ବ୍ରହ୍ମପୁର(ଜଗନ୍ନାଥ ସାହୁ): ପୁଣି ଥରେ ପଦାକୁ ଆସିଲା ଗଞ୍ଜାମ ଜିଲ୍ଲା କୋଭିଡ ମେଡିକାଲର ଅବ୍ୟବସ୍ଥା। ପିପିଇ କିଟ୍ ନଥିବାରୁ ଶ୍ୱାସପ୍ରଶ୍ୱାସ ନେବାରେ ଅସୁବିଧା ହେଉଥିବା ରୋଗୀଙ୍କୁ ଦିଆଗଲାନି ଅକ୍ସିଜେନ୍ । ଫଳରେ ଦୀର୍ଘ ଦୁଇ ଘଣ୍ଟା କାଳ ଛଟପଟ ହୋଇ ରୋଗୀର ଜୀବନ ଚାଲିଯାଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ । ଗଞ୍ଜାମ ଜିଲ୍ଲାରେ ଚିକିତ୍ସା ବ୍ୟବସ୍ଥାର ଏପରି ଏକ ଚିତ୍ର ପୁଣି ଥରେ ଦେଖିବାକୁ ମିଳିଛି ।
ବ୍ରହ୍ମପୁରସ୍ଥିତ ବିଜୁ ପଟ୍ଟନାୟକ ହୋମିଓ ପ୍ୟାଥିକ କଲେଜ କୋଭିଡ କେୟାର ହସପିଟାଲର ଇଞ୍ଜିନିୟରିଂ ସ୍କୁଲ ରାଜୀବ ନଗର ଅଞ୍ଚଳର ଅବସରପ୍ରାପ୍ତ ବିଡିଏ କର୍ମଚାରୀ ପଙ୍କଜ ବେହେରା ଦୁଇ ଦିନ ହେଲା ଜ୍ୱରରେ ପୀଡିତ ଥିଲେ । ତାଙ୍କ ପୁଅ କିଶୋର ଡାକ୍ତରଙ୍କ ପରାମର୍ଶ ନେବାକୁ ଆଜି ସିଟି ହସପିଟାଲ ଫିଭର କ୍ଲିନିକକୁ ଆଣିଥିଲେ । ସେଠାରେ କୋଭିଡ ଟେଷ୍ଟ କରିବା ପରେ ପଙ୍କଜଙ୍କ ଶ୍ୱାସପ୍ରଶ୍ୱାସ ନେବାରେ ଅସୁବିଧା ହୋଇଥିଲା । ଅକ୍ସିଜେନ୍ ଦେବା ପାଇଁ ଡାକ୍ତର ନିକଟସ୍ଥ କୋଭିଡ କେୟାର ସେଣ୍ଟରକୁ ନେବାକୁ କିଶୋରଙ୍କୁ କହିଥିଲେ । ସେଠାକୁ ନେବା ପରେ ଆରମ୍ଭ ହୋଇଥିଲା ଅବ୍ୟବସ୍ଥା ।
ସେଠାରେ ଡାକ୍ତର ନଥିବା ବେଳେ ନର୍ସ, ଆଣ୍ଟେଣ୍ଟାଣ୍ଟ କେହି ରୋଗୀ ପାଖକୁ ଆସିନଥିଲେ । ରୋଗୀ ଶ୍ୱାସପ୍ରଶ୍ୱାସ ନେବାରେ ଅସୁବିଧା ହେଉଥିବା ବେଳେ ନା ଷ୍ଟ୍ରେଚର ଅଣାଗଲା ନା ଅକ୍ସିଜେନ ଦିଆଗଲା । ଚାଲି ଚାଲି ରୋଗୀ ଜଣଙ୍କ ତଳ ମହଲାରୁ ଉପର ମହଲାକୁ ଯାଇଥିଲେ ସେଠାକୁ ନେବା ପରେ କର୍ମଚାରୀ କହିଲେ ଏଠାରେ ପିପିଇ କିଟ୍ ନାହିଁ, ଟ୍ରିଟମେଣ୍ଟ ହୋଇପାରିବ ନାହିଁ । ରୋଗୀଙ୍କ ପରିବାରକୁ ପିପିଇ କିଟ୍ ଆଣିବାକୁ କହିଥିଲେ । ପିପିଇ କିଟ୍ ଆଣି ଦେବା ପରେ ବି କେହି ରୋଗୀଙ୍କୁ ଛୁଇଁନଥିଲେ । ଏଭଳିକି ପରିବାର ଲୋକଙ୍କୁ କୁହାଯାଇଥିଲା ନିଜେ ଅକ୍ସିଜେନ୍ ଦେବାକୁ । ଏମିତି ଭାବେ ଡାକ୍ତର ଆସିଲା ବେଳକୁ ଦୀର୍ଘ ଦୁଇ ଘଣ୍ଟା ରୋଗୀ ପଡ଼ି ପଡ଼ି ଜୀବନ ଚାଲିଯାଇଥିବା କହିଛନ୍ତି ପରିବାରବର୍ଗ ।
ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ସମସ୍ତ କୋଭିଡ କେୟାର ହସପିଟାଲରେ ପିପିଇ କିଟ୍ ସହ ସମସ୍ତ ସୁବିଧା ରହୁଥିବା କହୁଥିବା ବେଳେ ଏଠାରେ ସାମାନ୍ୟ ପିପିଇ କିଟ୍ ମିଳୁନଥିବା ଓ ରୋଗୀଙ୍କୁ ଦେଖିବାକୁ ଡାକ୍ତର, ଆଟେଣ୍ଡାଣ୍ଟ ଓ ନର୍ସଙ୍କ ଖାମଖିଆଲି ମନୋଭାବ ଯୋଗୁଁ ଜୀବନ ଚାଲିଯାଇଥିବା ଅଭିଯୋଗ କରିଛନ୍ତି ପରିବାର ବର୍ଗ