ବିନିକା (ଓଡ଼ିଶା ରିପୋର୍ଟର): ଦିନ ଦ୍ୱିପ୍ରହରରେ ବନ୍ଧୁକ ଓ ଛୁରୀ ଦେଖାଇ ସମିତି ସଭ୍ୟ ପ୍ରାର୍ଥୀଙ୍କ ସ୍ୱାମୀଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି। ଏପରି ସାଂଘାତିକ ଅଭିଯୋଗ ଆଣି ନ୍ୟାୟ ପାଇଁ ଥାନାର ଦ୍ୱାରସ୍ଥ ହୋଇଛନ୍ତି ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ମହାଦେବପାଲି ପଞ୍ଚାୟତର ସମିତି ସଭ୍ୟ ପ୍ରାର୍ଥୀ ମିନାକ୍ଷୀ ଦେହେରୀ । ସ୍ୱାମୀ ରାଜେଶ ଦେହେରୀଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ଆଣି ଥାନାର ଦ୍ୱାରସ୍ଥ ହୋଇଛନ୍ତି ମିନାକ୍ଷୀ ।
ମିନାକ୍ଷୀ କରିଥିବା ଅଭିଯୋଗ ଅନୁଯାୟୀ, ସେ ମହାଦେବପାଲି ପଞ୍ଚାୟତର ସମିତି ସଭ୍ୟ ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଗତକାଲି ସ୍ୱାମୀଙ୍କ ସହ ସକମା ଗାଁରେ ପ୍ରଚାର କରୁଥିଲେ । ଏହି ସମୟରେ ସୁରେଶ ପୁଜାହାରୀ ନାମକ ବିରୋଧୀ ଦଳ ବ୍ୟକ୍ତି ନିଜ ସମର୍ଥକଙ୍କ ସହ ସେଠାରେ ପହଞ୍ଚିଥିଲେ। ଛୁରୀ ଏବଂ ବନ୍ଧୁକ ଦେଖାଇ ସେମାନଙ୍କୁ ଭୟଭୀତ କରିବାକୁ ଚେଷ୍ଟା କରିଥିଲେ। ହତ୍ୟା ଧମକ ସହ ନିର୍ବାଚନ ନ ଲଢ଼ିବାକୁ ତାଙ୍କୁ ଓ ତାଙ୍କ ସ୍ୱାମୀ ରାଜେଶ ଦେହେରୀଙ୍କୁ ଚେତାବନୀ ଦେଇଥିଲେ। ଏହା ଦେଖି ରାଜେଶ ଦୌଡ଼ି ପଳାଇବାକୁ ଚେଷ୍ଟା କରିଥିଲେ। ତା’ପରେ ସେମାନେ ତାଙ୍କୁ ଉଠାଇ ନେଇଛନ୍ତି। ଗତକାଲିଠୁ ତାଙ୍କ ପତ୍ତା ମିଳୁ ନାହିଁ।
ମିନାକ୍ଷୀ ଅଭିଯୋଗ କରିଛନ୍ତି ଯେ ପୁଲିସ୍ ତାଙ୍କୁ କୌଣସି ପ୍ରକାର ସହଯୋଗ କରୁ ନାହିଁ। କିନ୍ତୁ ବିନିକା ଥାନା ଆଇଆଇସି ମିନାକ୍ଷୀଙ୍କ ଅଭିଯୋଗକୁ ଖଣ୍ଡନ କରିବା ସହ ପୁଲିସ୍ ଘଟଣାର କରୁଛି ବୋଲି କହିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।