ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ବେନାମୀ ଟ୍ରାଞ୍ଜାକସନ୍ର ତଦନ୍ତ ରାଜ୍ୟ ପୁଲିସର ତଦନ୍ତ ପରିସରଭୁକ୍ତ ନୁହେଁ । ଖୋର୍ଦ୍ଧା ଜିଲ୍ଲା ସାରୁଅରେ ଓଡ଼ିଶା ଇନ୍ଫ୍ରା ଟେକ୍ ପ୍ରାଇଭେଟ୍ ଲିମିଟେଡ୍ ଦ୍ୱାରା ଜମି କିଣା ଦୁର୍ନୀତି ଅଭିଯୋଗ ଉପରେ ଏକ ପ୍ରେସମିଟ୍ରେ ଏହା କହିଛନ୍ତି କ୍ରାଇମବ୍ରାଞ୍ଚ ଏଡ଼ିଜି ସୌମେନ୍ଦ୍ର ପ୍ରିୟଦର୍ଶୀ । ତେଣୁ ବେନାମୀ ଟ୍ରାଞ୍ଜାକସନର ତଦନ୍ତ ପାଇଁ ଆୟକର ବିଭାଗକୁ ଅନୁରୋଧ କରାଯାଇଥିବା ସେ କହିଛନ୍ତି ।
ଅନ୍ୟପଟେ ସାରୁଅ ଜମି କିଣାବିକା ମାମଲାର ତଦନ୍ତ ଭାର ଆୟକର ବିଭାଗକୁ ହସ୍ତାନ୍ତର ଲାଗି କ୍ରାଇମ ବ୍ରାଞ୍ଚ ପକ୍ଷରୁ ଅନୁରୋଧ କରାଯିବାକୁ ସ୍ୱାଗତ କରିଛି ଓଡ଼ିଶା ଟେଲିଭିଜନ ଲିମିଟେଡ୍ । କଂପାନୀ ପକ୍ଷରୁ ଏକ ପ୍ରେସ୍ ରିଲିଜରେ କୁହାଯାଇଛି ଯେ, ଆମେ ଆରମ୍ଭରୁ କହି ଆସୁଛୁ ଏହି ବେନାମୀ ଜମି କାରବାରର ଅଭିଯୋଗ ମାମଲା ରାଜ୍ୟ ପୋଲିସର ତଦନ୍ତ ପରିସରଭୁକ୍ତ ନୁହେଁ। ଏହାସତ୍ତ୍ୱେ ଓଟିଭି ଓ ଏହାର ଗ୍ରୁପ୍ କଂପାନୀ ଓଡ଼ିଶା ଇନ୍ଫ୍ରାଟେକ୍ ପ୍ରାଇଭେଟ୍ ଲିମିଟେଡ- OIPL ବିରୋଧରେ ଅନେକ ମିଥ୍ୟା ମାମଲା ରୁଜ୍ଜୁ କରାଯିବା ସହ ଆମ ଲୋକମାନଙ୍କୁ ହଇରାଣ ହରକତ କରାଯାଉଛି ।
ଆମେ ଅଦାଲତଙ୍କ ନିକଟରେ ମଧ୍ୟ ଏନେଇ ଯୁକ୍ତି ଉପସ୍ଥାପନ କରିଆସିଛୁ ଯେ, ଏହା ରାଜ୍ୟ ପୋଲିସର ତଦନ୍ତ ପରିସରଭୁକ୍ତ ନୁହେଁ, କି ଏହି ଅଭିଯୋଗ ମଧ୍ୟ କୋର୍ଟରେ ତିଷ୍ଠିବ ନାହିଁ । ଆଜି ଓଡ଼ିଶା ହାଇକୋର୍ଟଙ୍କ ନିକଟରେ ମଧ୍ୟ ଆମେ ଏହି ମାମଲା ଆୟକର ବିଭାଗକୁ ହସ୍ତାନ୍ତର କରିବାକୁ ଦାବି ଉପସ୍ଥାପନ କରିଥିଲୁ । ଶେଷରେ ଆମେ ଖୁସି ଯେ, ଏହାକୁ ରାଜ୍ୟ ପୁଲିସ ସ୍ୱୀକାର କରିଛି ଏବଂ ମାମଲାର ତଦନ୍ତ କେନ୍ଦ୍ର ସରକାରଙ୍କ ଆୟକର ବିଭାଗ ଦ୍ୱାରା କରିବାକୁ ଅନୁରୋଧ କରିଛି । ଏବେ ସାରୁଅ ଜମି ଦୁର୍ନୀତି ଅଭିଯୋଗ ମାମଲାରେ କ୍ରାଇମ ବ୍ରାଞ୍ଚର EOW ଶାଖା ତଦନ୍ତ କରୁଛି।