ବାଲୁଗାଁ (ଓଡ଼ିଶା ରିପୋର୍ଟର ): ଚିଲିକା ନିକଟ ରାଜହଂସରେ ଲାଗିଥିବା ମାଲେସୀୟ ଜାହାଜ ଜିନ୍ ହ୍ୱାରରୁ ଆଜିଠାରୁ ଆରମ୍ଭ ହେବ ତେଲ କଢା ପ୍ରକ୍ରିୟା । ଏନେଇ ସୂଚନା ଦେଇଛନ୍ତି ପୁରୀ ଜିଲ୍ଲାପାଳ। କମ୍ପାନୀ କର୍ତ୍ତୃପକ୍ଷ ଓ ମୁମ୍ବାଇରୁ ଏକ ବୈଷୟିକ୍ ଟିମ୍ ଆସି ପହଞ୍ଚିବା ପରେ ଆରମ୍ଭ ହେବ ଏହି ପ୍ରକ୍ରିୟା। ପ୍ରତି ଦଫାରେ ୨୫୦ ଲିଟର ତେଲ କାଢି ସିଡିଏ ଜେଟି ନିକଟରେ ରଖାଯିବ । ତେଲ କଢାଯିବା ପରେ ଜାହାଜକୁ ସ୍ଥାନାନ୍ତର କରାଯିବ ।
ଜୁଆର ଓ ଢେଉ ମାଡ଼ ଯୋଗୁ ଅଣେଇ ହୋଇ ରହିଥିବା ଜାହାଜର କଣ୍ଟେନରଟି ଓଲଟିବାରେ ଲାଗିଛି । ଜାହାଜଟି ପୂର୍ବରୁ ୧୮ ଡିଗ୍ରୀ ତଳକୁ ବଙ୍କେଇ ଯାଇଥିବା କହିଥିଲେ ଜିଲ୍ଲାପାଳ। ତେବେ ଜାହାଜର ଇଞ୍ଜିନ ସୁରକ୍ଷିତ ଥିବାରୁ ତୈଳ ନିର୍ଗତ ହେଉ ନାହିଁ । ସଂପୃକ୍ତ ଜାହାଜ ମାଲିକଙ୍କ ପତ୍ତା ମିଳିବା ପରେ ସେଥିରୁ ତେଲ କଢାଯିବା ନେଇ ଜିଲ୍ଲା ପ୍ରଶାସନ ସହ କଥାବାର୍ତ୍ତା ସରିଛି।
ଏହି ପଣ୍ୟବାହୀ ଜାହାଜଟି ବାଂଲାଦେଶରୁ ଫେରିବାବେଳେ ପ୍ରତିକୂଳ ପାଗ ଯୋଗୁ ଭୁଲବଶତଃ ଚିଲିକା ଉପକୂଳକୁ ଚାଲିଆସିଥିଲା । ଦୀର୍ଘ ଦିନ ଧରି ପଡି ରହିଥିବାରୁ ଜାହାଜରୁ ତେଲ ଲିକ୍ ହେବାର ଆଶଙ୍କା ଦେଖାଦେଇଛି ।