ସମ୍ବଲପୁର:ଜାଲିଆତି କରି ଜମି ବିକ୍ରି ଅଭିଯୋଗରେ ବୃଦ୍ଧାଙ୍କ ସମେତ ଦୁଇ ଗିରଫ

ସମ୍ବଲପୁର: ଜାଲିଆତି କରି କୋଟି କୋଟି ଟଙ୍କାର ଜମି ବିକ୍ରି ଅଭିଯୋଗରେ ସମ୍ୱଲପୁର ଅଇଁଠାପାଲି ପୋଲିସ ୨ ଜଣଙ୍କୁ ଗିରଫ କରିଛି। ସେମାନଙ୍କ ମଧ୍ୟରୁ ଜଣେ ଜମି ଦଲାଲ ଓ ଅନ୍ୟ ଜଣେ ବୃଦ୍ଧା। ଜଣେ ଜମି ମାଲିକଙ୍କ ଅଜ୍ଞାତରେ ସହର ଉପକଣ୍ଠ ଅଇଁଠାପାଲି ମୌଜାରୁ ପୈତୃକ ଜମି ବିକ୍ରି ହୋଇଯାଇଥିବା ନେଇ ଥାନାରେ ମାମଲା ରୁଜୁ ହୋଇଛି। ଏ ନେଇ ପୋଲିସ ଅନୁସନ୍ଧାନ ଜାରି ରଖିଛି। ପ୍ରାଥମିକ ତଦନ୍ତରୁ ଅଭିଯୋଗକାରୀ ଅଶୋକ ଡୋଗ୍ରାଙ୍କ ଜମିକୁ ଅଭିଯୁକ୍ତ ସୁଧାଂଶୁ ବେହେରା ଜାଲିଆତି କରି ନକଲି କାଗଜପତ୍ର ଜରିଆରେ ଅନ୍ୟମାନଙ୍କୁ ପ୍ଲଟିଂ କରି ବିକ୍ରି କରିଥିବା ଜଣାପଡ଼ିଛି ।

ମିଳିଥିବା ସୂଚନା ଆନୁଯାୟୀ ସୁଧାଂଶୁ ପ୍ରଥମେ ତାଙ୍କର ପିଉସୀ ବିଦେଶିନୀ ବେହେରାଙ୍କ ନାଁରେ ଜମି ବିକ୍ରି କରି ତାଙ୍କଠାରୁ ପାୱାର ଅଫ ଆଟର୍ଣ୍ଣି ଆଣିଥିଲେ। ପରେ ଉକ୍ତ ଜମିକୁ  ଅନ୍ୟକୁ ବିକ୍ରି କରିଥିଲେ ବୋଲି ଜଣାପଡ଼ିଛି। ସେପଟେ ଗିରଫ ଅଭିଯୁକ୍ତ ଏ ନେଇ କିଛି ଜାଣି ନ ଥିବା କହିଛନ୍ତି। ସେହିପରି ଗିରଫ ବୃଦ୍ଧା ଜଣକ ମଧ୍ୟ କିଛି ମନେ ନ ଥିବା କଥା କହିଛନ୍ତି।