ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଲୋକତନ୍ତ୍ରରେ ରାଜନୈତିକ ପ୍ରତିଦ୍ୱନ୍ଦ୍ୱିତା ଥାଏ। ବିଚାରଧାରାର ପ୍ରତିଦ୍ୱନ୍ଦ୍ୱିତା ଥାଏ । ନିର୍ବାଚନ ଲଢ଼ିଲେ ଜଣେ ଜିତିବ, ଜଣେ ହାରିବ । ଏହାର ଅର୍ଥ ନୁହେଁ ଗାଡ଼ି ଚଢ଼ାଇ ମାରିଦେବ । ଏପରି ଅଭ୍ୟାସଗତ ଅପରାଧୀ ହୋଇଥିବା ଜଣେ ବିଧାୟକଙ୍କୁ ବିଜେଡି ବହିଷ୍କାର ନ କରି କ’ଣ ପାଇଁ କେବଳ ନିଲମ୍ବିତ କରିଥିଲା ବୋଲି ପ୍ରେସ୍ ମିଟ୍ରେ ପ୍ରଶ୍ନ କରିଛନ୍ତି ବରିଷ୍ଠ ବିଜେପି ନେତା ସମ୍ବିତ ପାତ୍ର।
ପ୍ରେସମିଟ୍ରେ ସେ କହିଛନ୍ତି, ଚିଲିକା ବିଧାୟକଙ୍କ ଜଘନ୍ୟ କାର୍ଯ୍ୟକଳାପ ଅହଂକାରର ପରାକାଷ୍ଠା । ବିଧାୟକ ମଦ୍ୟପାନ କରି ଗାଡ଼ି ଚଲାଉଥିଲେ। ବିଧାୟକଙ୍କ କାର୍ଯ୍ୟକଳାପ ଗଣତନ୍ତ୍ରର ହତ୍ୟା ପାଇଁ ଷଡ଼ଯନ୍ତ୍ର । ତାଙ୍କର ଏଭଳି ଆଚରଣ ଓଡ଼ିଶାର ଛବିକୁ ମଳିନ କରିଛି । ସେ ଜଣେ ଅଭ୍ୟାସଗତ ଅପରାଧୀ ହୋଇଥିଲେ ମଧ୍ୟ ବିଜେଡି ତାଙ୍କୁ ନିଜ ଦଳରେ ସ୍ଥାନ ଦେଇଥିଲା।
ପୂର୍ବରୁ ଦଳିତ ଯୁବକଙ୍କୁ ମାଡ଼ ମାରିବା ସହ ବୌଦ୍ଧରେ ବିଜେପି କର୍ମୀଙ୍କୁ ବି ଆକ୍ରମଣ କରିଥିଲେ ବିଧାୟକ ଜଗଦ୍ଦେବ। ଏହାସତ୍ତ୍ୱେ ଦଳ କାହିଁକି ତାଙ୍କୁ ବହିଷ୍କାର କରୁନି ବୋଲି ପ୍ରଶ୍ନ କଲେ ସମ୍ବିତ ପାତ୍ର । ବିଧାୟକଙ୍କୁ ଦଳରୁ ନିଲମ୍ବନ କେବଳ ଏକ ନାଟକ ଥିଲା । ନିଲମ୍ବନ ପରେ ବି ସେ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେଉଥିଲେ । ଏପରିକି ଦଳର ମିଶ୍ରଣ କାର୍ଯ୍ୟାକ୍ରମରେ ସେ ଯୋଗଦେଉଥିଲେ ବୋଲି କହିଛନ୍ତି ସମ୍ବିତ ପାତ୍ର। ଏପରି ବାହୁବଳୀ ବିଧାୟକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କଲେ ସମ୍ବିତ ।
ଏବେ ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ସରିଥିବା ବେଳେ ୪ଟି ରାଜ୍ୟରେ ବହୁମତ ହାସଲ କରିଛି ବିଜେପି। କିନ୍ତୁ କୌଣସି ରାଜ୍ୟରେ କୌଣସି ହିଂସାକାଣ୍ଡ ଘଟୁ ନ ଥିବା ବେଳେ ଓଡ଼ିଶା ଓ ପଶ୍ଚିମବଙ୍ଗରେ କାହିଁକି ଏପରି ଘଟୁଛି, ବିଜେପି କର୍ମୀଙ୍କୁ ଆକ୍ରମଣ କରାଯାଉଛି ବୋଲି ପ୍ରଶ୍ନ କରିଛନ୍ତି ସମ୍ବିତ ପାତ୍ର।
ପ୍ରତିବାଦରେ ଆସନ୍ତାକାଲି ସବୁ ସହରାଞ୍ଚଳ, ବ୍ଲକ ଓ ଜିଲ୍ଲା ମୁଖ୍ୟାଳୟ ଆଗରେ ସତ୍ୟାଗ୍ରହ କରିବ ବିଜେପି । ବିଜେପି କର୍ମୀ ମୁହଁରେ କଳାପଟି ବାନ୍ଧି ଏହି ସତ୍ୟାଗ୍ରହରେ ସାମିଲ ହେବେ। ଫାଷ୍ଟ ଟ୍ରାକ କୋର୍ଟରେ ଏହି ଘଟଣାର ବିଚାର କରି କଡ଼ା ଦଣ୍ଡ ଦେବାକୁ ଦଳ ଦାବି କରିବ ବୋଲି କହିଛନ୍ତି ବିଜେପିର ସାଧାରଣ ସଂପାଦକ ଗୋଲକ ମହାପାତ୍ର।
ବିଜେଡି ସାଂସଦ ମୁନ୍ନା ଖାଁ କହିଛନ୍ତି, ଦଳ କେବେ ହିଂସାକୁ ପ୍ରଶ୍ରୟ ଦିଏ ନାହିଁ । ଆଜି ଯାଏଁ ଏଭଳି ହୋଇ ନ ଥିଲା, ଯାହା ହୋଇଛି ବରଦାସ୍ତ କରାଯିବା କଥା ନୁହଁ । ଦଳ ତାର ନିଷ୍ପତ୍ତି ନେବ, ଯାହାର ଭୁଲ୍ ଥିବ ତାକୁ ଦଣ୍ଡ ନିଶ୍ଚିତ ଦିଆଯିବ । ଘଟଣାରେ ଆଇନ ଅନୁଯାୟୀ ନିଶ୍ଚିତ କାର୍ଯ୍ୟାନୁଷ୍ଠାନ ହେବ ।
ଗତକାଲି ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ କାର୍ଯ୍ୟାଳୟରେ ଅଧ୍ୟକ୍ଷ ନିର୍ବାଚନ ଚାଲିଥିବା ବେଳେ ବିଧାୟକ ଜଗଦ୍ଦେବ ପ୍ରାୟ ୨୨ରୁ ଊର୍ଦ୍ଧ୍ୱ ପୁରୁଷ ମହିଳାଙ୍କ ଉପରେ ଗାଡ଼ି ମଡ଼ାଇ ଦେଇଥିଲେ। ଏହି ଘଟଣାକୁ ସମଗ୍ର ଦେଶରେ ନିନ୍ଦା କରାଯାଇଥିବା ଆଜି ଆହତଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିବାକୁ ଆସି ଏକ ପ୍ରେସ୍ମିଟ୍ରେ ବାହୁବଲୀ ବିଧାୟକଙ୍କୁ ଜୋରଦାର ଆକ୍ରମଣ କରିଛନ୍ତି ସମ୍ବିତ ପାତ୍ର।
https://youtu.be/oP914MRv0Bk