ଡି. ପ୍ରକାଶ ରାଓ ଅନ୍ୟମାନଙ୍କ ପାଇଁ ପ୍ରେରଣାଦାୟୀ ରହିବେ: ମୋଦି
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସମାଜସେବୀ ଡି. ପ୍ରକାଶ ରାଓଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରକାଶ ରାଓଙ୍କ ସହ ତାଙ୍କର ଏକ ଫଟୋ ପୋଷ୍ଟ କରି ମୋଦି ଲେଖିଛନ୍ତି, ପ୍ରକାଶ ରାଓଙ୍କ କାର୍ଯ୍ୟ ଅନ୍ୟମାନଙ୍କ ପାଇଁ ପ୍ରେରଣାଦାୟୀ ରହିବ। ସଶକ୍ତୀକରଣ ପାଇଁ ଶିକ୍ଷା ଏକ ବଡ଼ ମାଧ୍ୟମ ଭାବେ ସେ ଦେଖିଥିଲେ। ତାଙ୍କ ସହ କଟକରେ ଦେଖା ବେଳର ସ୍ମୃତି ଏବେ ବି ମନେପଡ଼େ। ଟ୍ୱିଟ୍ କରି ପରିବାର ଓ ପରିଜନଙ୍କୁ ସମବେଦନା ଜଣାଇଲେ ପ୍ରଧାନମନ୍ତ୍ରୀ।
Saddened by the demise of Shri D Prakash Rao. The outstanding work that has done will continue motivating people. He rightly saw education as a vital means to empowerment. I recall my meeting with him in Cuttack a few years ago. Condolences to his family and admirers. Om Shanti. pic.twitter.com/ECZ0NUFush
— Narendra Modi (@narendramodi) January 13, 2021
ସମାଜସେବୀ ପଦ୍ମଶ୍ରୀ ଡି. ପ୍ରକାଶ ରାଓ କଟକ ବକ୍ସିବଜାରରେ ଏକ ଚା’ ଦୋକାନ କରିଥିଲେ। ସେଥିରୁ ଉପାର୍ଜିତ ଅର୍ଥରେ ସେ ବସ୍ତି ପିଲାମାନଙ୍କୁ ପାଠ ପଢ଼ାଉଥିଲେ। ଏଥିସହ ସେ ନିଜ ଉଦ୍ୟମରେ ସ୍କୁଲ କରିଛନ୍ତି। ଏହାଛଡ଼ା ସେ ୨୦୦ ଥରରୁ ଅଧିକ ଥର ରକ୍ତଦାନ କରିଛନ୍ତି। ତାଙ୍କର ଏହି ଅବଦାନ ପାଇଁ ୨୦୧୯ ମସିହାରେ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯାଇଥିଲା। ଏଥିସହ ‘ମନକି ବାତ୍’ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଡି. ପ୍ରକାଶ ରାଓଙ୍କୁ ଭୂୟସୀ ପ୍ରଶଂସା କରିଥିଲେ। ଏପରିକି କଟକ ଗସ୍ତ ସମୟରେ ଡି. ପ୍ରକାଶ ରାଓଙ୍କୁ ପ୍ରଧାନମନ୍ତ୍ରୀ ଭେଟିଥିଲେ। ଆଉ ତାଙ୍କ ଦ୍ୱାରା ପ୍ରତିଷ୍ଠା ହୋଇଥିବା ସ୍କୁଲର ପିଲାମାନଙ୍କ ସହିତ ମୋଦି ଫଟୋ ଉଠାଇଥିଲେ। ଆଜି ସେହି ଫଟୋକୁ ମୋଦି ଟ୍ୱିଟ୍ କରି ଶୋକବ୍ୟକ୍ତ କରିଛନ୍ତି।
ଆଜି ସମାଜସେବୀ ପଦ୍ମଶ୍ରୀ ଡି. ପ୍ରକାଶ ରାଓଙ୍କ ମୃତ୍ୟୁ ଘଟିଛି। ଏସସିବି କୋଭିଡ୍ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୨ ବର୍ଷ ବୟସ ହୋଇଥିଲା। ତାଙ୍କ ବିୟୋଗରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍, ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଶୋକ ପ୍ରକାଶ କରିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।