ଶ୍ରୀକ୍ଷେତ୍ର ସାଇଁଙ୍କ ପ୍ରେମରେ ସମ୍ବାରୀ ଶବର

ରେଢ଼ାଖୋଲ(ଓଡ଼ିଶା ରିପୋର୍ଟର): ଝାଟିମାଟି କୁଡ଼ିଆଟି ନୀଳକନ୍ଦର ଆଉ ପୁଅ ତାଙ୍କ ଜଗତଠାକୁର। ଶ୍ରୀକ୍ଷେତ୍ର ସାଇଁଙ୍କ ପ୍ରେମରେ ପଡ଼ିଛନ୍ତି ଘଞ୍ଚ ଜଙ୍ଗଲର ସମ୍ବାରୀ ଶବର। ଚକାଆଖିକୁ ଭକ୍ତିର ଡୋରିରେ ଟାଣି ଆଣିଛନ୍ତି ନିଜ ଘରକୁ। ଭାବର ଠାକୁର ବି ବାନ୍ଧି ହୋଇ ଯାଇଛି ସମ୍ବାରୀଙ୍କ ଅନାବିଳ ପ୍ରେମରେ।  ଚକାଡୋଳାକୁ ଦି ଓଳି ଆଖି ପୂରେଇ ନ ଦେଖିଲେ ତାଙ୍କ ଦିନ ବିତେନି କି ଫଟୋକୁ ପୋଛି ଦେଇ ଭଲରେ ଗେଲ କରି ନଦେଲେ ରାତିରେ ନିଦ ବି ଆସେନି। ଫି ଦିନ ଦୀପ ଜାଳନ୍ତି, ନିଜେ ଭୋକିଲା ରହି ଆଗ ତାରି ପାଖରେ ବାଢ଼ି ଦିଅନ୍ତି ଭୋଗ। ଏଥର ସମ୍ବାରୀ ରଥକୁ ଶ୍ରୀକ୍ଷେତ୍ର ଯାଇ ନାହାନ୍ତି। କିନ୍ତୁ କାଳିଆର ଗୁଣ୍ଡିଚା ଯାତ ନୀତିକାନ୍ତିରୁ ଦୂରେଇ ରହିନାହାନ୍ତି।

ଧୂପ ଦେଇ ଦୀପ ଜାଳିଛନ୍ତି, ଶଙ୍ଖ ଫୁଙ୍କି ଘୋଷଯାତ୍ରାର ଶୁଭାରମ୍ଭ ସହ ଘଣ୍ଟର ଧୂନରେ ଆଖପାଖକୁ ଜଗନ୍ନାଥମୟ କରିଦେଇଛନ୍ତି ଦାରୁବ୍ରହ୍ମଙ୍କ ଏହି ଦୂର ଜଙ୍ଗଲର ଭକ୍ତ। ଆଖପାଖରେ ବାଣ୍ଟିଛନ୍ତି ମହାବାହୁଙ୍କ ପ୍ରେମର ମହକ ଆଉ ଶୁଣାଇଛନ୍ତି ଜଗତକର୍ତ୍ତାଙ୍କ ଅତୁଟ ଲୀଳାର ଅସରନ୍ତି କାହାଣୀ।

ସମ୍ବାରୀଙ୍କ  ମୁଣ୍ଡ ଉପରେ ଛାତ କହିଲେ ଗୋଟିଏ ବଖରାର ଝାଟିମାଟି  କୁଡ଼ିଆ। ଏଇଠି ବିତିଗଲାଣି ୬୦ ବର୍ଷ। ପିଲାଛୁଆ, ସଂସାର କହିଲେ ଏହି ଚକାଆଖି। ନିଃସଙ୍ଗ ଜୀବନରେ କାଳିଆ ହିଁ ସମ୍ବାରୀଙ୍କ ବଞ୍ଚିବାର ରାହା, ଜୀବନର ଅସଲ ପ୍ରେମ। ପ୍ରତିବର୍ଷ ଗୁଣ୍ଡିଚା ଯାତ୍ରାକୁ ଅନାଇ ରହିଥାନ୍ତି ସମ୍ବାରୀ। ଯେମିତି ବି ହେଉ ବଡ଼ଦାଣ୍ଡରେ ହାଜିରା ଦେଇ କାଳିଆକୁ ଦେଖନ୍ତି ନନ୍ଦିଘୋଷରେ। ଏଥର  କିନ୍ତୁ କରୋନା ପାଇଁ ପୁରୀକୁ ତାଙ୍କ ଡୋର ଲାଗିଲାନି। କିନ୍ତୁ କାଳିଆ ପାଇଁ କି ମାନ କି ଅଭିମାନ। ସେ ପରା ଭାବର ଠାକୁର। ସେଥିପାଇଁ ଏଥର ଶ୍ରୀକ୍ଷେତ୍ର ନ ଆସିବି ନିଦ କୁଡ଼ିଆରେ କାଳିଆକୁ ମାଉସୀ ଘରର ଆଦର ଅଭ୍ୟର୍ଥନା ବାଢି ଦେଇଛନ୍ତି। ନିଜ ହାତରେ ରଥଯାତ୍ରାର ନୀତିକାନ୍ତି କରିଛନ୍ତି ସମ୍ବାରୀ।

ଜଗତବନ୍ଧୁଙ୍କ ଏହି ନିଆରା ଅଥଚ ଖୁବ୍ ଆପଣାର ସମ୍ବାରୀ ଶବରଙ୍କ ଘର ରେଢାଖୋଲ ବ୍ଲକବୁର୍ଡା ପଚାଂୟତଗୁଂଜିଘରା ଗାଁରେ। ପରିବାରରେ କହିଲେ ସେ ଏକା। ଛୋଟବେଳୁ ସେ ଏକାକୀ ଜୀବନ ଜିଇଁଛନ୍ତି । ଜଂଗଲ ଯାତ ଦ୍ରବ୍ୟ ସଂଗ୍ରହ କରି ବର୍ଷଯାକ ଯାହା ବିକ୍ରି କରନ୍ତିସେଇଥିରେ ଚଳନ୍ତି। ସେଇ ଜଗନ୍ନାଥଙ୍କ ଫଟୋକୁ ଦେଖି ଦେଖି ବୟସ ଗଡ଼ାଇ ଚାଲିଛନ୍ତି ସିନା କାଳିଆ ବିନା ଆଉ କାହାକୁ ବି କେବେ ଖୋଜି ନାହାନ୍ତି। ବୁଢୀ ବୟସରେ ବି କଳାଠାକୁରର ପୂଜା ଦିନକ ପାଇଁ ସୁଦ୍ଧା ବନ୍ଦ କରିନାହାନ୍ତି।

ସେ ଶୁଣିଥିଲେ ଦାସିଆ ବାଉରୀ ଓ ସାଲବେଗଙ୍କ କଥା। କେହି ତାଙ୍କୁ ଦିନେ କହିଥିଲେ ପୁରାଣରେ ଭଗବାନ ଶବରୀର ଅଇଁଠା ଖାଇବା କଥା। ସେହିଦିନୁ ସମ୍ବାରୀ ମନସ୍ଥିର କରିଥିଲେ କାଳିଆ ଥିଲେ ଆଉ ତାଙ୍କ ଜୀବନରେ କାହାରି ବି  ଲୋଡ଼ା ନାହିଁ। ବାସ୍ ସେଦିନରୁ ଆଜିଯାଏ, କାଳିଆକୁ ସମ୍ବାରୀ ଛାଡ଼ିନାହାନ୍ତି କି ସମ୍ବାରୀଙ୍କୁ ଛାଡ଼ି ଛାଡ଼ି ଯାଇପାରିନାହାନ୍ତି ମହାବାହୁ।