜ୍ୟରେ ବିଜେପିର ଚେହେରା ପାଲଟିଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସିଧାସଳଖ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଶାଣିତ ସମାଲୋଚନା ଜାରି ରଖିଥିବାବେଳେ ଅନ୍ୟପଟେ ମୋଦି ଓ ଶାହଙ୍କ ଯୋଡ଼ି ଓଡ଼ିଶା ଗସ୍ତ କରି ରାଜ୍ୟରେ ବିଜେପି ସପକ୍ଷରେ ହାୱା ସୃଷ୍ଟି କରିବାରେ ଲାଗିଛନ୍ତି। ଅନ୍ୟପକ୍ଷରେ ଭୋଟରଙ୍କୁ ବାନ୍ଧି ରଖିବା ପାଇଁ ବିଜେଡି ଏବେ ନିଜର ରଣନୀତି ପରିବର୍ତ୍ତନ କରିଥିବା ସୂଚନା ମିଳିଛି। ବିଜେଡି ଏବେ ନିଜର ଭୋଟ୍ ବ୍ୟାଙ୍କ ବଢ଼ାଇବା ପାଇଁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ମାଧ୍ୟମରେ ମହିଳା ଭୋଟରଙ୍କ ଉପରେ ଆଖି ପକାଇଛି। ଦଳୀୟ ପ୍ରାର୍ଥୀଙ୍କ ଉପରେ ଭରସା ନକରି ବିଜେଡିର ନିର୍ବାଚନୀ ‘ୱାର ରୁମ୍’ ବିଭିନ୍ନ ନିର୍ବାଚନମଣ୍ଡଳୀରେ ନିଜର ମହିଳା କ୍ୟାଡରଙ୍କ ମାଧ୍ୟମରେ ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟମାନଙ୍କୁ ପ୍ରଭାବିତ କରିବାରେ ଲାଗିଛି।
ଆଜିସୁଦ୍ଧା ଦୁଇଟି ପର୍ଯ୍ୟାୟରେ ରାଜ୍ୟର ୯ଟି ଲୋକସଭା ଓ ୬୩ଟି ବିଧାନସଭା ଆସନରେ ନିର୍ବାଚନ ଶେଷ ହୋଇଥିବାବେଳେ ଏସବୁ ଆସନର ଫଳାଫଳକୁ ନେଇ ବିଜେଡି ଚିନ୍ତାରେ ରହିଛି । କେନ୍ଦ୍ରରେ ମୋଦି ଶାସନ ପ୍ରତି ରାଜ୍ୟର ଭୋଟରଙ୍କ ମନରେ ସ୍ୱତନ୍ତ୍ର ଦୁର୍ବଳତା ରହିଛି, ଯାହା ବିଜେଡିର ଅଡ଼ୁଆ ବଢ଼ାଇଛି। ବାକି ୧୨ଟି ଲୋକସଭା ଓ ୮୪ଟି ବିଧାନସଭା ଆସନକୁ ବିଜେଡି ନିଜର ଗଡ଼ ଭାବେ ବିବେଚନା କରି ନିର୍ଣ୍ଣାୟକ ଲଢ଼େଇ ଲଢ଼ିବା ପାଇଁ ପ୍ରସ୍ତୁତ ହେଉଥିବାବେଳେ ବିଜେପି ନିଜର ଆକ୍ରମଣାତ୍ମକ ପ୍ରଚାର ଅଭିଯାନ ମାଧ୍ୟମରେ ଭୋଟରଙ୍କ ପାଖରେ ପହଞ୍ଚିବାରେ ଲାଗିଛି।
ତା’ଛଡ଼ା ଉପକୂଳ ଓଡ଼ିଶାରେ ବିଜୟ ମହାପାତ୍ର, ବୈଜୟନ୍ତ ପଣ୍ଡା, ଡାକ୍ତର ଦାମୋଦର ରାଉତ, ଅର୍ଜୁନ ସେଠୀ, ରଘୁନାଥ ମହାନ୍ତିଙ୍କ ଭଳି ପୁରୁଖା ଓ ଅଭିଜ୍ଞ ନେତାମାନେ ବିଜେପିର ଆସନ ସଂଖ୍ୟା ବୃଦ୍ଧିରେ ପ୍ରମୁଖ ଭୂମିକା ଗ୍ରହଣ କରିବାର ସମ୍ଭାବନା ରହିଛି। ତେଣୁ ରାଜ୍ୟରେ ୧୯୯୫ ମସିହା ସାଧାରଣ ନିର୍ବାଚନର ଚିତ୍ରର ପୁନରାବୃତ୍ତି ହେବାର ସମ୍ଭାବନା ଥିବା ରାଜନୀତିକ ବିଶ୍ଲେଷକମାନେ ମତବ୍ୟକ୍ତ କରିଛନ୍ତି।
୧୯୯୫ ମସିହାରେ ବିଜୁ ପଟ୍ଟନାୟକ ଯେଉଁଭଳି ବ୍ୟାପକ ଜନସମର୍ଥନ ଥିବା ସତ୍ତେ୍ୱ ଦଳୀୟ ଅର୍ନ୍ତଘାତୀ କାର୍ଯ୍ୟ ଓ ଗୋଷ୍ଠୀକନ୍ଦଳର ଶିକାର ହୋଇ ୧୨୩ରୁ ୪୬ ଆସନକୁ ଖସି ଆସିଥିଲେ ଓ ବିଧାନସଭାରେ ବିରୋଧୀ ପକ୍ଷ ଭାବେ ବସିବାକୁ ବାଧ୍ୟ ହୋଇଥିଲେ ଠିକ୍ ସେଭଳି ଢଙ୍ଗରେ ଚଳିତ ନିର୍ବାଚନ ବିଜେଡିକୁ ଚକମା ଦେଇପାରେ। ଏବେ ଭୋଟରଙ୍କ ମଧ୍ୟରେ ଥିବା ଦ୍ୱନ୍ଦ୍ୱର ଫଳସ୍ୱରୂପ ରାଜ୍ୟରେ ନୂଆ ରାଜନୀତିକ ସମୀକରଣ ସୃଷ୍ଟି ହୋଇପାରେ ବୋଲି ଆକଳନ କରାଯାଉଛି