ରାୟଗଡ଼ା (ମାଉଡି ବାରିକ): ଓଡ଼ିଶାର ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରିବାକୁ ଆସିଥିଲେ ଋଷ ନାଗରିକ। ହେଲେ ହୋଟେଲ୍ରେ ରହୁଥିବା ବେଳେ ରାତିରେ ତାଙ୍କର ଯାଇଛି ଜୀବନ। ଏପରି ଦୁଃଖଦ ଖବର ଆସିଛି ରାୟଗଡ଼ା ଜିଲ୍ଲାରୁ। ଏନେଇ ଅଭିଯୋଗ ହେବା ପରେ ପୁଲିସ୍ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଚଳାଇଛି।
ଋଷର ୪ ନାଗରିକ ଓଡ଼ିଶା ଭ୍ରମଣରେ ଆସିଥିଲେ। ସେମାନେ ପ୍ରଥମେ ମନ୍ଦିର ମାଳିନୀ ଭୁବନେଶ୍ୱରକୁ ଆସିଥିଲେ। ଭୁବନେଶ୍ୱରର ପ୍ରକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରିବା ପରେ ସେମାନେ ବାଲିଗୁଡ଼ା ଚାଲି ଯାଇଥିଲେ। ସେଠାରୁ ସେମାନେ ରାୟଗଡ଼ ଯାଇଥିଲେ। ଗୁରୁବାର ରାତିରେ ସମସ୍ତେ ରାୟଗଡ଼ା ଟାଉନ୍ର ଏକ ହୋଟେଲ୍ରେ ରହିଥିଲେ। ୪ ଜଣ ଯାକ ଅଲଗା ଅଲଗା ରୁମ୍ରେ ରହୁଥିଲେ। ତେବେ ସେମାନଙ୍କ ଭିତରୁ ବ୍ଲାଡିମିର ବିଦାନୋଭ ଅସୁସ୍ଥ ଥିଲେ। ସେଥିପାଇଁ ମେଡ଼ିସିନ୍ ଖାଉଥିଲେ। ତଥାପି ବିଳମ୍ୱିତ ରାତି ପର୍ଯ୍ୟନ୍ତ ସେ ମଦ ପିଉଥିବା ଅଭିଯୋଗ ହୋଇଥିଲା।
ଆଜି ୪ ଋଷ ପର୍ଯ୍ୟଟକ ଜୟପୁର ଅଭିମୁଖେ ଯିବାର ଥିଲା। ସେଥିପାଇଁ ସମସ୍ତେ ହୋଟେଲ୍ର ଗ୍ରାଉଣ୍ଡ ଫ୍ଲୋରକୁ ଆସିଥିଲେ। ଗାଇଡ୍ ମଧ୍ୟ ଆସିଥିଲେ। ହେଲେ ଆସିନଥିଲେ ବ୍ଲାଡିମିର ବିଦାନୋଭ। ତା’ପରେ ତାଙ୍କ ରୁମ୍କୁ ଯାଇ ଦେଖିଲା ବେଳକୁ ସେ ଆଉ ଜୀବିତ ନଥିଲେ। ହୋଟେଲ୍ କର୍ତ୍ତୃପକ୍ଷ ଏନେଇ ପୁଲିସ୍କୁ ଖବର ଦେଇଥିଲେ। ପୁଲିସ ହୋଟେଲ୍ରେ ପହଞ୍ଚି ବ୍ଲାଡିମିର ବିଦାନୋଭଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।
ପୁଲିସ୍ର କହିବା ଅନୁସାରେ ବ୍ଲାଡିମିର ବିଦାନୋଭଙ୍କ ମୃତ୍ୟୁ ନେଇ ଋଷ ଆମ୍ୱାସିକୁ ସୂଚନା ଦିଆଯାଇଛି। ଏପରିକି ବ୍ଲାଡିମିର ବିଦାନୋଭଙ୍କ ପୁଅକୁ ମଧ୍ୟ ଖବର ଦିଆଯାଇଛି। ପ୍ରୋଟୋକଲ୍ ଅନୁସାରେ ମୃତଦେହ ହସ୍ତାନ୍ତର କରାଯିବ ବୋଲି ପୁଲିସ୍ କହିଛି।