ଶେଷଦେବଙ୍କ ସଂଘର୍ଷ ଓ ସଫଳତାର କଥା

ରେଢାଖୋଲ (ରମାକାନ୍ତ ମହାନନ୍ଦ): ଗାଁକୁ ଫେରିଛନ୍ତି ଶେଷ। ଇଏ ସେହି ଶେଷ, ଯାହାଙ୍କୁ କୋଳାଇ ଧରିଥିଲା ଦାରିଦ୍ର୍ୟ। ଆଉ ସମାଜ ଆଗରେ କରିଥିଲା ଲୋକହସା। ଖାଲି ଲୋକହସା କରିନଥିଲା, ବରଂ ଅଳ୍ପ ଦିନର ବ୍ୟବଧାନରେ ତାଙ୍କ ପାଖରୁ ମାଆ, ବାପା ଆଉ ବଡ଼ ଭଉଣୀଙ୍କୁ ଛଡ଼ାଇ ନେଇଥିଲା। ଏତେ ସବୁ ଦୁଃଖ ଓ ଯନ୍ତ୍ରଣା ଭିତରେ କିନ୍ତୁ ଶେଷ ହାର ମାନିନଥିଲେ। ପାଠ ପଢ଼ିଥିଲେ। ସମ୍ୱଲପୁର ଭାୟା ଭୁବନେଶ୍ୱର ନାଇଜର ଦେଇ ଗଲେ ଜର୍ମାନ। ୪ ବର୍ଷ […]

Sasadev

  • Published: Saturday, 05 November 2022
  • , Updated: 06 November 2022, 07:14 AM IST

ରେଢାଖୋଲ (ରମାକାନ୍ତ ମହାନନ୍ଦ): ଗାଁକୁ ଫେରିଛନ୍ତି ଶେଷ। ଇଏ ସେହି ଶେଷ, ଯାହାଙ୍କୁ କୋଳାଇ ଧରିଥିଲା ଦାରିଦ୍ର୍ୟ। ଆଉ ସମାଜ ଆଗରେ କରିଥିଲା ଲୋକହସା। ଖାଲି ଲୋକହସା କରିନଥିଲା, ବରଂ ଅଳ୍ପ ଦିନର ବ୍ୟବଧାନରେ ତାଙ୍କ ପାଖରୁ ମାଆ, ବାପା ଆଉ ବଡ଼ ଭଉଣୀଙ୍କୁ ଛଡ଼ାଇ ନେଇଥିଲା। ଏତେ ସବୁ ଦୁଃଖ ଓ ଯନ୍ତ୍ରଣା ଭିତରେ କିନ୍ତୁ ଶେଷ ହାର ମାନିନଥିଲେ। ପାଠ ପଢ଼ିଥିଲେ। ସମ୍ୱଲପୁର ଭାୟା ଭୁବନେଶ୍ୱର ନାଇଜର ଦେଇ ଗଲେ ଜର୍ମାନ। ୪ ବର୍ଷ ପରେ ଗାଁକୁ ଫେରିଛନ୍ତି ବୈଜ୍ଞାନିକ ଶେଷଦେବ କିସାନ୍‌।

ସମ୍ୱଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ୍‌ ବଲାସିଂଘା ଗାଁର ଶେଷଦେବ କିସାନ। ଠିକ୍‌ ଭାବେ ଦୁନିଆ ଦେଖିନଥିଲେ। ତାଙ୍କ ମୁଣ୍ଡ ଉପରୁ ଉଠିଗଲା ମାଆ ଦୁଃଖି କିସାନ୍‌ଙ୍କ ପଣତ କାନି। ୩ ବର୍ଷ ବୟସରେ ମାଆ ଛେଉଣ୍ଡ ହୋଇଗଲେ ଶେଷ। ବଡ଼ ଭଉଣୀଙ୍କ କୋଳରେ ମାଆଙ୍କ ଦୁନିଆ ଦେଖିଲେ ଶେଷ। ଗାଁ ସ୍କୁଲରେ ପାଠ ପଢ଼ିଲେ।

ବାପା ବିପିନ୍‌ କିସାନ୍‌ ଜଣେ ଶ୍ରମିକ। ତାଙ୍କ ପରିଶ୍ରମରେ ପରିବାର ଚଳୁଥିଲା। ହେଲେ ଶେଷଙ୍କ ପାଠ ପଢ଼ିବାରେ ଅସୁବିଧା ହେଉଥିଲା। ପାଖରେ ସମ୍ୱଳ ନଥିବାରୁ କୁନି ପାଦରେ ବହି ବସ୍ତାନି ଛାଡ଼ି ଗାଈ ଚଳାଇବାକୁ ଗଲେ ଶେଷ। ଏପରିକି ବାପାଙ୍କ ସହିତ ମଜୁରୀ ମଧ୍ୟ ଲାଗିଲେ। ଯାହା ପଇସା ଆଣୁଥିଲେ ସେଥିରେ ଚଳୁଥିଲା ପରିବାର ଓ ପଢ଼ୁଥିଲେ। ଶେଷ ପାଠରେ ମେଧାବୀ ଥିଲେ। ସେଥିପାଇଁ ଗାଁ ସ୍କୁଲରେ ପଞ୍ଚମ ଶ୍ରେଣୀରେ ପଢ଼ୁଥିବା ବେଳେ ନବୋଦୟ ପରୀକ୍ଷାରେ ପାସ୍‌ କରିଥିଲେ।

ଆଉ ତା’ପରେ ନବୋଦୟ ବିଦ୍ୟାଳୟରେ ପାଠ ପଢ଼ିବା ପାଇଁ ଚାଲିଗଲେ ଶେଷ। ସେଠାରେ ମନଦେଇ ପାଠ ପଢ଼ିଲେ। ତେବେ ଦଶମ ପରୀକ୍ଷା ଦେବା ପୂର୍ବରୁ ହାତ ଛାଡ଼ି ଦେଲେ ବାପା। ଅଫେରା ରାଇଜକୁ ଚାଲିଗଲେ। ବାପାଙ୍କ ଦେହାନ୍ତ ପରେ ଭାଙ୍ଗି ପଡ଼ିଲେ ଶେଷ। ଠିକ୍‌ ପାଠ ପଢ଼ିଲେ ନାହିଁ। ବାପାଙ୍କ କଥା ବହୁ ମନେ ପଡ଼ିଲା। ତେଣୁ କିଛି ସମୟ ପାଇଁ ଘରକୁ ଫେରି ଆସୁଲେ। ଆଉ ବଡ଼ ଭଉଣୀଙ୍କ ସହ ରହି ପୁଣି ଥରେ ନବୋଦୟ ବିଦ୍ୟାଳୟକୁ ଫେରିଗଲେ।

ଶେଷ ନବୋଦୟ ବିଦ୍ୟାଳୟରେ ଯୁକ୍ତ ଦୁଇରେ ଭଲ ନମ୍ୱରରେ ପାସ୍‌ କରିଥିଲେ। ତା’ପରେ ଘରକୁ ଫେରି ଆସିଲେ। ଗାଁରେ ରହି ପାଠ ପଢ଼ିବା ସହିତ ବିଭିନ୍ନ ଏନ୍‌ଟ୍ରାନ୍ସ ଦେଲେ। ଆଉ ଭୁବନେଶ୍ୱର ନାଇଜରରେ ପାଠ ପଢ଼ିବା ପାଇଁ ଚୟନ ହେଲେ। ବଡ଼ ଭଉଣୀଙ୍କୁ ଘରେ ଏକାକୀ ଛାଡ଼ି ରାଜଧାନୀ ଭୁବନେଶ୍ୱର ଚାଲି ଆସିଲେ ଶେଷ। ଏଠାରେ ରହି ନାଇଜରରେ ପାଠ ପଢ଼ିଲେ। ସେଥିପାଇଁ ତାଙ୍କୁ ସ୍କଲାସିପ୍‌ ବାବଦକୁ ୫୦୦୦ ଟଙ୍କା ମିଳୁଥିଲା। ସେହି ଟଙ୍କାରେ ଚଳି ଯାଉଥିଲେ ଶେଷ। ହେଲେ ତାଙ୍କୁ ଘାରିଥିଲା ରୋଗୀଣା ବଡ଼ ଭଉଣୀଙ୍କ ଯନ୍ତ୍ରଣା। ତେଣୁ ବାହାରେ ଟ୍ୟୁସନ୍‌ କଲେ। ଯାହା ରୋଜଗାର କରୁଥିଲେ, ସେଥିରେ ଭଉଣୀଙ୍କ ଚିକିତ୍ସା କରାଉଥିଲେ। ନିଜ କଠିନ ସାଧନା ଓ ଅଧ୍ୟବସାୟ ବଳରେ ଶେଷ ନାଇଜର ଟପ୍ପର ହେଲେ। ଆଉ କ୍ୟାମ୍ପସ ସେଲେକ୍‌ସନ୍‌ରେ ଜର୍ମାନ ଗୋଟିଂଜେନ ବିଶ୍ୱବିଦ୍ୟାଳୟରେ ଗବେଷକ ଭାବେ ମନୋନୀତ ହେଲେ। ସେଥିପାଇଁ ତାଙ୍କ ପାଖରୁ ଛୁଟି ଆସିଥିଲା ଶୁଭେଚ୍ଛାର ସୁଅ। ଗଣମାଧ୍ୟମର ଶିରୋନାମା ପାଲଟିଲେ ଶେଷ।

ଜର୍ମାନରେ ଚାକିରି ପାଇବା ପରେ ଶେଷ ଉଲ୍ଲସିତ ହୋଇଥିଲେ। ହେଲେ ପାଖରେ ଟଙ୍କାଟିଏ ନଥିବାରୁ ଜର୍ମାନ ଯିବାକୁ ନେଇ ଚିନ୍ତାରେ ପଡ଼ି ଯାଇଥିଲେ। ଜର୍ମାନ କେମିତି ଯିବେ? ସେହି ଚିନ୍ତାରେ ପଡ଼ି ଯାଇଥିଲେ ଶେଷ। ଏହି କଥା ଯାଇ ପହଞ୍ଚି ଥିଲା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଖରେ।

ଶେଷ ଘରେ ଥିଲେ। ହଠାତ୍‌ ନବୀନ ନିବାସରୁ ଶେଷଙ୍କୁ ଡାକରା ଆସିଲା। ଡାକରା ପାଇଁ ନବୀନ ନିବାସ ଧାଇଁ ଯାଇଥିଲେ ଶେଷ। ମୁଖ୍ୟମନ୍ତ୍ରୀ ତାଙ୍କ ସହିତ କିଛି ସମୟ କଥା ହୋଇଥିଲେ। ଆଉ ଗୋଟିଏ ଆଇଫୋନ୍‌ ଶେଷଙ୍କୁ ଉପହାର ସ୍ୱରୁପ ଦେଇଥିଲେ। ଏଥିସହ ଜର୍ମାନ ଯିବା ପାଇଁ ଦୁଇ ଲକ୍ଷ ଟଙ୍କା ପ୍ରଦାନ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କଠାରୁ ଏପରି ଉପହାର ପାଇବା ପରେ ଶେଷ ଭାବବ୍ୟୁହଳ ହୋଇ ପଡ଼ିଥିଲେ। ଶପଥ ନେଇଥିଲେ, ବିଦେଶ ଗଲେ ମଧ୍ୟ ଓଡ଼ିଶା ପାଇଁ କିଛି କରିବେ।

ବଡ଼ ଭଉଣୀଙ୍କୁ ଘରେ ଛାଡ଼ି ଜର୍ମାନ ଯାତ୍ରା କଲେ ଶେଷ। ଗୋଟିଂଜେନ ବିଶ୍ୱବିଦ୍ୟାଳୟରେ ବୈଜ୍ଞାନିକ ଭାବେ ନୂଆ ଜୀବନ ଆରମ୍ଭ କଲେ। ନୂଆ ନୂଆ ରିସର୍ଚ୍ଚରେ ନିଜକୁ ସାମିଲ କରିଥିଲେ। ଭଲ ଦରମା ପାଇଲେ। ହେଲେ ଦୁଃଖ ଓ ଯନ୍ତ୍ରଣାରେ ଘାଣ୍ଟି ହେଉଥିବା ବଡ଼ ଭଉଣୀକୁ ଭୁଲି ପାରୁନଥିଲେ। ତା’ ପାଇଁ ଗାଁରେ ଗୋଟିଏ ଘର କରିବା ପାଇଁ ମନସ୍ତ କଲେ। ଗାଁର ଶାନ୍ତ ପରିବେଶରେ ପକ୍କା ଘରଟିଏ ତିଆରି କଲେ ଶେଷ। ହେଲେ ଘର ତିଆରି ସରିବା ପୂର୍ବରୁ ବଡ଼ଭଉଣୀ ଚୀର ନିଦ୍ରାରେ ଶୋଇଗଲେ। ବଡ଼ଭଉଣୀ ଚାଲିଗଲା ପରେ ସମ୍ପୂର୍ଣ୍ଣ ଏକଲା ହୋଇଗଲେ ଶେଷ।

ମହାମାରୀ କରୋନା ସମଗ୍ର ବିଶ୍ୱକୁ ଗ୍ରାସିଲା। ପାଠ ପଢ଼ା ଠପ୍‌ ହୋଇଗଲା। ଜର୍ମାନରେ ରହିଥିଲେ ମଧ୍ୟ ଗାଁ ପିଲାଙ୍କୁ ପାଠ ପଢ଼ାଇବା ପାଇଁ ବ୍ୟବସ୍ଥା କଲେ ଶେଷ। ୨୦୨୦ ମସିହାରେ ଗାଁ ଲୋକଙ୍କୁ କହି ଗୋଟିଏ ଝାଟିମାଟିର ଘର ତିଆରି କଲେ। ସେହି ଘରେ ଗାଁ ପିଲାଙ୍କ ପାଠ ପଢ଼ାଇବାର ବ୍ୟବସ୍ଥା କଲେ। ସେଥିପାଇଁ ଦୁଇ ଜଣ ଟ୍ୟୁସନ୍‌ ମାଷ୍ଟର ନିଯୁକ୍ତି ଦେଲେ। ଏବେ ସେଠାରେ ୧୭୦ ପିଲା ପାଠ ପଢ଼ୁଛନ୍ତି। ଶେଷଙ୍କ ଟଙ୍କାରେ ଟ୍ୟୁସନ୍‌ ମାଷ୍ଟର ଦରମା ନେଉଛନ୍ତି ଓ ପିଲାଙ୍କ ବହି, ଖାତା, କଲମ କିଣାଯାଉଛି। ୧୭୦ ପିଲାଙ୍କ ପାଠ ପଢ଼ା ଦାୟିତ୍ୱ ନେଇଛନ୍ତି ବୈଜ୍ଞାନିକ ଶେଷ କିସାନ୍‌।

ବୈଜ୍ଞାନିକ ଶେଷଦେବ କିସାନ୍‌ଙ୍କୁ ଛୁଇଁଲାଣି ଯୌବନ। ସେ ବାହା ହେବେ। ସେଥିପାଇଁ ମାଟ୍ରିମୋନିଆଲ୍‌ରେ ଆବେଦନ କରିଥିଲେ। ତାଙ୍କ ପ୍ରୋଫାଇଲ୍‌ ଦେଖି ବହୁ ଯୁବତୀ ବାହା ହେବା ପାଇଁ ପ୍ରସ୍ତାବ ଦେଇଥିଲେ। ସେମାନଙ୍କ ଭିତରୁ ସେ ବାଲେଶ୍ୱର ଜୟଶ୍ରୀ ଜେନାଙ୍କୁ ବାହା ହେବା ପାଇଁ ମନ ଦେଇଛନ୍ତି। ଆସନ୍ତା ୨୨ ତାରିଖରେ ହାତକୁ ଦି’ ହାତ ହେବେ। ସେଥିପାଇଁ ଓଡ଼ିଶା ଆସିଛନ୍ତି ଶେଷ।

Related story